ଭୁବନେଶ୍ବର: ରାଜ୍ୟରେ କୋରୋନା କମିନାହିଁ, ତଥାପି ଶ୍ରେଣୀ ଗୃହରେ ପାଠ ପଢିବେ ପିଲାମାନେ । କୋରୋନା ମହାମାରୀ ଭିତରେ ଦଶମ ଓ ଦ୍ଵାଦଶ ଶ୍ରେଣୀ ପାଇଁ ଖୋଲିବାକୁ ଯାଉଛି ସ୍କୁଲ । ସିଧାସଳଖ ଶ୍ରେଣୀ ଗୃହରେ ପାଠ ପଢିବେ ଛାତ୍ରଛାତ୍ରୀ । ପାଠପଢା ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିଛି । ରାତି ପାହିଲେ ଖୋଲିବ ସ୍କୁଲ । ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ଶ୍ରେଣୀ ଗୃହ ଗୁଡିକର ସାନିଟାଇଜ କରାଯାଉଛି । ପିଲାଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହେବା ସହ ସାମାଜିକ ଦୂରତା ରକ୍ଷା କରି କ୍ଳାସରେ ପାଠପଢା ଆରମ୍ଭ ହେବ । ସ୍କୁଲକୁ କିପରି ଭାବରେ ଛାତ୍ରଛାତ୍ରୀ ଆସିବେ, କିପରି ପ୍ରସ୍ତୁତ ହୋଇ ଆସିବେ, ସେ ନେଇ ଅଭିଭାବକଙ୍କ ମତାମତ ବାଧ୍ୟତାମୂଳକ ରହିଛି ।
ଏନେଇ ଡ଼ିଇଓ ଏବଂ ବିଇଓଙ୍କ ସହ ଜିଲ୍ଲାପାଳଙ୍କ ଏକ ବୈଠକ ବସିଥିଲା। ତେବେ ସ୍କୁଲରେ ଯେଭଳି ଭାବରେ କୌଣସି ଅସୁବିଧା ନହୁଏ ଓ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ କୌଣସି ବି ଅସୁବିଧା ଦେଖିଲେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଇଓ । ବିଜେବି କଲେଜର ପ୍ରିନ୍ସପାଲ କହିଛନ୍ତି ଯେ, ପିଲାଙ୍କର ପ୍ରଥମ କାର୍ଯ୍ୟ ଅଭିଭାବକଙ୍କର ଅନୁମତି ଆଣିଥିବା ଆବଶ୍ୟକ। କ୍ଳାସ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି । ଯେଉଁ ପିଲାମାନେ ଆସି ପାରିବେନି ସ୍କୁଲ ଓ କଲେଜକୁ ସେମାନଙ୍କ ପାଇଁ ୟୁଟ୍ୟୁବ କ୍ଳାସ ମାଧ୍ୟମରେ ପଢି ପାରିବେ। ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ କ୍ଳାସ ଚାଲିବ ଏବଂ ଆଇସୋଲେସନ ରୁମ ମଧ୍ୟ କରାଯାଇଛି । କଲେଜକୁ ପ୍ରବେଶ କରିବା ପୂର୍ବରୁ ଦୁଇଟି ଲାଇନ କରାଯାଇଛି । ସେଠାରେ ପିଲାଙ୍କୁ ସାନିଟାଇଜ ଓ ମାସ୍କ ଯାଞ୍ଚ କରାଯିବ ବୋଲି କହିଛନ୍ତି ବିଜେବି ଜୁନିଅର କଲେଜର ପ୍ରିନ୍ସିପାଲ ରଞ୍ଜନ ବଳ।