ଭୁବନେଶ୍ବର: ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ନିର୍ମାଣାଧୀନ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା । ସିପସରୁ ବାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମେତ ଲୁଣାନଦୀ ଉପରେ ନିର୍ମାଣାଧୀନ ନିଖୁଳାଗୋବିନ୍ଦପୁର - ମାଝିପଡ଼ା ସେତୁ କାର୍ଯ୍ୟର ସମୀକ୍ଷା କରିଛନ୍ତି ସଞ୍ଜୟ ।
ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ସିପସରୁ ବାଲିରେ ନିର୍ମାଣ ହେଉଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟର । ୪ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଏହି ଆଦର୍ଶ ବିଦ୍ୟାଳୟର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ । ବିଦ୍ୟାଳୟର ପ୍ରଥମ ମହଲା ଚଳିତ ମାସ ଶେଷ ସୁଦ୍ଧା ପୂର୍ଣ୍ଣାଙ୍ଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସଞ୍ଜୟ । ଚଳିତ ଶିକ୍ଷାବର୍ଷରେ ଯେଉଁଭଳି ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିପାରିବେ ସେଥିପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଲୁଣାନଦୀ ଉପରେ ୮ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ନିଖୁଳାଗୋବିନ୍ଦପୁର - ମାଝିପଡ଼ା ସେତୁର ବିଳମ୍ବକୁ ନେଇ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହି ସେତୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି । ସେହିପରି ଦକ୍ଷିଣ କାଣିଆ ଉପରେ କୁଅପଦାଠାରେ ନିର୍ମିତ ହେଉଥିବା ସେତୁ ଏବଂ ଭାର୍ଗବୀ ନଦୀ ଉପରେ ବାଲିକେରା ତିନିକୁଦିଠାରେ ନିର୍ମାଣାଧୀନ ସେତୁର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଛି ।