ଓଡିଶା

odisha

By

Published : Jun 21, 2021, 2:12 PM IST

ETV Bharat / city

ବସ୍ତି ପିଲାଙ୍କ ସାହାରା ଶକୁ ଦିଦି, ମାଗଣାରେ ପଢାଉଛନ୍ତି ପାଠ

ବସ୍ତି ପିଲାଙ୍କ ଶିକ୍ଷାର ସାହାରା ଶକୁ ଦିଦି । ଭୁବନେଶ୍ବରର ସାହିକୁ ସାହି ବୁଲି ମାଗଣାରେ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି । ମାଗଣା ଶିକ୍ଷାଦାନ ସହ କରାଉଛନ୍ତି କୋରୋନା ସଚେତନତା । ଆଜିର ସ୍ବାର୍ଥପର ସମାଜରେ ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ସମସ୍ତେ ଖୁବ୍ ପ୍ରଶଂସା କରୁଛନ୍ତି । ଅଧିକ ପଢନ୍ତୁ...

ବସ୍ତି ପିଲାଙ୍କ ଶିକ୍ଷାର ସାହାରା ଶକୁ ଦିଦି, ମାଗଣାରେ ପଢାଉଛନ୍ତି ପାଠ
ବସ୍ତି ପିଲାଙ୍କ ଶିକ୍ଷାର ସାହାରା ଶକୁ ଦିଦି, ମାଗଣାରେ ପଢାଉଛନ୍ତି ପାଠ

ଭୁବନେଶ୍ବର: କୋରୋନା ମହାମାରୀ ଭଳି ଘଡ଼ିସନ୍ଧି ମୂହୂର୍ତ୍ତ ଦେଇ ସମସ୍ତେ ଗତି କରୁଛନ୍ତି । ପ୍ରାୟ ଦେଢ଼ ବର୍ଷ ହେଲାଣି ଶିକ୍ଷାକ୍ଷେତ୍ର ଗୁରୁତର ଭାବେ କୋରୋନାରେ ପ୍ରଭାବିତ ହୋଇଛି । ସ୍କୁଲ ଠାରୁ କଲେଜ ପର୍ଯ୍ୟନ୍ତ ସବୁଆଡ଼େ ଅନଲାଇନ ପାଠ ପଢ଼ା ଚାଲିଛି । ଟିକେ ପଇସାବାଲାଙ୍କ ପିଲା ସିନା ଅନଲାଇନ ପାଠପଢାରୁ ଉପକୃତ ହେଉଛନ୍ତି, ହେଲେ ଏଥିରୁ ପଛରେ ପଡିଛନ୍ତି ବସ୍ତି ପିଲା । ବସ୍ତିମାନଙ୍କରେ ଅନଲାଇନ ସୁବିଧା ନଥିବାରୁ ପିଲା ପାଠ ପଢିପାରୁନାହାନ୍ତି । ଏଭଳି ସମୟରେ ସେମାନଙ୍କୁ ପଢାଇବା ପାଇଁ ଆଗେଇ ଆସିଛନ୍ତି ଶକୁ ଦିଦି । ପାଠପଢ଼ା ସାଙ୍ଗକୁ ସେ କୋରୋନା ସଚେତନ ମଧ୍ୟ କରାଉଛନ୍ତି । ଗୋଟିଏ କି ଦୁଇଟି ସାହିରେ ନୁହେଁ ୮ ଟି ସାହିରେ ବୁଲି ବୁଲି ପାଠ ପଢ଼ାଉଛନ୍ତି ଶକୁ । ତାଙ୍କର ଏହି ମହତ୍ କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ବାଃ ବାଃ କରୁଛନ୍ତି ।

ବସ୍ତି ପିଲାଙ୍କ ଶିକ୍ଷାର ସାହାରା ଶକୁ ଦିଦି, ମାଗଣାରେ ପଢାଉଛନ୍ତି ପାଠ

ଭୁବନେଶ୍ବର ସାଲିଆ ସାହିର ୨୪ ବର୍ଷୀୟ ଯୁବତୀ ଶକୁନ୍ତଳା ନାୟକ । ଦୀର୍ଘ ଦିନ ହେବ ସ୍କୁଲ ଟିଉସନ ବନ୍ଦ ଥିବାରୁ ବସ୍ତି ପିଲାଙ୍କୁ ମାଗଣାରେ ଶିକ୍ଷାଦାନ ଦେଉଛନ୍ତି ସେ । 2019 ମସିହାରେ ଗ୍ରାଜୁଏସନ ସାରିବା ପରେ ବିଇଏଡ ଏବଂ ସିଟି ପାଇଁ ନିଜ ପ୍ରସ୍ତୁତ ହେବା ସହ ଦିନକୁ 3 ରୁ 4ଟି ବସ୍ତିକୁ ଯାଇ ପାଠ ପଢାଉଛନ୍ତି । ସାଲିଆ ସାହିର ମେ ଫାୟାର ବସ୍ତି, ବାଜପେୟୀ ନଗର, ମଙ୍ଗଳା ନଗର, ତାରିଣୀ ବସ୍ତି, ବିଷ୍ରା ବସ୍ତି, ଇଡକୋ ସାହି ଏବଂ ପ୍ରଧାନ ବସ୍ତିର ପିଲାମାନେ ପଢୁଛନ୍ତି ଶକୁନ୍ତଳାଙ୍କ ପାଖରେ । କେବଳ ପାଠ ପଢା ନୁହେଁ, ଚିତ୍ର ଅଙ୍କନ ଭଳି ସେ ବିଭିନ୍ନ କୌଶଳ ଶିକ୍ଷା ମଧ୍ୟ ଦେଉଛନ୍ତି । କୌଣସି ପିଲା ଯେପରି ଅର୍ଥଭାବରୁ ପାଠ ନ ଛାଡିବେ ସେଥିପାଇଁ ସେ ମାଗଣାରେ ଶିକ୍ଷାଦାନ କରୁଛନ୍ତି ।


ଶକୁନ୍ତଳାଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ । ତାଙ୍କର ବଡ଼ ପରିବାର ହୋଇଥିବାରୁ ପିଲାବେଳେ ତାଙ୍କ ବାପାମାଆ ତାଙ୍କୁ 'ସ୍ନେହ' ନାମକ ଏକ ଆଶ୍ରମରେ ଛାଡ଼ି ଦେଇଥିଲେ । ସେଠାରେ ଶକୁନ୍ତଳା ରହିବା ସହ ପାଠପଢ଼ା ପଢୁଥିଲେ । ଶକୁନ୍ତଳା କଲେଜରେ ପଢ଼ିବା ସମୟରୁ ସମାଜସେବା କାର୍ଯ୍ୟ କରି ଆସୁଛନ୍ତି । ସାହିରେ କୌଣସି ପରିବାରର କଳିଝଗଡ଼ା ହେଲେ ଶକୁନ୍ତଳା ଯାଇ ବୁଝାଇ ସମାଧାନ କରିଥାନ୍ତି । ଶକୁନ୍ତଳା କହିବାନୁଯାୟୀ ସେ ବହୁତ ଦୁଃଖ କଷ୍ଟରେ ପାଠ ପଢ଼ିଛନ୍ତି । ଯେମିତିକି କୌଣସି ପିଲା ଅର୍ଥଭାବରୁ ପାଠପଢ଼ା ଅଧାରୁ ନ ଛାଡ଼େ ସେଥିଲାଗି ମାଗଣାରେ ଶିକ୍ଷାଦାନ କରୁଛନ୍ତି । ପ୍ରାୟ ୫୦ ଜଣ ପିଲାଙ୍କୁ ଘରକୁ ଘର ଯାଇ ପାଠ ପଢାଉଛନ୍ତି ଶକୁନ୍ତଳା । ତାଙ୍କର ଏହି ପରୋପକାର ପାଇଁ ସମସ୍ତେ ତାଙ୍କୁ ବେଶ ପ୍ରଶଂସା କରିବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ଏବଂ ତାଙ୍କ ପଠା କ୍ଷେତ୍ରରେ ସରକାର ଆର୍ଥିକ ସହଯୋଗ କରନ୍ତୁ ବୋଲି ନିବେଦନ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details