ଭୁବନେଶ୍ବର: ଆସନ୍ତାବର୍ଷ ଅର୍ଥାତ 2020 ଜାନୁଆରୀ ମାସ ପ୍ରଥମ ସପ୍ତାହରେ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ଶିଶିର ସରସ ମେଳା। ଯେଉଁଥିରେ ଓଡିଶା ସମେତ ଆଉ 25ଟି ରାଜ୍ୟରୁ ଉତ୍ପାଦକ ଗୋଷ୍ଠୀମାନେ ଯୋଗଦେଇ ସେମାନଙ୍କ ପ୍ରସ୍ତୁତ ସାମଗ୍ରୀ ବିକ୍ରିବଟା ଓ ପ୍ରଦର୍ଶନର ସୁଯୋଗ ପାଇବେ ବୋଲି ଜଣାପଡିଛି।
ଶୁକ୍ରବାର ଏନେଇ ରାଜ୍ୟ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପ୍ରତାପ ଜେନା ଏହାର ସୂଚନା ଦେଇଛନ୍ତି। ଆସନ୍ତା 4 ତାରିଖରେ ଏହି ମେଳା ଉଦ୍ଘାଟିତ ହେବାକୁ ଥିବାବେଳେ ସେହି ମାସର 14 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଛନ୍ତି। ଏଥିରେ ସମୁଦାୟ 300ଟି ଷ୍ଟଲରେ ହସ୍ତତନ୍ତ, ଟେରାକୋଟା, ବୟନଶିଳ୍ପ ସାମଗ୍ରୀ, ବନଜାତ ଦ୍ରବ୍ୟ, ବାଉଁଶ ଓ ଝୋଟ ଶିଳ୍ପ ସାମଗ୍ରୀ, ଟସର, କାଶ୍ମୀର ଶୀତବସ୍ତ୍ର ଏବଂ ଖାଦ୍ୟ ସାମଗ୍ରୀର ଷ୍ଟଲ ଉପଲବ୍ଧ ହେବ ବୋଲି ଜଣାପଡିଛି ।