ଭୁବନେଶ୍ବର:ରାଜଧାନୀରେ ଅସୁରକ୍ଷିତ କର୍ମଜୀବୀ ମହିଳା । କର୍ମକ୍ଷେତ୍ରରେ ବଢୁଛି ଯୌନ ଶୋଷଣ । ସରକାରୀ ଅଫିସଠୁ ଆରମ୍ଭ କରି କର୍ପୋରେଟ ହାଉସ । ଛୋଟ ଦୋକାନଠୁ ଆରମ୍ଭ କରି ହୋଟେଲ ଓ ରେସ୍ତୋରାଁ । ପୁରୁଷଙ୍କ ସହ ଅନେକ କର୍ମକ୍ଷେତ୍ରରେ କାମ କରୁଛନ୍ତି ମହିଳା । ହେଲେ ଏହି କର୍ମଜୀବୀ ମହିଳା ଯେ ନିଜକୁ ସୁରକ୍ଷିତ ମଣୁଛନ୍ତି ତାହା କହିବା ମୁସ୍କିଲ ।
କର୍ମକ୍ଷେତ୍ରରେ ମହିଳାମାନେ ଯୌନ ଶୋଷଣରେ ଶିକାର ହେଉଛନ୍ତି । କେଉଁଠି ବ୍ୟାଙ୍କ ମ୍ୟାନେଜରର ଖରାପ ନଜର ତ କେଉଁଠି ସରକାରୀ ଅଫିସରେ ଉପର ଅଧିକାରୀଙ୍କ ହୀନ ଦୃଷ୍ଟି । ଆଉ କେତେବେଳେ ବଡ ବଡ ପ୍ରଶାସନିକ ଅଧିକାରୀଙ୍କ ତଳ କର୍ମଚାରୀଙ୍କୁ ହ୍ଵାଟ୍ସଆପରେ ଅଶ୍ଳୀଳ ମେସେଜ । ଏଭଳି ଅନେକ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଅନେକ କର୍ମ କ୍ଷେତ୍ରରେ ଯୌନ ଶୋଷଣର ଶିକାର ହେଉଛନ୍ତି ମହିଳା ଓ ଯୁବତୀ ।
ତେବେ ଏହା ବିରୋଧରେ ପ୍ରିଭେନସନ ଅଫ ସେକ୍ସୁଆଲ ହାରାସମେଣ୍ଟ ଆଟ ଓ୍ବାର୍କପ୍ଲେସ ଆକ୍ଟ ୨୦୧୩ ନିୟମ ରହିଥିବା ବେଳେ କାର୍ଯ୍ୟକାରୀ ହେଉନାହିଁ । ୧୦ରୁ ଊର୍ଦ୍ଧ୍ବ ମହିଳା କାମ କରୁଥିବା କର୍ମସ୍ଥଳୀରେ ଏକ ଇଣ୍ଟରନାଲ କମିଟି ଗଠନ ହେବା ଜରୁରୀ । ଯେଉଁଠି କିଛି ବାହାର ପ୍ରତିଷ୍ଠିତ ଲୋକଙ୍କୁ ଏହାର କମିଟି ମେମ୍ବର ରଖିବା ଦରକାର। ଯଦି କୌଣସି ମହିଳା ଏପରି ଅଭିଯୋଗ ଆଣନ୍ତି ପ୍ରଥମେ ଇଣ୍ଟରନାଲ କମିଟି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଦରକାର ।