ଭୁବନେଶ୍ବର: ଲକ୍ଡାଉନ ସମୟରେ ମାଛ ଚାଷ କରି କୋଟିପତି ହୋଇଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ । ମାଛଚାଷ କରିବା ସହ ଏହାକୁ ବିକ୍ରି କରି ନିଜେ ସ୍ବାବଲମ୍ବୀ ହେବା ସହ ଲକ୍ଷାଧିକ ଟଙ୍କା ମଧ୍ୟ ରୋଜଗାର କରିପାରୁଛନ୍ତି ଏମାନେ । କଳାହାଣ୍ଡି ଜିଲ୍ଲା ଲାଖପଦର ଗାଁ କେଦାରଗୌରୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହାର ଉଦାହରଣ ସାଜିଛନ୍ତି । 3 ବର୍ଷ ପାଇଁ ପଞ୍ଚାୟତ ପୋଖରୀ ଲିଜ୍ ନେଇ ଏଠାରେ ମାଛ ଚାଷ କରି ଲାଭବାନ ହୋଇଛନ୍ତି ଏମାନେ ।
2016 ମସିହାରେ 10 ଜଣ ଗରିବ ମହିଳାଙ୍କୁ ନେଇ ଗଠିତ ଏହି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ମିଶନ ଶକ୍ତି କର୍ମକର୍ତ୍ତାଙ୍କ ସହାୟତାରେ ମାଛଚାଷ ପାଇଁ ଗ୍ରାମପଞ୍ଚାୟତର 14 ଏକର ପୋଖରୀ ଲିଜ୍ ନେଇଥିଲେ । 2019 ମସିହାରେ ଲିଜ୍ ନେବା ପରେ ଏଥିରେ ଆରମ୍ଭ କରିଥିଲେ ମାଛ ଚାଷ । ବ୍ୟବସାୟିକ ଭିତ୍ତିରେ ମାଛଚାଷ ପାଇଁ ତାଲିମ ନେବା ସହ ମିଶନ ଶକ୍ତି ସହାୟତାରେ 3 ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ନେଇ 3 କ୍ବିଣ୍ଟାଲ୍ର ମାଛ ଯାଆଁଳ ଛାଡିଥିଲେ ।
ତେବେ ମିଶନ ଶକ୍ତି ଜୀବିକା ସଂଯୋଜନା କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଏସ୍ଏଚ୍ଜି ମତ୍ସ୍ୟ ନିର୍ଦ୍ଦେଶାଳୟ ତରଫରୁ 3.6ଲକ୍ଷ ଟଙ୍କାର ଇନ୍ପୁଟ୍ ସବ୍ସିଡି ପାଇପାରିଛନ୍ତି । କୋଭିଡ୍-19 ଲକ୍ଡାଉନ୍ ସମୟରେ 1.5 ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ 10 କ୍ବିଣ୍ଟାଲ୍ ମାଛ ଉତ୍ପାଦନ କରି ସ୍ଥାନୀୟ ବଜାରରେ ବିକ୍ରି କରିଛନ୍ତି । ଏ ପର୍ଯ୍ୟନ୍ତ ପ୍ରାୟ 2.1 ଲକ୍ଷ ଟଙ୍କାର ଲାଭ ପାଇଥିବା ଏହି ମହିଳାମାନେ ଶେଷ ଅମଳ ବେଳକୁ ଆଖିଦୃଶିଆ ଲାଭ ପାଇବେ ବୋଲି ଆଶା ରଖିଛନ୍ତି ।
ଆମର ନିୟମିତ ଘର ଖର୍ଚ୍ଚ ପାଇଁ ଯଥେଷ୍ଟ ଆର୍ଥିକ ସହଯୋଗ କରିପାରିଥିବାରୁ ଆମେ ବହୁତ ଖୁସି । ଆମ ପାଇଁ ମାଛଚାଷ କେବଳ ଜୀବିକା ନୁହେଁ । ଏହା ଆମକୁ ସାମାଜିକ ପରିଚୟ, ପ୍ରତିଷ୍ଠା ଏବଂ ଆତ୍ମବିଶ୍ବାସ ଆଣିଦେଇଛି । ଓଡିଶାର ମହିଳାମାନଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିବାରୁ ମିଶନ ଶକ୍ତି ନିକଟରେ ଆମେ କୃତଜ୍ଞ ବୋଲି କେଦାରଗୌରୀ ଏସ୍ଏଚ୍ଜିର ସଭାପତି କମଳି ଭୋଇ କହିଛନ୍ତି ।
ବର୍ତ୍ତମାନ ରାଜ୍ୟରେ 6 ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀରେ 70 ଲକ୍ଷ ମହିଳା ସଦସ୍ୟା ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକ୍ରମରେ ନିୟୋଜିତ ଅଛନ୍ତି । ରାଜ୍ୟ ସରକାରଙ୍କର ଦ୍ବାରା 29ମଇ, 2019ରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ ବିଭିନ୍ନ ସେବା ପ୍ରଦାନ ତଥା ସରକାରୀ ବିଭାଗଗୁଡିକର ସାମଗ୍ରୀ ସଂଗ୍ରହ କାର୍ଯ୍ୟକ୍ରମରେ ମିଶନ ଶକ୍ତି ଏସ୍ଏଚ୍ଜିମାନଙ୍କୁ ନିୟୋଜିତ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାଦ୍ବାରା ବିଭିନ୍ନ ବିଭାଗ ସହ ସଂଯୋଜନାରେ ସରକାରୀ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଲକ୍ଷ ଲକ୍ଷ ମହିଳାଙ୍କୁ ମିଶନ ଶକ୍ତି ଗୋଷ୍ଠୀ ମାଧ୍ୟମରେ ସାମିଲ କରି ଅତିରିକ୍ତ ଏବଂ ଦୀର୍ଘସ୍ଥାୟୀ ଜୀବିକା ସୁଯୋଗ ପ୍ରଦାନ କରିବାର ଲକ୍ଷ୍ୟ ରହିଛି ।
ଏହି ନିଷ୍ପତ୍ତି ଫଳରେ ପ୍ରତି ବର୍ଷ ଏସ୍ଏଚ୍ଜିମାନଙ୍କୁ ପ୍ରାୟ 1 ହଜାର କୋଟି ଟଙ୍କା ମୂଲ୍ୟର ବ୍ୟବସାୟ ଯୋଗାଇ ଦିଆଯିବାର ନିଷ୍ପତ୍ତି ହୋଇଛି । ମତ୍ସ୍ୟ ନିର୍ଦ୍ଦେଶାଳୟର ସହଯୋଗରେ ଗ୍ରାମପଞ୍ଚାୟତ ପୋଖରୀରେ ଏସ୍ଏଚ୍ଜିମାନଙ୍କ ଦ୍ବାରା ମାଛଚାଷ ଏକ ପ୍ରମୁଖ କାର୍ଯ୍ୟକ୍ରମ ହୋଇପାରିଛି । ରାଜ୍ୟରେ ଗ୍ରାମପଞ୍ଚାୟତଗୁଡିକ ଦ୍ବାରା ପ୍ରାୟ 51 ହଜାର ହେକ୍ଟର ପରିମିତ ଜଳଉତ୍ସରେ 64 ହଜାର ପଞ୍ଚାୟତ ପୋଖରୀର ପରିଚାଳନା କରାଯାଉଛି ।