ଭୁବନେଶ୍ବର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ମହାମାରୀ କୋରୋନାର ସଂକ୍ରମଣ । ଏହି ସଂକ୍ରମଣ ରୋକିବାକୁ ସମଗ୍ର ଦେଶରେ ଅନଲକ-2 ଲାଗୁ କରାଯାଇଛି । ତେବେ ଅନଲକ-2କୁ ନେଇ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଆସିବା ପରେ ରାଜ୍ୟରେ ଅଗଷ୍ଟ ଶେଷ ଯାଏଁ ସ୍କୁଲ ଓ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।
ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ କହିଛନ୍ତି, କୋରୋନା ସ୍ଥିତିକୁ ଦେଖି ରାଜ୍ୟରେ ସିନେମା ହଲ, ଜିମ, ସ୍ବିମିଙ୍ଗ୍ ପୁଲ, ପାର୍କ ଓ ବାର ଆଦି ଚଳିତ ମାସ ଶେଷ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ସାମାଜିକ, ରାଜନୈତିକ, ଖେଳ, ଧାର୍ମିକ ଓ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ ।
୧୦ ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ, କୋହଳ ହେଲା ରାତ୍ରକାଳୀନ କର୍ଫ୍ୟୁ ଅନ୍ୟପକ୍ଷେ ପୂର୍ବଭଳି ରାଜ୍ୟରେ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ । ହେଲେ ଏଣିକି ସନ୍ଧ୍ୟା 7 ପରିବର୍ତ୍ତେ ରାତି 9ଟାରୁ ସକାଳ 5ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ ବୋଲି ଘୋଷଣା ହୋଇଛି । ସେହିପରି 10ଟି ଜିଲ୍ଲାରେ ସାପ୍ତାହିକ 2 ଦିନ ସଟଡାଉନ ରହିବ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ଭଦ୍ରକ, ମୟୂରଭଞ୍ଜ, ଝାରସୁଗୁଡା, ବାଲେଶ୍ବର ଆଦି 10ଟି ଜିଲ୍ଲାକୁ ଜୋନ-1ରେ ରଖାଯାଇଛି । ଏହି ଅଞ୍ଚଳକୁ ଯାତାୟାତ ସମ୍ପୂର୍ଣ୍ଣଭାବେ ବନ୍ଦ କରାଯାଇଛି । ଅତ୍ୟଧିକ ଆକ୍ରାନ୍ତ ବା ସମସ୍ୟା ଦେଖାଦେଲେ ଏହାକୁ ସ୍ଥାନୀୟ ଜିଲ୍ଲାପାଳ ବନ୍ଦ କରି ଦେଇପାରିବେ । ଏହି 10 ଜିଲ୍ଲାକୁ ବାଦ ଦେଲେ ଅନ୍ୟ ସମସ୍ତ ଜିଲ୍ଲା ଜୋନ-2ରେ ରହିଛି । ଜୋନ-2ରେ ଥିବା ଜିଲ୍ଲାଗୁଡିକରେ ପୂର୍ବପରି ଗାଇଡ଼ଲାଇନ ଜାରି ରହିବ ।
ଜୁଲାଇ ପହିଲାରୁ ଏହି ନିୟମ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଛି । ଏହି ସମୟରେ କେବଳ ଜରୁରୀକାଳୀନ ସେବା ଡାକ୍ତର ପୋଲିସ ପାରା ମେଡିକାଲ କର୍ମଚାରୀ ଓ ମାଲ ପରିବହନକୁ ଅନୁମତି ଦିଆଯାଇଛି । ସେହିଭଳି ଔଷଧ ଦୋକାନୀସହ କାମ କରୁଥିବା କର୍ମଚାରୀଙ୍କୁ ଅନୁମତି ମଧ୍ୟ ଦିଆଯିବ । ଏହା ବ୍ୟତିତ ରାତ୍ରିକାଳୀନ କର୍ଫ୍ୟୁ ସମୟରେ ଶିଳ୍ପାଞ୍ଚଳରେ କାମ କରୁଥିବା କର୍ମଚାରୀଙ୍କୁ ମଧ୍ୟ ଅନୁମତି ଦିଆଯିବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ