ଓଡିଶା

odisha

ପଞ୍ଚାୟତ ନିର୍ବାଚନରେ ୧୨୫ ସିଟ୍ ହରାଇବେ ପଛୁଆବର୍ଗ !

By

Published : Nov 17, 2021, 7:11 AM IST

ରାଜ୍ୟ ସରକାର ପ୍ରକାଶ କରିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାକୁ ନେଇ ଅସନ୍ତୁଷ୍ଟ ସମାଜବାଦୀ ପାର୍ଟି । ଏଥର ପଛୁଆବର୍ଗଙ୍କ ପାଇଁ ଆସନ କମ୍ କରାଯାଇଥିବା ଅଭିଯୋଗ କରିଛି ଦଳ । ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନ ସଂରକ୍ଷଣକୁ ନେଇ ଅସନ୍ତୁଷ୍ଟ ସମାଜବାଦୀ ପାର୍ଟି
ପଞ୍ଚାୟତ ନିର୍ବାଚନ ସଂରକ୍ଷଣକୁ ନେଇ ଅସନ୍ତୁଷ୍ଟ ସମାଜବାଦୀ ପାର୍ଟି

ଭୁବନେଶ୍ବର: ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଆଗାମୀ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୨୦୧୭ ତ୍ରିସ୍ତରୀୟ ନିର୍ବାଚନ ତୁଳନାରେ ରାଜ୍ୟର ପଛୁଆବର୍ଗ ୨୦୨୨ ପଞ୍ଚାୟତ ନିର୍ବାଚନରେ ୱାର୍ଡମେମ୍ବରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ସବୁ ସ୍ଥାନରେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛି ସମାଜବାଦୀ ପାର୍ଟି ।

୯୨ ହଜାର ୱାର୍ଡ ମେମ୍ବର ନିର୍ବାଚନରେ ଓବିସିମାନେ ୨୬ହଜାର ସ୍ଥାନ ପାଇବା ବଦଳରେ ଏଥରକ ମାତ୍ର ୧୩ ହଜାର ପର୍ଯ୍ୟନ୍ତ ସ୍ଥାନ ପାଇଛନ୍ତି । ଫଳରେ ସେମାନେ ପାଖାପାଖି ୧୩ ହଜାର ସ୍ଥାନ ହରାଇଛନ୍ତି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା କହିଛନ୍ତି ଯେ, ବିଜେଡ଼ି ସରକାର ଗତ ଅଗଷ୍ଟ ମାସ ପାର୍ଲାମେଣ୍ଟ ଅଧିବେଶନ ସମୟରେ ପଛୁଆବର୍ଗଙ୍କୁ ୨୭ ଭାଗ ସ୍ଥାନ ସଂରକ୍ଷଣ ଦେବା ଓ ଜାତିଗତ ଜନଗଣନା କରିବା ଦାବିରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟି ଏହାର ସାଂସଦମାନେ ଯେଉଁ ଦାବି କରିଥିଲେ, ସେ ଦାବି ପ୍ରତି କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ।

ରାଜ୍ୟ ସରକାର ମଧ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ପତ୍ର ଦେବାପରେ ପଛୁଆବର୍ଗ ସଂରକ୍ଷଣ ନେଇ ଆଉ ଥରେ ବି ଦାବି ଦୋହରାଇ ନାହିନ୍ତି । ଯାହା ଫଳରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ୫୨ ଭାଗ ପଛୁଆବର୍ଗ ଯେଉଁମାନେ କି ୧୯୯୭, ୨୦୦୨, ୨୦୦୭, ୨୦୧୨ ଓ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨୭ ଭାଗ ସ୍ଥାନ ସଂରକ୍ଷଣ ପାଇଆସୁଥିଲେ । ସେମାନେ ଆଗାମୀ ୨୦୨୨ ନିର୍ବାଚନରେ ବହୁ ପରିମାଣରେ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି । ୨୭ ଭାଗ ସଂରକ୍ଷଣ ଯାଗାରେ ସେମାନେ କେଉଁଠି ୭ ତ କେଉଁଠି ୧୭ ଭାଗ ସଂରକ୍ଷଣ ପାଇବେ । ୮୫୩ ଟି ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚିତ ହେବାକୁ ଯାଉ ଥିବାବେଳେ ୨୭ ଭାଗ ସଂରକ୍ଷଣ ଯଦି ପଛୁଆବର୍ଗକୁ ଦିଆଯାଇଥାଆନ୍ତା ତେବେ ସେମାନେ ୨୨୯ ଟି ଆସନରେ ଲଢି ପାରିଥାନ୍ତେ ।

କିନ୍ତୁ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗର ପୁରୁଷମାନଙ୍କ ପାଇଁ ୪୯ ଟି ଓ ପଛୁଆବର୍ଗ ମହିଳାଙ୍କ ପାଇଁ ୫୫ ଟି ସଂରକ୍ଷଣ ହୋଇଛି । ଏହିଭଳି ମୋଟ୍ ଉପରେ ରାଜ୍ୟରେ ପଛୁଆବର୍ଗଙ୍କ ପାଇଁ ମାତ୍ର ୧୦୪ଟି ଆସନ ସଂରକ୍ଷିତ କରାଯାଇଛି । ଫଳରେ ରାଜ୍ୟର ୫୨ଭାଗ ପଛୁଆବର୍ଗ ତାଙ୍କର ସାମ୍ବିଧାନିକ ହକ୍ ଓ ଅଧିକାରରୁ ବଞ୍ଚିତ ହେବାକୁ ଯାଉଛନ୍ତି ।

୨୨୯ଟି ଜିଲ୍ଲା ପରିଷଦ ସ୍ଥାନରେ ପଛୁଆବର୍ଗର ପ୍ରାର୍ଥୀମାନେ ମାତ୍ର ୧୦୪ଟି ଆସନରେ ଲଢିବାକୁ ସକ୍ଷମ ହେବେ । ଏହା ନିଶ୍ଚିତ ଭାବରେ ପଛୁଆବର୍ଗ ସ୍ଵାର୍ଥର ପରିପନ୍ଥୀ । ତେଣୁ ନିଜର ହକ୍ ଓ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତୃଣମୂଳସ୍ତରରେ ଗଣତନ୍ତ୍ରକୁ ସୁଦୃଢ କରିବାର ସ୍ଵପ୍ନ ଦେଖୁଥିବା ଏବଂ ସଂଗ୍ରାମ ପାଇଁ ପ୍ରତିଶ୍ରୁତିବଦ୍ଧ ପ୍ରତ୍ୟେକ ଭାଇ ଭଉଣୀ ଏକାଠି ହୋଇ ନିଜର ସାମ୍ବିଧାନିକ ଅଧିକାର ପାଇଁ ଆଗେଇ ଆସିବାକୁ ରବି ଆହ୍ବାନ ଦେଇଛନ୍ତି । ଆଗାମୀ ସଂସଦ ଅଧିବେଶନ ସମୟରେ ରାଜ୍ୟର ସାଂସଦମାନେ ପଛୁଆବର୍ଗ ସଂରକ୍ଷଣ ଆଇନ୍‌କୁ ସମ୍ବିଧାନର ନବମ ଅନୁଚ୍ଛେଦ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ଜୋରଦାର କରିବାକୁ ପଡିବ । ଆବଶ୍ୟକ ପଡ଼ିଲେ ସେଥିପାଇଁ ସମସ୍ତଙ୍କୁ ନେଇ ସଡ଼କରେ ସଂଗ୍ରାମ କରିବାକୁ ରାଜ୍ୟର ସାଂସଦମାନଙ୍କୁ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆହ୍ବାନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details