ଭୁବନେଶ୍ବର: ଚାକିରୀ ଦେବାକୁ କହି ଓଡିଶାରୁ ୨କୋଟି ଟଙ୍କାର ଠକେଇ । ଏହି ଠକକୁ ଧରିବାକୁ ଅର୍ଥନୈତିକ ଅପରାଧା ଶାଖା ପ୍ରୟାସ ଚଳାଇଛି । ଦୁଇ ହାଇ ପ୍ରୋଫାଇଲ ଠକଙ୍କ ନାଁରେ ଲୁକ ଆଉଟ ନୋଟିସ ଜାରି ହୋଇଛି । କୋଭିଡ ସମୟରେ ଗଞ୍ଜାମରେ ହୋଇଥିବା ଏହି ବଡ ଧରଣର ଚାକିରି ଦେବା ଆଳରେ ଠକେଇ ମାମଲାରେ ତିନିଜଣଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ପୁର୍ବରୁ ଦୁଇ ଠକ ଗଞ୍ଜାମର ଭିକୁ ବିଶୋଇ ଓ ଚେନ୍ନାଇର ମନିକନ୍ଦନ ନାଁରେ ଲୁକ ଆଉଟ ସର୍କୁଲାର ଜାରି ହୋଇଥିବା ବେଳେ ଏବେ ଆଉ ଜଣେ ଲେଡି ଠକ ନିଶା କଷ୍ୟପ ନାଁରେ ଲୁକ ଆଉଟ ଜାରି କରିଛି ବୋର୍ଡ ଅଫ ଇମିଗ୍ରେସନ। ନିଶା କଷ୍ୟପ ଗଞ୍ଜାମ ଠକ ଭିକୁ ବିଶୋଇର ପତ୍ନୀ ବୋଲି ଜାଣିବାକୁ ପାଇଛି ଇଓଡବ୍ଲୁ ଟିମ । ତେବେ ନିଶା କଷ୍ୟପ ପଞ୍ଜାବ ପୋଲିସ ପାଇଁ ମଧ୍ୟ ମୋଷ୍ଟ ଓ୍ବାଣ୍ଟେଡ ରହିଛି । ଭିକୁ ବିଶୋଇ ଓ ମନିକନ୍ଦନ ଠକିଥିବା ଟଙ୍କା ନିଶା କଷ୍ୟପ ଆକାଉଣ୍ଟ ଜରିଆରେ ଡାଇଭର୍ଟ ହୋଇଥିବା ଜାଣିବାକୁ ପାଇଛି EOW ।
ସୁଚନା ମୁତାବକ, ଗଞ୍ଜାମର ଭିକୁ ବିଶୋଇ ଓ ଚେନ୍ନାଇର ମନିକନ୍ଦନ ଦୁହେଁ କୋରୋନା ସମୟରେ ବେକାରୀ ସମସ୍ୟା ବୃଦ୍ଧି ପାଉଥିବା ଦେଖି ଠକାମିର ଜାଲ ବିଛାଇଥିଲେ । କିନି ଇନଫୋଟେକ ଭଳି ଅନେକ ଜାଲି କମ୍ପାନି ଖୋଲି ଘରେ ବସି କାମ କରିବା ଭଳି ଚାକିରି ଦେବାର ସୁଯୋଗର ଲୋଭନୀୟ ଅଫର ଦେଉଥିଲେ । ଗଞ୍ଜାମ ଭଞ୍ଜନଗରରେ ଅଫିସ ଖୋଲି ଲୋକଙ୍କୁ ଏପରି ଅଫର ଦେଉଥିଲେ । ଯାହାକୁ ନେଇ ଅନେକ ଶିକ୍ଷିତ ଯୁବକ କାମ ପାଇବା ଆଶାରେ ଏହି କମ୍ପାନିର ସ୍କିମରେ ପଡି ଠକାମୀର ଶିକାର ହୋଇଥିଲେ । ଘରେ ବସି ଅଫଲାଇନ ବା ଅନଲାଇନରେ ଡାଟା ଏଣ୍ଟ୍ରି, ଟେଲି କଲି ଭଳି ଅନେକ କାମସହ 25ହଜାର ଦେଲେ 37ହଜାର ଟଙ୍କାର କାମ ମିଳିବା ନେଇ ଲୋଭ ଦେଖାଇଥିଲେ । ଚାକିରୀ ଆଶାୟୀଙ୍କୁ ଏଥିପାଇଁ ପ୍ରଥମେ ଡିପୋଜିଟ କରି କାମ ଅର୍ଡର ନେବାର ସୁଯୋଗ ଦେଉଥିଲେ । ଏହାପରେ ଆଡଭାନ୍ସ ଟଙ୍କା ନେଇ ଆଉ ଧରାଛୁଆଁ ଦେଉନଥିଲେ ।