ଭୁବନେଶ୍ବର:ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିବା ପାଇଁ ଗତ ନଭେମ୍ବର ୩୦ ତାରିଖରେ ବିଦ୍ୟୁତ୍ ଯୋଗାଣ କମ୍ପାନୀଗୁଡ଼ିକ ପକ୍ଷରୁ ଓଇଆରସି ନିକଟରେ ଆବେଦନ କରାଯାଇଛି । ଏହାକୁ ବିରୋଧ କରିଛି ରାଜ୍ୟ ସମାଜବାଦୀ ପାର୍ଟି(samajbadi part) ଶାଖା । ବର୍ତ୍ତମାନ ରାଜ୍ୟରେ ୟୁନିଟ୍ ପିଛା ବିଦ୍ୟୁତ ଶୁଳ୍କ ୨ ଟଙ୍କା ୯୬ ପଇସା ରହିଛି । ଏହାକୁ ୟୁନିଟ୍ ପିଛା ୩ ଟଙ୍କା ୮୫.୨୧ ପଇସାକୁ ବୃଦ୍ଧି କରିବା ପାଇଁ କମ୍ପାନୀ ଓଇଆରସିକୁ ଦରଖାସ୍ତ କରିଛି । ଗ୍ରୀଡ଼କୋର ଆବେଦନକୁ ଗ୍ରହଣ କରି ଓଇଆରସି କେସ୍ ନଂ ୧୦୭/ ୨୧ରେ ରେଜେଷ୍ଟିଭୁକ୍ତ କରିଛି । ଯଦି ଏହି ଆବେଦନକୁ ଅନୁମୋଦନ କରାଯାଏ ତେବେ ରାଜ୍ୟ ଓଡ଼ିଶାରେ ବିଜୁଳି ଦର ଆକାଶଛୁଆଁ ହେବ । ଯାହାର ପରୋକ୍ଷ ପ୍ରଭାବ କେବଳ ଘରୋଇ ଗ୍ରାହକ ନୁହଁନ୍ତି, ରାଜ୍ୟର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଯଥେଷ୍ଟ ପ୍ରଭାବ ପକାଇବ ।
ଗତ ଆର୍ଥିକ ବର୍ଷରେ କୋରୋନାରେ ସମଗ୍ର ରାଜ୍ୟବାସୀ ଜୀବନ ଜୀବିକା ପାଇଁ ସଂଘର୍ଷ କରିଥିଲେ । ସେହି ସମୟରେ ରାଜ୍ୟ ସରକାର ଓ ବିଦ୍ୟୁତ୍ କମ୍ପାନୀମାନେ ଓଇଆରସିକୁ ଢାଲ କରି ବିଦ୍ୟୁତ୍ ଶୁଳ୍କ ୟୁନିଟ୍ ପିଛା ୫୦ ପଇସା ବୃଦ୍ଧି କରିଥିଲେ । ଏହାକୁ କୋରୋନା ସଂକ୍ରମଣ ଯୋଗୁଁ ରାଜ୍ୟବାସୀ ସହ୍ୟ କରିନେଲେ କିନ୍ତୁ ବର୍ତ୍ତମାନ ପରିସ୍ଥିତି ଭିନ୍ନ । ରାଜ୍ୟରେ ପାଖାପାଖି ୭୦୦ରୁ ୮୦୦ ୟୁନିଟ୍ ବଳକା ବିଜୁଳି ରହୁଛି । ୪୨୩୪ କୋଟି ଟଙ୍କା ଗ୍ରୀଡ଼କୋର ବିଦ୍ୟୁତ୍ ଶୁଳ୍କ ବହୁ ଗ୍ରାହକଙ୍କ ଉଉପରେ ବାକି ପଡ଼ିଛି । ତାକୁ ଆଦାୟ ନକରି ନିଜର ପରିଚାଳନାଗତ ତ୍ରୁଟି ଓ ଅପାରଗତାକୁ ଘଣ୍ଟ ଘୋଡ଼ାଇବା ପାଇଁ ଗ୍ରୀଡ଼କୋ ଏବଂ ବିଜୁଳି ଆବଣ୍ଟନ କମ୍ପାନୀମାନେ ରାଜ୍ୟର ସାଧାରଣ ଖାଉଟିଙ୍କ ଉପରେ ପ୍ରତିବର୍ଷ ବିଜୁଳି ଶୁଳ୍କ ବୃଦ୍ଧିର ବୋଝ ଲଦି ଚାଲିଥିବା ସମାଜବାଦୀ ପାର୍ଟି ଅଭିଯୋଗ କରିଛି ।
ଭାରତବର୍ଷରେ ୧୯୯୪ - ୯୫ ମସିହାରୁ ଓଡ଼ିଶା ପ୍ରଥମକରି ବିଦ୍ୟୁତ୍ ସଂସ୍କାର ଆରମ୍ଭ କରିଥିଲା । ବିଶ୍ଵବ୍ୟାଙ୍କରୁ ଋଣ ଆଣି ବିଦ୍ୟୁତ୍ ସଂସ୍କାର କରାଯାଇଥିଲା । ଏହି ସଂସ୍କାର ବା ବିଦ୍ୟୁତ ଘରୋଇ କରଣରେ ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ, ପରିବହନ ଓ ବାଣିଜ୍ୟିକ କ୍ଷତି ୫୬ ପ୍ରତିଶତରୁ ୨୦ ପ୍ରତିଶତକୁ କମାଇବା । ରାଜ୍ୟବାସୀଙ୍କୁ ଶସ୍ତା ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ଯୋଗାଇଦେବା । କିନ୍ତୁ ସେସବୁ ପ୍ରତିଶ୍ରୁତି ଆଜି ପ୍ରତିଶ୍ରୁତିରେ ରହିଯାଇଛି । ଏ.ପି.ସି. କ୍ଷତି ଆଜି ମଧ୍ୟ ବିଜୁଳି କମ୍ପାନୀମାନେ ପାଖାପାଖି ୨୫ରୁ ୨୯ ପ୍ରତିଶତ କରିଚାଲିଛନ୍ତି । ସେହି କ୍ଷତିକୁ ଭରଣା କରିବା ପାଇଁ ବିଦ୍ୟୁତ୍ ଶୁଳ୍କ ପ୍ରତିବର୍ଷ ବୃଦ୍ଧି ହୋଇଘଟିଛି । ଯଦି ଏକ ପ୍ରତିଶତ କ୍ଷତି କମାଯାଇପାରିବ, ତାହେଲେ ବିଦ୍ୟୁତ୍ କମ୍ପାନୀମାନେ ବାର୍ଷିକ ୭୫ରୁ ୮୦କୋଟି ଟଙ୍କା ସଞ୍ଚୟ କରିପାରିବେ । କିନ୍ତୁ ସେମାନେ ଆଜିପର୍ଯ୍ୟନ୍ତ ସେ କ୍ଷତି ଭରଣା କରିବା ପାଇଁ ସକ୍ଷମ ହୋଇପାରି ନାହାଁନ୍ତି ଯାହାର କୁଫଳ ରାଜ୍ୟର ୯୨ ଲକ୍ଷ ବିଜୁଳି ଉପଭୋକ୍ତାଙ୍କୁ ଭୋଗିବାକୁ ପଡ଼ୁଛି ।
ଗତ ବିଧାନସଭାରେ ଖଣ୍ଡପଡ଼ାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ଵାରା ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଖୋଦ୍ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ରାଜ୍ୟର ବିଜୁଳି କମ୍ପାନୀମାନଙ୍କର ୧୮ - ୧୯ରେ କ୍ଷତି ୩୦.୫୭ ଓ ୨୪.୨୫ , ୧୯ - ୨୦ରେ ୨୯.୪୮ ଓ ୧୭.୪୪ ଏବଂ ୨୦୨ - ୨୧ ଆର୍ଥିକ ବର୍ଷରେ ଏହି କ୍ଷତି ୨୭.୮୭ ଓ ୨୪.୧୭ ପ୍ରତିଶତ । ତେଣୁ କମ୍ପାନୀମାନେ ନିଜର ଅପରାଗତା, ଦୁର୍ନୀତି ଓ ଭିତ୍ତିଭୂମି ସଜାଡ଼ିବାର ବିଫଳତାର କ୍ଷତିକୁ ଗରାଖଙ୍କ ଉପରେ ଲଦି ଚାଲିଛନ୍ତି । ଯାହାଫଳରେ ପ୍ରତିବର୍ଷ ବିଦ୍ୟୁତ ଶୁଳ୍କ ମହଙ୍ଗା ହୋଇଚାଲିଛି ।
ପ୍ରସ୍ତାବିତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ସମାଜବାଦୀ ପାର୍ଟିର ବିରୋଧ - ଭୁବନେଶ୍ବର ଖବର
ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିବା ପାଇଁ ଗତ ନଭେମ୍ବର ୩୦ ତାରିଖରେ ବିଦ୍ୟୁତ୍ ଯୋଗାଣ କମ୍ପାନୀଗୁଡ଼ିକ ପକ୍ଷରୁ ଓଇଆରସି ନିକଟରେ ଆବେଦନ କରାଯାଇଛି । ଏହାକୁ ବିରୋଧ କରିଛି ରାଜ୍ୟ ସମାଜବାଦୀ ପାର୍ଟି (samajbadi part) ଶାଖା । ଅଧିକ ପଢନ୍ତୁ
ପ୍ରସ୍ତାବିତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ସମାଜବାଦୀ ପାର୍ଟିର ବିରୋଧ
କୋରୋନା ସଂକ୍ରମଣରୁ ଓଡ଼ିଶାବାସୀ ମୁକ୍ତି ପାଇନଥିବା ବେଳେ ଗ୍ରୀଡ଼କୋର ଏହି ପ୍ରସ୍ତାବିତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ । ତେଣୁ ଓଆରସି ଓ ରାଜ୍ୟ ସରକାର ତୁରନ୍ତ ଏଭଳି ଜନବିରୋଧୀ ନୀତିରୁ ବନ୍ଦ କରନ୍ତୁ । ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ତଥା ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘର ଆବାହକ ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ସତର୍କ କରାଇ ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ