ଭୁବନେଶ୍ବର: ବିଗତ ଦୁଇ ବର୍ଷ ମଧ୍ୟରେ କୋଭିଡ ମହାମାରୀ ଲୋକଙ୍କ ଜୀବନ ଏବଂ ଜୀବିକାକୁ ନଷ୍ଟ କରିଛି । କୋଟି କୋଟି ଚାକିରି ଚାଲିଯାଇଛି । ଅର୍ଥନୀତି ପଛେଇ ଯାଇଛି । ଲକଡାଉନ ପରେ ଗତ କିଛି ମାସ ହେଲା ଓଡିଶାର ଲୋକମାନେ ହରାଇଥିବା ଜୀବିକାର ପୁନରୁଦ୍ଧାର କରିବାକୁ ଚାହୁଁଛନ୍ତି । ଏଭଳି ସ୍ଥିତିରେ ବନ୍ଦ ଡାକରା ଯୋଗୁଁ ରୋଜଗାର ହରାଉଥିବା ଲୋକେ କଂଗ୍ରେସକୁ କ୍ଷମା କରିବେ ନାହିଁ । ଯୁବ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।
ସସ୍ମିତ କହିଛନ୍ତି ଯେ, ଗୁରୁତ୍ୱପୂର୍ଣ୍ଣ ସମୟରେ ଓଡିଶା କଂଗ୍ରେସ ଏକ ବନ୍ଦ ଡାକରା ଦେଇଛି । ଯାହା ଦ୍ୱାରା ଓଡିଶାର ୪.୫ କୋଟି ଲୋକଙ୍କ ଜୀବନ ଓ ଜୀବିକା ଉପରେ ଗୁରୁତର ପ୍ରଭାବ ପଡିଛି । ପରିବାର ଏକ ରୋଜଗାରିଆ ବଢିଲା ଝିଅକୁ ହରାଇଛି । ଏହି ଘଟଣାରେ ଆମେ ସମସ୍ତେ ଅତ୍ୟନ୍ତ ଦୁଃଖିତ । ଏହି ମାମଲାକୁ ରାଜନୀତିକରଣ ନ କରିବାକୁ ପରିବାର ଲୋକେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ତଦନ୍ତରେ ସେମାନେ ସନ୍ତୁଷ୍ଟ ଅଛନ୍ତି । ତଥାପି କଂଗ୍ରେସ ଏହି ମାମଲାରେ ହୀନ ରାଜନୀତି କରିବାକୁ ଓଡିଶା ବିଜେପି ସହ ହାତ ମିଳାଇଥିବା ଜଣାପଡିଛି । ଏହି ପ୍ରସଙ୍ଗରେ ଯଦି ଓଡିଶା କଂଗ୍ରେସ ନିକଟରେ କୌଣସି ପ୍ରମାଣ ଅଛି, ସେମାନେ କୋର୍ଟ ଯାଇ ନ୍ୟାୟ ଲୋଡିପାରିବେ । କିନ୍ତୁ ଏହା ବଦଳରେ ବନ୍ଦ ଡାକରା ଦେବା ଅତ୍ୟନ୍ତ ନିଷ୍ଠୁର ଆଚରଣ ।
ଏଥିରୁ ସ୍ପଷ୍ଟ ହୋଇଛି ଯେ ଓଡିଶା କଂଗ୍ରେସ ବର୍ତ୍ତମାନ ଓଡିଶା ବିଜେପିର ବି-ଟିମ୍ ଭାବେ କାର୍ଯ୍ୟ କରୁଛି । ଏହାର ଦୁର୍ବଳ ଆର୍ଥିକ ସ୍ଥିତି ହେତୁ ଓଡିଶା କଂଗ୍ରେସର କାର୍ଯ୍ୟକଳାପ ଓଡିଶା ବିଜେପିରୁ ଆର୍ଥିକ ସହାୟତା ପାଉଥିବା ଭଳି ଜଣାପଡୁଛି । ଯେକୌଣସି ପୃଷ୍ଠ ପୋଷକତା ବିନା ସର୍ତ୍ତରେ ଯେ ନୁହେଁ ତାହା ଆମେ ସମସ୍ତେ ଜାଣିଛେ ।