ଓଡିଶା

odisha

ETV Bharat / city

ଖାରବେଳଙ୍କ ନିଶାନାରେ ବିଜେଡି, ଓବିସି କମିଶନ ଗଠନ ପାଇଁ ଦାବି - ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ

ସଂସଦର ବଜେଟ ଅଧିବେଶନ ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାରଙ୍କ ରଣନୀତିକୁ ସମାଲୋଚନା କଲେ ବରିଷ୍ଠ ବିଜେପି ନେତା ଖାରବେଳ ସ୍ବାଇଁ । ତୁରନ୍ତ ଓବିସି କମିଶନ ଗଠନ କରିବାକୁ ଦାବି ମଧ୍ୟ କରିଛନ୍ତି । ଏହା ସହ ଆଉ କଣ କହିଛନ୍ତି ଖାରବେଳ ପଢନ୍ତୁ...

kharvel swain
kharvel swain

By

Published : Jan 28, 2020, 9:01 PM IST

ଭୁବନେଶ୍ବର: ସଂସଦର ବଜେଟ ଅଧିବେଶନ ପୂର୍ବରୁ ନବୀନ ନିବାସରେ ଦଳୀୟ ସାଂସଦଙ୍କ ସହ ନବୀନଙ୍କ ବୈଠକ ହୋଇଛି । ଦଳ ସଂସଦରେ କେଉଁ ପ୍ରସଙ୍ଗ ଉଠାଇବ ? କଣ ଦାବି ରଖିବ ସେନେଇ ରଣନୀତି ପ୍ରସ୍ତୁତ ହୋଇଛି । ବୈଠକ ଶେଷରେ ସଂସଦୀୟ ଦଳନେତା ପିନାକୀ ମିଶ୍ର କହିଛନ୍ତି ରାଜ୍ୟ ସ୍ବାର୍ଥ ସମ୍ବଳିତ ସମସ୍ତ ପ୍ରସଙ୍ଗ ସଂସଦରେ ଉଠାଯିବ । କୋଇଲା ରୟାଲଟି ବୃଦ୍ଧି, ଜଳ ସମସ୍ୟା, ଆନ୍ତଃରାଜ୍ୟ ଜଳ ସମସ୍ୟା ଉଠାଯିବ । ଏହାସହ ରାଜ୍ୟ ସିଏଏକୁ ସମର୍ଥନ କରିଥିଲେ ମଧ୍ୟ ଏନଆରସିକୁ ସମର୍ଥନ କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏନଆରସିକୁ ନେଇ ବିଜେଡିର ଏପରି ସ୍ପଷ୍ଟୋକ୍ତି ପରେ ଚିହିଁକି ଉଠିଛି ବିଜେପି ।


ଏପ୍ରସଙ୍ଗରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ବିଜେଡି ଉପରେ ଜୋରଦାର ହମଲା କରିଛନ୍ତି । ଖାରବେଳ ଅଭିଯୋଗ କରିଛନ୍ତି ଅନୁପ୍ରବେଶକାରୀଙ୍କ ପରିଚୟ ପଦାରେ ପଡିଯିବ ବୋଲି ବିଜେଡି ଭୟଭୀତ କି ? ଜନଗଣନାରେ ବ୍ୟକ୍ତିଙ୍କ ଜନ୍ମ ସ୍ଥାନ ଓ ତାଙ୍କ ପିତାଙ୍କ ଜନ୍ମସ୍ଥାନ ନେଇ ବିଜେଡି କାହିଁକି ଚିନ୍ତିତ ଓ ବିବ୍ରତ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ? ଏନପିଆର ମାମଲାରେ କିଛି ନଜାଣି ନଈ ନଦେଖି କପଡା ଖୋଲିବା ପରିସ୍ଥିତିରେ ପହଞ୍ଛଛି ବିଜେଡି । ଓବିସି ପ୍ରସଙ୍ଗରେ ନିଜ ଉପରେ ଥିବା ସାମ୍ବିଧାନିକ ଦାୟିତ୍ବକୁ ଦୀର୍ଘ ୨୦ ବର୍ଷ ହେଲା ବିଜେଡି ପାଳନ ନକରି ମିଛ ନାଟକ କରୁଛି ବୋଲି କହିଛନ୍ତି ଖାରବେଳ ।


ବିଜେଡି ସଂସଦୀୟ ଦଳର ବୈଠକ ପରେ ସାଂସଦ ପିନାକୀ ମିଶ୍ରଙ୍କ ସୂଚନାକୁ ସମାଲୋଚନା କରି ଖାରବେଳ କହିଛନ୍ତି ଜନଗଣନାରେ ବ୍ୟକ୍ତିଙ୍କ ଜନ୍ମ ସ୍ଥାନ ଓ ତାଙ୍କ ପିତାଙ୍କ ଜନ୍ମସ୍ଥାନ ନେଇ ବିଜେଡି କାହିଁକି ଚିନ୍ତିତ ଓ ବିବ୍ରତ ହେଉଛି ? ପ୍ରତି ଦଶ ବର୍ଷରେ ଜନଗଣନା କରାଯାଏ ଓ ଜନଗଣନାର ବିବରଣୀ ପ୍ରସ୍ତୁତି ଏକ ଧାରାବାହିକ ପ୍ରକ୍ରିୟା । ସଂପୃକ୍ତ ବ୍ୟକ୍ତିଙ୍କ ଜନ୍ମ ସ୍ଥାନ ଓ ତାଙ୍କ ପିତାଙ୍କ ଜନ୍ମସ୍ଥାନ ନେଇ ବିଜେଡି କାହିଁକି ଟେନସନରେ । ଆଧାର, ଟଙ୍କିକିଆ ଚାଉଳ ନେବା ପାଇଁ ସ୍କୁଲ କଲେଜ ନାମଲେଖା, ଡ୍ରାଇଭିଙ୍ଗ ଲାଇସେନ୍ସ ଆଦିରେ ବାପା ମାଆଙ୍କ ନାଁ ଦରକାର ପଡେ । ହେଲେ ବିଜେଡି କାହିଁକି ଏନପିଆର ବେଳେ ବାପା ମାଆ ନାଁ ରଖିଲେ ବିରୋଧ କରୁଛି ? ଅନୁପ୍ରବେଶକାରୀଙ୍କ ସମର୍ଥନରେ ଆସି ଅନୁପ୍ରବେଶକାରୀଙ୍କ ପରିଚୟ ପଦାରେ ପଡିଯିବ ବୋଲି ବିଜେଡି ଭୟରେ ଏପରି କହୁଛି କି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ?

ଏହାସହ ସରକାରଙ୍କ ଓବିସି ଓ ଏସଇବିସି ବର୍ଗ ପାଇଁ ପ୍ରତିବଦ୍ଧତା ନଥିବାର ବଳିଷ୍ଠ ପ୍ରମାଣ ସମ୍ବିଧାନର ଧାରା ୧୫ (୪) ଓ ୧୬(୪) ବଳରେ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଛନ୍ତି । ଏହାକୁ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ବୈଧ ଘୋଷଣା କରିଛନ୍ତି । ଦେଶର ସବୁ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୁନ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିବା ବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟ ପଛୁଆ ଜାତି ଗୁଡିକର ଜନସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ତାମିଲନାଡୁ ଭଳି ରାଜ୍ୟରେ ୫୯ ପ୍ରତିଶତ ସ୍ଥାନ ସଂରକ୍ଷିତ ଥିବା ବେଳେ ଏଥିରୁ ୫୦ ପ୍ରତିଶତ ପଛୁଆ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ଇନ୍ଦ୍ରା ସ୍ବାହନୀ ଓ ଭାରତ ସରକାରଙ୍କ କେସ ମାମଲାରେ ସୁପ୍ରିମକୋର୍ଟ ବିଶେଷ ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ନିର୍ଦ୍ଦିଷ୍ଟ ସୀମା ଠାରୁ ଅଧିକ ହୋଇପାରିବ ବୋଲି ରାଏ ଦେଇଛନ୍ତି ।

ଉଦାହରଣ ଦେଇ ଖାରବେଳ କହିଛନ୍ତି ମହାରାଷ୍ଟ୍ରର ତତ୍କାଳୀନ ଦେବେନ୍ଦ୍ର ଫଡନାବିସ ସରକାର ମରଠା କମ୍ୟୁନିଟି ପାଇଁ ୧୬ ପ୍ରତିଶତ ନିଯୁକ୍ତି ଓ ଶିକ୍ଷାରେ ବ୍ୟବସ୍ଥା କରିବା ପରେ ମହାରାଷ୍ଟ୍ରର ସ୍ଥାନ ସଂରକ୍ଷଣ ୬୩ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଏହାକୁ ବମ୍ବେ ହାଇକୋର୍ଟ ରାଜ୍ୟ ସରକାରଙ୍କର ସୀମା ଉପରେ ବିଶେଷ କାରଣ ଯୋଗୁଁ ସଂରକ୍ଷଣ ବଢାଇବାର ଅଧିକାରକୁ ସମ୍ମତି ପ୍ରଦାନ କରିଥିଲେ । ରାଜ୍ୟରେ ୧୯୯୩ ମସିହା ଠାରୁ ‘ଓଡିଶା ଷ୍ଟେଟ କମିଶନ ଫର ବ୍ୟାକୁଆର୍ଡ କ୍ଲାସେସ ଆକ୍ଟ’ ପାସ ହୋଇଥିଲା । ମାତ୍ର ରାଜ୍ୟ ସରକାରଙ୍କର ପଛୁଆ ଜାତିଙ୍କ ପାଇଁ ସମ୍ବେଦନହୀନତା କାରଣରୁ ଏଯାଏଁ କମିଶନ ଗଠନ ହୋଇ ପାରିନାହିଁ । ତୁରନ୍ତ ଏହି ‘ବ୍ୟାକଆର୍ଡ କ୍ଲାସ କମିଶନ’ ଗଠନ କରି ବୈଜ୍ଞାନିକ ଓ ତଥ୍ୟ ସମ୍ବଳିତ ରିପୋର୍ଟ ଆଧାରରେ ଜନସଂଖ୍ୟାରେ ଭାଗ ଅନୁସାରେ ଅଧିକ ପ୍ରତିଶତ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ପଦକ୍ଷେପ ନେବାକୁ ଖାରବେଳ ସ୍ବାଇଁ ଦାବି କରିଛନ୍ତି ।


ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details