ଭୁବନେଶ୍ବର: ଆଗାମୀ ଦିନରେ ଦେଶରେ ଉତ୍ପାଦନ ଏବଂ ଅର୍ଥନୀତି ବୃଦ୍ଧି ପାଇଁ ଯୁବକ ଯୁବତୀଙ୍କୁ ସ୍କିଲ୍ ମାଧ୍ୟମରେ ସ୍ବାବଲମ୍ବୀ ଏବଂ ଆତ୍ମବିଶ୍ବାସୀ କରାଯିବ । ଏହି ପୃଷ୍ଠଭୂମିରେ ସେମାନଙ୍କୁ ଆତ୍ମନିର୍ଭର କରିବା ହେଉଛି ଅମୃତ ମହୋତ୍ସବର ଅମୃତ ବିନ୍ଦୁ । ସ୍ବାଧୀନତାର ୧୦୦ ବର୍ଷ ପୂରଣ କରିବା ତଥା ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଏହାକୁ ସଂକଳ୍ପରେ ପରିଣତ କରିବାକୁ ପଡିବ । ଯୁବକମାନଙ୍କୁ ସଶକ୍ତ କରିବା ଲାଗି ଏହି ସୁଯୋଗକୁ ଉପଯୋଗ କରିବା ପାଇଁ ଆହ୍ବାନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହିତ ୩୬ ଦକ୍ଷ ପ୍ରଶିକ୍ଷକଙ୍କୁ କୌଶଲାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାରୁ ଅଛନ୍ତି ୪ ଶିକ୍ଷକ ।
ବିଭିନ୍ନ ରାଜ୍ୟରୁ ଦକ୍ଷ ପ୍ରଶିକ୍ଷକ ମାନଙ୍କୁ ଉଦ୍ୟମିତା ପ୍ରଶିକ୍ଷକ ସମେତ ବିଭିନ୍ନ ବିଭାଗରେ ୩୬ ଜଣ ପ୍ରଶିକ୍ଷକଙ୍କୁ କୌଶଲାଚାର୍ଯ୍ୟ ପୁରସ୍କାର-୨୦୨୧ରେ ସମ୍ମାନିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରୁ ଜନ ଶିକ୍ଷଣ ସଂସ୍ଥାନର ହସ୍ତକଳା ପ୍ରଶିକ୍ଷକ ଚନ୍ଦ୍ରାବଳୀ ଖଟୁଆ, ଜନ ଶିକ୍ଷଣ ସଂସ୍ଥାର ବୈଷୟିକ ପ୍ରଶିକ୍ଷକ ଅଜୟ କୁମାର ସ୍ବାଇଁ, ଆଇଟିଆଇରେ ମାଷ୍ଟର ଟ୍ରେନର ବିପିନ ବିହାରୀ ଗୌଡ଼ ଏବଂ ଆଇଟିଆଇରେ ଡ଼ିଜିଟି ମାଷ୍ଟର ଟ୍ରେନର ନିବେଦିତା ମୋହନପାତ୍ରଙ୍କୁ କୌଶଲାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଛି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସ୍ବାଧୀନତାର ୭୫ ବର୍ଷ ପାଳନ କରୁଥିବା ବେଳେ ମୋଦି ସରକାର ସବକା ସାଥ୍, ସବକା ବିକାଶ, ସବକା ବିଶ୍ବାସ ଏବଂ ସବକା ପ୍ରୟାସ ଉପରେ ଗୁରୁତ୍ବ ଦେଇଛନ୍ତି । ନୂତନ ବ୍ୟବସାୟ ଏବଂ ସ୍କିଲିଂ ମଡେଲଗୁଡିକ ବିକଶିତ ହେଉଛି । ଯାହା ମହାମାରୀ ପରବର୍ତ୍ତୀ ଦୁନିଆରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏ ଦୃଷ୍ଟିରୁ ଆଗାମୀ ୨୫ ବର୍ଷ ଆମ ପାଇଁ ମହତ୍ବପୂର୍ଣ୍ଣ । ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରରେ ଅଣାଯାଇଥିବା ଜାତୀୟ ଶିକ୍ଷା ନୀତି ବିଦ୍ୟାର୍ଥୀଙ୍କୁ କୌଶଳ ସହ ରୋଜଗାର ଆଧାରିତ ଶିକ୍ଷା ପ୍ରଦାନ କରିବ ।