ଭୁବନେଶ୍ବର: ନେତାଜୀଙ୍କ 125ତମ ଜନ୍ମ ଶତବାର୍ଷିକୀ ଦେଶ ପାଳନ କରୁଛି l ଏହି ଅବସରରେ ଭିଏତନାମର ସାଇଗନସ୍ଥିତ ନୁଏନ ହୁଏ ଷ୍ଟ୍ରିଟରେ ଓଡ଼ିଆ ପୁଅ ସତ୍ୟ ସୁତାର ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l ଏହାସହ ସେଠାରେ ସେ ରାଷ୍ଟ୍ରୀୟ ସଂଗୀତ ଗାନ କରିଛନ୍ତି । ସେ ଚଳିତ ବର୍ଷ ଠାରୁ ପ୍ରତି ବର୍ଷ ନେତାଜୀ ଯାଇଥିବା ଭିନ୍ନ ଭିନ୍ନ ଦେଶକୁ ଯାଇ ଏଭଳି ଭାବେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ବୋଲି ତାଙ୍କର ମତ ରଖିଛନ୍ତି l
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଫକୀରପୁର ଗ୍ରାମର ଓଡ଼ିଆ ପୁଅ ସତ୍ୟ ସୁତାର । ସିଙ୍ଗାପୁରରେ ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ସେ କହିଛନ୍ତି, ମୁଁ ଓଡିଶା ଛାଡି ବିଦେଶ ଆସିବାର ପାଖାପାଖି ୧୦-୧୨ ବର୍ଷ ହୋଇଗଲାଣି । ଆଉ କିଛି ବର୍ଷ ପରେ ସବୁଦିନ ପାଇଁ ମୋ ଜନ୍ମଭୂମିକୁ ଫେରିଯିବି । କିନ୍ତୁ, ଓଡିଶା ଫେରିବା ପୂର୍ବରୁ ବିଦେଶରେ ଶେଷ ଇଚ୍ଛାର ପ୍ରଥମ ସୋପାନ ଚଳିତ ବର୍ଷ (୨୦୨୨) ଆରମ୍ଭ କରୁଛି ।
ଭାରତୀୟ ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ସୁଭାଷ ଚନ୍ଦ୍ର ବୋଷ । ଯାହାଙ୍କର ‘‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧିନତା ଦେବି’’ ଏବଂ ‘ଦିଲ୍ଲୀ ଚଲ୍ଲୋ’ ଭଳି ଆହ୍ବାନରେ ହଜାର ହଜାର ଦେଶପ୍ରେମୀ ନିଜ ଜୀବନକୁ ଦେଶ ମାତୃକା ପାଇଁ ଉତ୍ସର୍ଗ କରିଥିଲେ । ଯାହାଙ୍କ ନାଁ ଭାରତୀୟ ସ୍ବାଧୀନତା ସଂଗ୍ରାମ ଇତିହାସରେ ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ।