ଭୁବନେଶ୍ବର:ସମସ୍ତ ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ । ଡିସେମ୍ବର 2021 ମଧ୍ୟରେ ସ୍କୁଲ ଗୃହର ପୁନଃଗଠନ ଏବଂ ରୂପାନ୍ତରଣ କାର୍ଯ୍ୟ ସହ 80ଟି ବାଳିକା ହଷ୍ଟେଲ ଗୃହ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ମାସିକ ସମୀକ୍ଷା ଭର୍ଚୁଆଲ ବୈଠକରେ ଏହା କହିଛନ୍ତି ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ।
ଆସନ୍ତା ଶିକ୍ଷାବର୍ଷ ଜୁନ୍ ମାସରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂତନ ଅଟ୍ଟାଳିକାରେ ପାଠପଢ଼ା କାର୍ଯ୍ୟ ଆରମ୍ଭ କରିବାକୁ ଗୁରୁତ୍ୱ ଦିଆଯାଉଛି । ବିରିଡ଼ି, ଅସ୍ତରଙ୍ଗ, ଝାରବନ୍ଧ(ବରଗଡ଼) ପ୍ରଭୃତି ସ୍ଥାନରେ ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ହୋଇନଥିବାରୁ ସଚିବ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ୍ରେ ନୂତନ ସ୍ଥାନ ଚିହ୍ନଟ କରି କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ।
ଆସନ୍ତା ଶିକ୍ଷାବର୍ଷ ପ୍ରାରମ୍ଭରେ 86ଟି ଛାତ୍ରୀନିବାସ କାର୍ଯ୍ୟକ୍ଷମ କରାଯିବ । ଏଥି ସହିତ ଯେଉଁ ଆଦର୍ଶ ବିଦ୍ୟାଳୟର ପ୍ରାଚୀର ନାହିଁ ସେହି ସ୍କୁଲର ପ୍ରାଚୀର ନିର୍ମାଣ କରିବା ପାଇଁ ନିର୍ମାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ମାଣ ବିଭାଗ ସମସ୍ତ ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମି ଯୋଗାଇଦେବା ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ଵାରା ଅତିରିକ୍ତ ବଜେଟ୍ରେ ଅର୍ଥ ବ୍ୟବସ୍ଥା କରାଯାଇପାରିବ । ଭୁବନେଶ୍ଵର ଅନ୍ଧାରୁଆରେ ନିର୍ମାଣ ହେବାକୁ ଥିବା ମଡେଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଆନୁଷଙ୍ଗିକ ନକ୍ସା ଓ ଡିଜାଇନ୍ ପ୍ରସ୍ତୁତ ହୋଇସାରିଛି । ଯଥାଶୀଘ୍ର ଓବିସିସି ମାଧ୍ୟମରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ 2023 ମସିହା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଉକ୍ତ ଉତ୍କର୍ଷ ଆଦର୍ଶ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ 500 ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ମାନର ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କର ଲକ୍ଷ୍ୟ ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀଙ୍କ ସମେତ ନିର୍ମାଣ ମୁଖ୍ୟଯନ୍ତ୍ରୀ ଓ ପରିମଳ ବିଭାଗ, ମୁଖ୍ୟଯନ୍ତ୍ରୀ ପ୍ରମୁଖ ଭର୍ଚୁଆଲ ମୋଡ୍ରେ ଯୋଗଦେଇଥିଲେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ