ଭୁବନେଶ୍ବର: ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ଲଗାତାର ରାହୁଲ ଗାନ୍ଧୀଙ୍କୁ ଜେରା କରୁଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସଂସ୍ଥାକୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିବାରୁ ରାହୁଲଙ୍କୁ ବାରମ୍ବାର ପଚରାଉଚୁରା ପାଇଁ ଡ଼କାଯାଉଛି । ଅନ୍ୟପଟେ ରାହୁଲଙ୍କୁ ବାରମ୍ବାର ଇଡିର ଜେରାକୁ ନେଇ ବିରୋଧ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । କେନ୍ଦ୍ର ସରକାର ରାହୁଲଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ବ୍ୟବହାର କରୁଛନ୍ତି ବୋଲି ସେ କହିଛନ୍ତି ।
ଏନେଇ ସୁର କହିଛନ୍ତି ଯେ, " ଯେଉଁଭଳି ଭାବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) କୁ ବ୍ୟବହାର କରାଯାଉଛି ତାର ପ୍ରତିବାଦ କରୁଛି କଂଗ୍ରେସ । ଆଗକୁ ଏ ପ୍ରତିବାଦ ଉଗ୍ର ହେବ । ଆବଶ୍ୟକ ପଡ଼ିଲେ କାହାକୁ ଛାଡ଼ିବେନି କଂଗ୍ରେସ କର୍ମୀ । ନିଆଁ ଜଳିବ । ଘରେ ପସିଯିବୁ" ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।