ଭୁବନେଶ୍ବର: ଆସନ୍ତା 3 ତାରିଖରୁ ରାଜ୍ୟରେ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ଓମିକ୍ରନ ମାମଲା ବୃଦ୍ଧି ଯୋଗୁଁ ସ୍କୁଲ ଖୋଲିବା ନେଇ ଦେଖାଦେଇଥିବା ଦ୍ବନ୍ଦର ସ୍ପଷ୍ଟୀକରଣ ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଆସନ୍ତା 3 ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ କ୍ଲାସ ଖୋଲୁଛି । ନୋଡାଲ ଅଫିସରମାନେ ଜିଲ୍ଲା ବୁଲୁଛନ୍ତି । DEO ଓ BEOଙ୍କ ସହ ସଚିବ ବୈଠକ କରିଛନ୍ତି । ସ୍କୁଲ ଖୋଲିବା ନେଇ କୌଣସି ଦ୍ବନ୍ଦ ନାହିଁ ବୋଲି ଆଜି(ଶୁକ୍ରବାର) କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
3ରେ ସ୍କୁଲ ଖୋଲିବା ପରେ 4 ତାରିଖରେ ଉପସ୍ଥାନ ନେଇ DEOଙ୍କ ସହ ମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିବେ । ସ୍କୁଲ ଆସିବାକୁ ଚାହୁଁନଥିବା ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢିପାରିବେ । ଭିତ୍ତିଭୂମିକୁ ନଜରରେ ରଖି ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ନିଆଯାଇଛି । ସ୍କୁଲ କ୍ୟାମ୍ପସକୁ ପରିଷ୍କାର ପରିଚ୍ଛନ୍ନ କରାଯାଇଛି । ଯେହେତୁ କୋରୋନା ଭୟ ରହିଛି ତେଣୁ ପିଲାଙ୍କୁ ଗହଳି ସ୍ଥାନରୁ ଦୂରେଇ ରଖିବାକୁ ଅଭିଭାବକଙ୍କୁ ମନ୍ତ୍ରୀ ନିବେଦନ କରିଛନ୍ତି।