ଭୁବନେଶ୍ବର:ଆଜିକାଲି ଆକାଶରେ ଶନି ଗ୍ରହ ଆକର୍ଷଣୀୟ ଭାବରେ ଦୃଶ୍ୟମାନ ହେଉଛି । ଶନି ଏବଂ ପୃଥିବୀ ସୂର୍ଯ୍ୟ ଚାରିପଟେ ସେମାନଙ୍କ କକ୍ଷପଥରେ ଘୂରି ବୁଲୁଛନ୍ତି । ଆଜି ଉଭୟ ଗ୍ରହ ପରସ୍ପର ସହ ସବୁଠାରୁ ନିକଟତର ହେବେ । ଭାରତୀୟ ସମୟ ଦିନ ୧୧:୩୦ରେ ଏହା ଘଟିବ । ଶନି ଗ୍ରହ ପୃଥିବୀର ଅତି ନିକଟତର ହେଉଥିବାରୁ ଆଜିକାଲି ଏହା ବହୁତ ଉଜ୍ଜ୍ୱଳ ଦେଖାଯାଉଛି । ଏନେଇ ସୂଚନା ଦେଇଛନ୍ତି ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ।
ଆଜି ପୃଥିବୀର ନିକଟତମ ହେବ ଶନି - saturn close to earth
ଆଜି(ସୋମବାର) ପୃଥିବୀର ନିକଟତମ ହେବ ଶନି । ଭାରତୀୟ ସମୟ ଦିନ ୧୧:୩୦ରେ ଏହା ଘଟିବ । ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...
ସୂର୍ଯ୍ୟ ଅସ୍ତ ହେବା ସହ ଶନି ଗ୍ରହ ପୂର୍ବ ଦିଗବଳୟରେ ଉଦୟ ହେବ । ଶନି ଧିରେ ଧିରେ ପଶ୍ଚିମ ଦିଗକୁ ଗତି କରି ୧୨ ଘଣ୍ଟା ପରେ ଅର୍ଥାତ୍ ଭୋର ସମୟରେ ଅସ୍ତ ହେବ । ମେଘ ମୁକ୍ତ ପରିଷ୍କାର ଆକାଶରେ ଅଗଷ୍ଟ ମାସ ପ୍ରତି ରାତିରେ ସନ୍ଧ୍ୟା ଠାରୁ ସକାଳ ଯାଏଁ ଶନି ସହ ବୃହସ୍ପତି ଖାଲି ଆଖିରେ ଦେଖାଯିବ । ଶନି ପୃଥିବୀର ଅତି ନିକଟତର ହୋଇଥିବାରୁ ଖାଲି ଆଖିରେ ସାଧାରଣ ଦିନ ତୁଳନାରେ ଅଧିକ ଉଜ୍ଜଳ ଦେଖାଯିବ । ଏହାର ବଳୟ ଏବଂ ଉପଗ୍ରହ ସାଧାରଣ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ସୁନ୍ଦର ଦେଖାଯାଉଛନ୍ତି ବୋଲି ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।
ଶନି ଏବଂ ବୃହସ୍ପତି ଗ୍ରହ ଦୁଇଟି ରାତି ସାରା ବହୁତ ଉଜ୍ଜ୍ୱଳ ଦେଖାଯାଉଛନ୍ତି । ପୃଥିବୀଠାରୁ ଶନିର ଦୂରତା କ୍ରମାଗତ ଭାବରେ ବଦଳିଥାଏ । ଯେହେତୁ ଦୁଇଟି ଗ୍ରହ କ୍ରମାଗତ ଭାବରେ ବିଭିନ୍ନ ଗତିରେ ସୂର୍ଯ୍ୟ ଚାରିପଟେ ସେମାନଙ୍କର କକ୍ଷପଥରେ ଯାତ୍ରା କରନ୍ତି । ପୃଥିବୀ ସୂର୍ଯ୍ୟ ଚାରିପଟେ ଥରେ ଘୁରିବାକୁ ୩୬୫ ଦିନ ବା ଏକ ବର୍ଷ ସମୟ ନିଏ । ସେହିପରି ଶନି ସୂର୍ଯ୍ୟ ଚାରିପଟେ ଥରେ ଘୁରିବାକୁ ୨୯.୫ ବର୍ଷ ସମୟ ନିଏ । ତେଣୁ ପ୍ରତି ଏକ ବର୍ଷ ଏବଂ ୧୩ ଦିନରେ ଶନି ଏବଂ ପୃଥିବୀ ନିକଟତର ହୋଇଥାନ୍ତି । ଗ୍ରହ ଦୁଇଟି ସୂର୍ଯ୍ୟର ଗୋଟିଏ ପଟରେ ରୁହନ୍ତି । ପୃଥିବୀ ଶନି ଓ ସୂର୍ଯ୍ୟର ମଝିରେ ରହିଥାଏ । ଏହାକୁ ଇଂରାଜୀରେ ‘ଅପୋଜିସନ୍’ କୁହାଯାଏ । ସେ ସମୟରେ ପୃଥିବୀ ଓ ଶନିର ହାରାହାରି ଦୂରତା ୧୨୦ କୋଟି କିମି ରହିବ । ଯାହା ସୂର୍ଯ୍ୟ ଠାରୁ ପୃଥିବୀ ଦୂରତାର ପ୍ରାୟ ୮ ଗୁଣ ଅଧିକ ଅଟେ ।
ଅନ୍ୟ ପକ୍ଷରେ ଆଉ ଛ ମାସ ପରେ ପୃଥିବୀ ସୂର୍ଯ୍ୟର ପଛପାଖକୁ ଚାଲିଗଲେ, ପୃଥିବୀ ଓ ଶନିର ସର୍ବାଧିକ ଦୂରତା ୧୭୦ କୋଟି କିମି ହେବ । ଯାହା ସୂର୍ଯ୍ୟ ଠାରୁ ପୃଥିବୀ ଦୂରତାର ପ୍ରାୟ ୧୧ ଗୁଣ ଅଧିକ । ଗତବର୍ଷ ଜୁଲାଇ ୨୦ରେ ଶନି ପୃଥିବୀର ନିକଟତର ହୋଇଥିଲା । ଆଗାମୀ ୨୦୨୨ ମସିହା ଅଗଷ୍ଟ ୧୪ ତାରିଖରେ ପୁନର୍ବାର ଏପରି ଘଟିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ