ଭୁବନେଶ୍ବର: କେନ୍ଦ୍ରାପଡା ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ହତ୍ୟାକାଣ୍ଡକୁ 40 ଦିନ ବିତିଗଲାଣି। କିନ୍ତୁ ସେହି ଘଟଣାର ଯେପରି ତଦନ୍ତ ହେବା କଥା ପୋଲିସ ସେପରି ନ କରି ଏହାକୁ ଚପାଇ ଦେବାକୁ ଚେଷ୍ଟା କରୁଥିବା ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ କୁହାଯାଇଛି।
ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ଘଟଣା, ସିବିଆଇ ତଦନ୍ତ ଦାବି ଏପରିକି ଏହାର ତଦନ୍ତ ରିପୋର୍ଟକୁ ଡାକ୍ତରଙ୍କ ମାଧ୍ୟମରେ ନିଜ ସପକ୍ଷରେ ପ୍ରସ୍ତୁତ କରାଯାଇଥିବା ଅଭିଯାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଏହି ଘଟଣା ସହ ସମ୍ପୃକ୍ତ ଲୋକମାନେ ଖୁଲମଖୁଲା ଏକଥାକୁ ସ୍ବୀକାର କରୁଥିବାବେଳେ ପୋଲିସ ତଦନ୍ତ ନେଇ ଏମାନେ ପ୍ରଶ୍ନ କରିଛନ୍ତି। ତେଣୁ ପୋଲିସ ସେଠାକାର ରାଜନୈତିକ ବ୍ୟକ୍ତି ଓ ତାଙ୍କ ଦ୍ବାରା ପାଳିତ ଗୁଣ୍ଡା ଶ୍ରେଣୀର ଲୋକମାନଙ୍କ ଦ୍ବାରା ପରିଚାଳିତ ହେଉଥିବା ଏମାନେ କହିଛନ୍ତି।
ସରକାରଙ୍କ ‘5ଟି’ ର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନ କରିବା ସହ ଯଦି ସତରେ ‘ମୋ ସରକାର’ କାର୍ଯ୍ୟ କରୁଛି ତେବେ କଣ ପାଇଁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସମ୍ପୃକ୍ତ ପରିବାରକୁ ନ୍ୟାୟ ଦେଉନାହାନ୍ତି ବୋଲି ଅଭିଯାନ ପକ୍ଷରୁ କୁହାଯାଇଛି । ଗୋଟେ ପରେ ଗୋଟେ ସରକାରୀ ଦୋଷ ଦୁର୍ବଳତାକୁ ପଦାରେ ପକାଉଥିବା ସୂଚନା ଅଧିକାର କର୍ମୀମାନଙ୍କୁ ବିଭିନ୍ନ ଉପାୟରେ ସରକାର ରାସ୍ତାରୁ ହଟାଇ ଦେଉଛନ୍ତି। ତେଣୁ ଆଉ ଏ ସରକାର ଉପରେ ଭରସା ଆସୁ ନ ଥିବାରୁ ସୂଚନା ଅଧିକାର ଅଭିଯାନ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ଏହା ସହିତ ଆସନ୍ତା 19 ତାରିଖରେ ଓଡିଶାର ସୂଚନା ଅଧିକାର କର୍ମୀମାନେ ନବୀନ ନିବାସ ଘେରାଉ କରିବା ସହ ଜେଲଭରୋ ଆନ୍ଦୋଳନ କରିବେ ବୋଲି କୁହାଯାଇଛି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ