ଭୁବନେଶ୍ବର: ରାଜ୍ୟରେ ସୂଚନା ଅଧିକାରୀ କର୍ମୀମାନେ ବହୁତ ବିପଦରେ ଓ ଆଶଙ୍କାରେ ଜୀବନ ବିତାଉଛନ୍ତି । ଗୋଟିଏ ପରେ ଗୋଟିଏ ସୂଚନା ଅଧିକାରୀ ରାଜନୈତିକ ବ୍ୟକ୍ତି, ପୋଲିସ ଓ ମାଫିଆଙ୍କ ଦ୍ବାରା ସୁପରିକଳ୍ପିତ ଭାବେ ମାରି ଦିଆଯାଉଛି । ସରକାର ବ୍ୟବସ୍ଥାରେ ହେଉଥିବା ଦୁର୍ନୀତି ଓ ବାଟମାରଣାର ସୂଚନା ହାସଲ କରି ଏଥିରେ ସ୍ବଚ୍ଛତା ଆଣିବାକୁ ପ୍ରୟାସ କରୁଥିବା କର୍ମୀମାନଙ୍କୁ ଚାପ ପ୍ରୟୋଗ ତଥା ପ୍ରଲୋଭନ ଦେଖାଇ ନିବୃତ ରହିବାକୁ ବାଧ୍ୟ କରାଯାଉଥିବା ରାଜ୍ୟ ସୂଚନା ଅଧିକାର ଅଭିଯାନ ପକ୍ଷରୁ ଅଭିଯୋଗ କରାଯାଇଛି ।
ବିଗତ କିଛି ଦିନ ଭିତରେ ରାଜ୍ୟର ଦୁଇଜଣ ସୂଚନା ଅଧିକାର କର୍ମୀଙ୍କୁ ମାରି ଦିଆଯାଇଥିବାବେଳେ ପୋଲିସ ପ୍ରଶାସନ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଓଲଟି ସେମାନଙ୍କ ସହଯୋଗ କରୁଥିବା ଅଭିଯାନ ପକ୍ଷରୁ କୁହାଯାଇଛି । ଏପରିକି ସେମାନେ ଅଭିଯୋଗ କଲେ ମଧ୍ୟ ତାହାକୁ ଗୁରୁତ୍ବ ନ ଦେଇ କିପରି ତାହାର ରଫାଦଫା କରି ଚପାଇ ଦିଆଯିବ, ସେଥିପାଇଁ ପ୍ରଶାସନ ଆଗଭର ହେଉଥିବା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ କହିଛନ୍ତି ।