ଓଡିଶା

odisha

By

Published : Nov 19, 2021, 10:22 PM IST

ETV Bharat / city

କୃଷକ ଆନ୍ଦୋଳନ ପାଇଁ ଐତିହାସିକ ବିଜୟ: ସଂଯୁକ୍ତ କିଷାନ ମୋର୍ଚ୍ଚାର ସ୍ବାଗତ

ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ଏହି ଶହୀଦ୍ କୃଷକ ମାନଙ୍କ ପ୍ରତି ତାଙ୍କ ସମବେଦନା ପ୍ରକାଶ ନକରିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରକାଶ କରିଛି । ଅଧିକ ପଢନ୍ତୁ

କୃଷକ ଆନ୍ଦୋଳନ ପାଇଁ ଐତିହାସିକ ବିଜୟ: ସଂଯୁକ୍ତ କିଷାନ ମୋର୍ଚ୍ଚାର ସ୍ବାଗତ
କୃଷକ ଆନ୍ଦୋଳନ ପାଇଁ ଐତିହାସିକ ବିଜୟ: ସଂଯୁକ୍ତ କିଷାନ ମୋର୍ଚ୍ଚାର ସ୍ବାଗତ

ଭୁବନେଶ୍ବର:ଦେଶର କୃଷକ ଏବଂ ସେମାନଙ୍କର ସଂଗଠନମାନଙ୍କ ସହ କୌଣସି ବିଚାର ବିମର୍ଷ ନକରି ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ କେନ୍ଦ୍ର ସରକାର ଆଣିଥିବା କର୍ପୋରେଟ୍ ସପକ୍ଷବାଦୀ, କୃଷକ ବିରୋଧୀ ତିନି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ତାହା କୃଷକ ଆନ୍ଦୋଳନ ପାଇଁ ଐତିହାସିକ ବିଜୟ ଅଟେ । ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରଧାନମନ୍ତ୍ରୀଙ୍କ ଏହି ସଦ୍ୟତମ ଘୋଷଣାକୁ ସ୍ବାଗତ କରିବା ସହ ସଂସଦର ଆଗାମୀ ଅଧିବେଶନରେ ଉପଯୁକ୍ତ ସଂସଦୀୟ ପ୍ରକ୍ରିୟା ଜରିଆରେ ସେସବୁର ସଂପୂର୍ଣ୍ଣ ପ୍ରତ୍ୟାହାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସ୍ଥିର କରାଯାଇଛି ।

ସଂସଦୀୟ ପ୍ରକ୍ରିୟା ସମାପନ ହେଲା ପରେ ସ୍ଵାଧୀନ ଭାରତ ଇତିହାସରେ ଏହା ଏକ ଐତିହାସିକ ବିଜୟ ଭାବେ ସମଗ୍ର ଗଣତାନ୍ତ୍ରିକ ଆନ୍ଦୋଳନକୁ ପ୍ରଭାବିତ କରିବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ କୁହାଯାଇଛି । ଏହି ଏକ ବର୍ଷ ମଧ୍ୟରେ କୃଷକ ଆନ୍ଦୋଳନରେ ସାତ ଶହରୁ ଊର୍ଦ୍ଧ୍ବ କୃଷକ ବଳିଦାନ ଦେଇ ଶହୀଦ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ଏହି ଶହୀଦ୍ କୃଷକ ମାନଙ୍କ ପ୍ରତି ତାଙ୍କ ସମବେଦନା ପ୍ରକାଶ ନକରିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରକାଶ କରିଛି ।

ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରଧାନମନ୍ତ୍ରୀକୁ ମନେପକାଇ ଦେବାକୁ ଚାହୁଁଛି ଯେ, ଏହି ତିନି କୃଷି ଆଇନ ପ୍ରତ୍ୟାହାର ସହିତ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ଆଇନଗତ ଗ୍ୟାରେଣ୍ଟି କରିବା ଆନ୍ଦୋଳନର ଅନ୍ୟତମ ପ୍ରମୁଖ ଦାବି ଥିଲା । ଏହା ସହିତ ଜନବିରୋଧୀ ବିଦ୍ୟୁତ ବିଲ୍‌-୨୦୨୦କୁ ପ୍ରତ୍ୟାହାର କରିବା ପାଇଁ ସରକାର ଏଯାଏଁ ଘୋଷଣା କରିନାହାନ୍ତି । କୃଷକ ମାନଙ୍କର ଦୀର୍ଘତମ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଫଳରେ ପ୍ରଧାନମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି, ତାକୁ କାର୍ଯ୍ୟକାରୀ କରିବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚାର ଅଭିଯାନ ଜାରି ରହିବ ବୋଲି ଘୋଷଣା କରାଯାଇଛି । ଏହି ପରିପେକ୍ଷୀରେ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ଛକଠାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଏକ ଶୋଭାଯାତ୍ରା ଏବଂ ପଟୁଆର କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା । ଉପରୋକ୍ତ ଦାବି ଗୁଡିକ ନେଇ ୨୬ ନଭେମ୍ବରରେ କୃଷକ ଏବଂ ଶ୍ରମିକ ମାନଙ୍କର ମିଳିତ ସମାବେଶ ରାଜ୍ୟବ୍ୟାପୀ ସଂଗଠିତ କରିବା ପାଇଁ ଘୋଷଣା କରାଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details