ଭୁବନେଶ୍ବର: ରାଜ୍ୟରେ ବୌଦ୍ଧିକ ସମ୍ପଦ ସୃଷ୍ଟି ଏବଂ ସଂପୃକ୍ତ ପରିବେଶର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ସହାୟତା ଦେଉଛନ୍ତି । ଜନସଚେତନତା ସୃଷ୍ଟି ପାଇଁ ୧୦ ଲକ୍ଷ, ପେଟେଣ୍ଟ ପଞ୍ଜୀକରଣ ପାଇଁ ୪୦ ହଜାର, ଆଟର୍ଣ୍ଣି ଦେୟ ୨୦ ହଜାର, ଜିଆଇ ପଞ୍ଜୀକରଣ ପାଇଁ ୧୦ ହଜାର ଓ ଦକ୍ଷତା ବିକାଶ ତଥା ତାଲିମ କର୍ମଶାଳା ଆୟୋଜନ ପାଇଁ ୬୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରିଗରୀ ବିଭାଗର ସଚିବ ମନୋଜ କୁମାର ମିଶ୍ର ।
‘ରାଜ୍ୟରେ ବୌଦ୍ଧିକ ସଂପଦ ପରିବେଶର ପ୍ରୋତ୍ସାହନ’ ଶୀର୍ଷକ ଏକ କର୍ମଶାଳାରେ ଯୋଗ ଦେଇଛନ୍ତି ବିଜ୍ଞାନ ଓ କାରିଗରୀ ବିଭାଗର ସଚିବ ମନୋଜ କୁମାର ମିଶ୍ର । ମନୋଜ କହିଛନ୍ତି ଯେ, ବୌଦ୍ଧିକ ସଂପଦ ସୃଷ୍ଟି ନିମନ୍ତେ ବ୍ୟକ୍ତିବିଶେଷ ତଥା ଷ୍ଟାର୍ଟଅପ୍ ଉଦ୍ୟୋଗୀମାନେ ସରକାରଙ୍କଠାରୁ ବୈଷୟିକ, ଆଇନଗତ ଏବଂ ଆର୍ଥିକ ସହାୟତା ପାଇବାର ବ୍ୟବସ୍ଥା କରାଯାଇଛି । ଅଧିକ ସଂଖ୍ୟକ ବୌଦ୍ଧିକ ସଂପଦ ସୃଷ୍ଟି ଉପରେ ଉଦ୍ୟମ ହେବା ଆବଶ୍ୟକ । ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ଏବଂ ଭୁବନେଶ୍ୱର ସଫ୍ଟୱେର ଟେକ୍ନୋଲୋଜି ପାର୍କର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ଏହି କର୍ମଶାଳା । କାର୍ଯ୍ୟକ୍ରମର ଉଦ୍ଘାଟନ ପର୍ବ ବ୍ୟତିରେକ ବୌଦ୍ଧିକ ସଂପଦ ସୃଷ୍ଟି, ଏହାର ବିକାଶ ଓ ପରିବେଶ ପ୍ରୋତ୍ସାହନ ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ବୌଦ୍ଧିକ ସଂପଦ ଅଧିକାର ପରିଚାଳନା ସଂପର୍କିତ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକାର ମୁଦ୍ରିତ ଏବଂ ଡଜିିଟାଲ ସଂସ୍କରଣ ମଧ୍ୟ ଏହି କର୍ମଶାଳାରେ ଉନ୍ମୋଚିତ ହୋଇଛି ।