ଓଡିଶା

odisha

ETV Bharat / city

ସରକାରଙ୍କୁ ଶୁଭୁନି ସମ୍ପଦଙ୍କ ଡାକ - ପକ୍କାଘର ଖଣ୍ଡେ

ବାଟବଣା ସରକାରୀ ଯୋଜନା । ଯୋଗ୍ୟ ଅଯୋଗ୍ୟ ଚୟନରେ ପେସି ହେଉଛନ୍ତି ଅସହାୟ ପରିବାର । ପକ୍କା ଘର ଖଣ୍ଡିଏ ପାଇଁ ଦୌଡି ଦୌଡି ନୟାନ୍ତ ସମ୍ପଦ ... ଅଧିକ ପଢନ୍ତୁ

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 13, 2019, 10:47 PM IST

ଭୁବନେଶ୍ବର: ଦେଶରେ କି ରାଜ୍ୟରେ କେହିବି ଜଣେ ବାସହୀନ ରହିବେ ନାହିଁ । ସମସ୍ତ ବାସହୀନଙ୍କୁ ଘର ଯୋଗାଇ ଦିଆଯିବ । ଏହାସହ ପ୍ରାଥମିକତା ଭିତ୍ତିରେ ଗରୀବ ଓ ଅତ୍ୟନ୍ତ ଜୁରୁରୀ ଥିବା ଲୋକଙ୍କୁ ଘର ଯୋଗାଇ ଦିଆଯିବ । ଆଉ ଯେଉଁଥିପାଇଁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଯୋଜନା କାର୍ଯ୍ୟକାରୀ ହେଉଛି । ହେଲେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ । ନା ଅଗ୍ରାଧିକାର ଭିତରେ ଘର ଯୋଗାଇ ଦିଆଯାଉଛି । ନା ଯୋଗ୍ୟ ଲୋକଙ୍କୁ ମିଳୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଏମିତି ଏକ ସାଂଘାତିକ ସରକାରୀ ଅବହେଳା ଅଭିଯୋଗ ହୋଇଛି ପୁରୀ ଜିଲା କାକଟପୁର ବ୍ଲକର ଲଲତାହରଣ ପଞ୍ଚାୟତର ହରିନବାବି ଗାଁରେ । ଗାଁରେ ବାସ କରନ୍ତି ସମ୍ପଦ ସେନାପତି । ବୟସ 57 ପେଶାରେ ଜଣେ ଦିନ ମଜୁରିଆ । ପରିବାର କହିଲେ ପତ୍ନୀ 3ଟି ସନ୍ତାନ ଓ ରୋଗୀଣା ମା । ତହିଁରେ ପୁଣି ସମ୍ପଦ ମାନସିକ ବିକାରଗ୍ରସ୍ତ । ଦିନ ମଜୁରି କଲେ ଯାଇ ହିଁ ଘରେ ଚାଉଳ ଫୁଟେ । ଆଉ ଘର କଥା ପଚାରେ କିଏ । ଆଉ ଏହି ଅଭାବି ପରିବାର ଯେମିତି ସେମିତି ଚଳିଯାଉଥିଲେ । ହେଲେ ଗତ ଫନି ବାତ୍ୟାରେ ଥିବା ଝାଟିମାଟି ଘର ମଧ୍ୟ ଧ୍ବଂସ ପାଇଗଲା ।

ହେଲେ ସରକାର ଘୋଷଣା କରିଥିବା ସହାୟତା ନା ସମ୍ପଦଙ୍କୁ ମିଳିଛି ନା ଘର ଖଣ୍ଡିଏ ଦେଲେ ସରକାର । ଖାଲି ସମ୍ପଦ ନୁହଁନ୍ତି ସାରା ରାଜ୍ୟରେ ଏମିତି ବହୁ ଅଭାବୀ ଅସହାୟ ପରିବାର ଅଛନ୍ତି ଯେଉଁମାନେ ଘର ଖଣ୍ଡେପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ ସରକାରଙ୍କ ପାଖରେ ପହଞ୍ଚୁ ନାହିଁ । ତେବେ ଏଥିରୁ ସ୍ପଷ୍ଟ ସରକାର କହୁଥିବା ପ୍ରାଥମିକତା ଭିତ୍ତିରେ କାହାକୁ ଘର ଦେଉଛନ୍ତି ସରକାରଙ୍କୁ ହିଁ ଜଣା ।

ଅନ୍ୟପଟେ ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି ସମସ୍ତ ବାସହୀନଙ୍କୁ ସରକାର ଘର ଯୋଗାଇଦେବାକୁ ସରକାର ବଦ୍ଧ ପରିକର । ଏଥିପାଇଁ ସାରା ଓଡିଶାରେ ସର୍ଭେ ଚାଲିଛି ବହୁ ଲୋକ ଘର ପାଇ ନାହାଁନ୍ତି । ରାଜ୍ୟରେ ଏବେ 30ଲକ୍ଷ ପରିବାର ଅଛନ୍ତି ଯେଉଁମାନେ ଘରପାଇନାହାଁନ୍ତି । ଚଳିତ ବର୍ଷ 8ଲକ୍ଷ 50ହଜାର ଲୋକଙ୍କୁ ସରକାର ଘର ଯୋଗାଇ ଦେବେ ବୋଲି ମନ୍ତ୍ରୀ କହିଛନ୍ତି ।

ହେଲେ ସମ୍ପଦଙ୍କ ପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ତୁରନ୍ତ ଘର ଖଣ୍ଡିଏ ଆବଶ୍ୟକତା ଅଛି । କେବେ ସରକାର ଏମାନଙ୍କୁ ଘରଯୋଗାଇ ଦେଉଛନ୍ତି ଏବେ ତାକୁ ଅପେକ୍ଷା ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details