ଭୁବନେଶ୍ବର:ଶରତ ପଟ୍ଟନାୟକ ନୂଆ ପିସିସି ସଭାପତି ହେବା ପରେ ଓଡ଼ିଶା ପିସିସିରେ ସବୁ କିଛି ଠିକଠାକ ଚାଲିଥିବା ନେଇ ଧାରଣା ସୃଷ୍ଟି ହୋଇଛି । କିନ୍ତୁ ଏହି ଧାରଣା ଅନେକାଂଶରେ ପୁଣି ଭୁଲ୍ ପ୍ରମାଣିତ ହୋଇଛି । କାରଣ ଶରତ ନୂଆ ପିସିସି ସଭାପତି ହେବା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ବରିଷ୍ଠ କଂଗ୍ରେସ ନେତା ତଥା କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏପର୍ଯ୍ୟନ୍ତ ଶରତଙ୍କ ଦ୍ଵାରା ଆୟୋଜିତ ନବ ସଂକଳ୍ପ ଶିବିର ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାନ୍ତି ।
ପ୍ରଦେଶ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ଛାୟା ଯୁଦ୍ଧ ! - କଂଗ୍ରେସରେ ଛାୟା ଯୁଦ୍ଧ
ଶରତ ପଟ୍ଟନାୟକ ନୂଆ ପିସିସି ସଭାପତି ହେବା ପରେ ଓଡ଼ିଶା ପିସିସିରେ ସବୁ କିଛି ଠିକଠାକ ଚାଲିଥିବା ନେଇ ଧାରଣା ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ
ବିଭିନ୍ନ ପ୍ରସଙ୍ଗରେ ମୋକିମ ଓ ନରସିଂହ ମାପିଚୁପି ନିଜ ପ୍ରତିକ୍ରିୟା ଦେଉଛନ୍ତି । ବାସ୍ତବରେ ଏମାନଙ୍କ ଭିତରେ କଣ ଚାଲିଛି ତାହା ଶରତ ବୁଝିବାକୁ ସମର୍ଥ କି ନୁହନ୍ତି ତାହାକୁ ନେଇ ଆଲୋଚନା ହେଲାଣି । ଦଳ ଭିତରେ ଆଉ ଏକ ଗୋଷ୍ଠୀ କନ୍ଦଳ କୁହୁଳିବାକୁ ଆରମ୍ଭ କରିଥିବା ଦଳର ଭିତରୀ ମହଲରୁ ଚର୍ଚ୍ଚା ଜୋର ଧରିଛି ।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ EDର ଘନଘନ ଜେରା ପରେ ଜାତୀୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ତାହାକୁ ନେଇ କଂଗ୍ରେସ ଶାସିତ ରାଜ୍ୟ ଗୁଡିକୁ ଓ ଦେଶର ପ୍ରମୁଖ କଂଗ୍ରେସ ନେତା ଓ ଛାମୁଆ ସଂଗଠନ ଗୁଡିକୁ ଯୋଡିବାକୁ AICC ଯୋଜନା କରି ଦେଶର ସମସ୍ତ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକିଛି । ତେବେ ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୭ ଜଣ ବିଧାୟକ ଦିଲ୍ଲୀ ଗସ୍ତ କରିଛନ୍ତି । ମୋକିମ ଓ ନରସିଂହ ଏଥିରେ ସାମିଲ ହୋଇନାହାନ୍ତି ।
ଏହି ଦୁଇ ନେତା କାହିଁକି ଦିଲ୍ଲୀ ଗସ୍ତ କଲେନି ତାହାକୁ ନେଇ କିଛି ବିଧାୟକଙ୍କ ମତରେ ଅନ୍ତର ରହୁଛି । ଏଥିରେ ଶରତଙ୍କ ପିସିସି ନିଯୁକ୍ତିରେ ଏ ଦୁଇ ନେତା ସନ୍ତୁଷ୍ଟ ନଥିବା ଆଲୋଚନା ହେଉଛି । ଏହା ବ୍ୟତୀତ ଓଡ଼ିଶା ବିଧାନସଭାର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକ ଦଳ ନେତା ପରିବର୍ତ୍ତନ କଂଗ୍ରେସର ଗୋଟିଏ ମହଲରେ ଦାବି ହେଉଛି । କାହାକୁ ଦଳ ବଡ଼ ଦାୟିତ୍ୱ ଦେବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ ।
2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଧାନସଭା ଭିତରେ ଓ ବାହାରେ ସରକାରୀ ଦଳ ସହ ମୁକାବିଲା କରିବା ପାଇଁ କଂଗ୍ରେସ ଗୋଟିଏ ନୂଆ ରଣକୌଶଳ ପ୍ରସ୍ତୁତ କରିବାକୁ ଚିନ୍ତା କରୁଛି । ଓଡ଼ିଶା କଂଗ୍ରେସ ଦୁଇ ଦଳରେ ବିଭକ୍ତ ହୋଇଥିବା ଆଲୋଚନା ହେଉଛି । ଟିମ୍ ନରସିଂହ ଶରତଙ୍କଠାରୁ ଦୁରେଇ ରହିଛି । ସେପେଟ ମୋକିମ ପିସିସି ସଭାପତି ହୋଇ ନପାରି ଅଭିମାନ କରିଥିବା ଆଲୋଚନା ହେଉଛି । ହେଲେ ଦଳର ବରିଷ୍ଠ ନେତା ଏହାକୁ ମାନିବାକୁ ନାରାଜ,ବ୍ୟକ୍ତିଗତ କାରଣ ହେତୁ ସେମାନେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିବା କଥା କହିଛନ୍ତି ।