ଓଡିଶା

odisha

‘ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଭାରତୀୟଙ୍କ ପାଇଁ ମର୍ଯ୍ୟାଦାପୂର୍ଣ୍ଣ’

By

Published : Oct 18, 2019, 9:00 PM IST

ଅଯୋଧ୍ୟା ରାମମନ୍ଦିର ବିବାଦର ଫଳାଫଳ ହିନ୍ଦୁଙ୍କ ସପକ୍ଷରେ ଆସୁ ବୋଲି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସର କାର୍ଯ୍ୟନିର୍ବାହୀ ସୁରେଶ ଯୋଶୀ କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଅଯୋଧ୍ୟା ରାମମନ୍ଦିର ବିବାଦର ଫଳାଫଳ ହିନ୍ଦୁଙ୍କ ସପକ୍ଷରେ ଆସୁ ବୋଲି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସର କାର୍ଯ୍ୟନିର୍ବାହୀ ସୁରେଶ ଯୋଶୀ କହିଛନ୍ତି । ଏହା ସହିତ ନାଗରିକ ମାନଙ୍କ ହିତ ଦୃଷ୍ଟିରୁ ସାରା ଦେଶରେ ଏନଆରସି ଲାଗୁ ହେବା, ସମାନ ନାଗରିକ ସଂହିତା ପ୍ରଚଳନ ଏବଂ କାଶ୍ମୀର ପଣ୍ଡିତମାନେ ନିଜ ସ୍ଥାନକୁ ଯଥାଶୀଘ୍ର ବାହୁଡ଼ିବା ସହିତ ସୁରକ୍ଷିତ ଭାବରେ ବସବାସ କରିବା ସଂଘ ଚାହେଁ ବୋଲି ସେ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପରିସରରେ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ବୈଠକ ଅବସରରେ ସେ ଏହା ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପରିସରରେ ସଙ୍ଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ବୈଠକ ଅବସରରେ ଆୟୋଜିତ ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ସଂଘର ସର କାର୍ଯ୍ୟନିର୍ବାହୀ ସୁରେଶ ଯୋଶୀ କହିଛନ୍ତି, ଅଯୋଧ୍ୟାର ହିନ୍ଦୁ ମନ୍ଦିର ତିଆରି ହେବା ଭାରତର ପ୍ରତିଷ୍ଠା ପାଇଁ ତଥା ସମସ୍ତ ନାଗରିକଙ୍କ ପାଇଁ ଏକ ମର୍ଯ୍ୟାଦାର ପ୍ରଶ୍ନ । ତେବେ ଏହାର ଆପୋଷ ସମାଧାନ ପାଇଁ ଅନେକ ପ୍ରଚେଷ୍ଟା ଅତୀତରେ ହୋଇଥିଲା ଏବଂ ଏବେ ମଧ୍ୟ ହେଉଅଛି । ତେବେ ମଧ୍ୟସ୍ଥତା ଜରିଆରେ ସମାଧାନ ନ ହେବାରୁ ନ୍ୟାୟାଳୟକୁ ଗଲା । ଆସନ୍ତା ଏକ ମାସ ମଧ୍ୟରେ ଏହାର ଫଇସଲା ଆସିବାକୁ ଯାଉଛି । ତେବେ ଏହା ହିନ୍ଦୁଙ୍କ ସପକ୍ଷରେ ଆସୁ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଯୋଶୀ କହିଛନ୍ତି।

ଆସାମରେ ଏନଆରସି ଲାଗୁ ନେଇ ସରକାର ଘୋଷଣା କରିବା ପରେ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ତେବେ ସଂଘ ମଧ୍ୟ ସାରା ଦେଶରେ ଏନଆରସି ଲାଗୁ ହେବାକୁ ଚାହେଁ ବୋଲି ଯୋଶୀ ପ୍ରକାଶ କରିଛନ୍ତି । ଯେଉଁମାନେ ଭାରତର ନାଗରିକ ନୁହଁନ୍ତି ସେମାନଙ୍କ ପାଇଁ ସରକାର ପଲିସି ପ୍ରସ୍ତୁତ କରିବା ଦରକାର । କାରଣ ଅନୁପ୍ରବେଶକାରୀମାନେ ଭାରତୀୟ ନାଗରିକଙ୍କ ସୁବିଧା ସୁଯୋଗ ସରକାରଙ୍କ ଠାରୁ ପାଉଛନ୍ତି । ତେଣୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହିତ ସରକାରୀ ଯୋଜନାରୁ ସେମାନଙ୍କୁ ବାଦ ଦେବା ନିହାତି ଆବଶ୍ୟକ ଅଟେ ।

ସେହିପରି ବଙ୍ଗଳାର ମୁର୍ଶୀଦାବାଦରେ ହିନ୍ଦୁ ପରିବାର ସଦସ୍ୟଙ୍କୁ ହତ୍ୟା ଘଟଣା ନିନ୍ଦନୀୟ ଅଟେ । ପଶ୍ଚିମବଙ୍ଗ ଲୋକ ଶାନ୍ତିପ୍ରିୟ ହୋଇଥିବାବେଳେ ସେଠାକାର ସରକାର ନାଗରିକଙ୍କୁ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହୋଇଥିବା କହିଛନ୍ତି । ବିଗତ ଦିନରେ ସାମ୍ୟବାଦୀ ସରକାର ଥିବାବେଳେ ମଧ୍ୟ ଏହିପରି ଘଟଣା ସଂଗଠିତ ହେଉଥିଲା । ବର୍ତ୍ତମାନର ତୃଣମୂଳ ସରକାର ସମୟରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ଚିନ୍ତାଜନକ ବୋଲି ସେ ଉଲ୍ଲେଖ କରିଛନ୍ତି ।


କାଶ୍ମୀରରେ 370 ଧାରାର ବିଲୋପ ଘଟିଛି । ଏବେ କାଶ୍ମୀର ପଣ୍ଡିତମାନଙ୍କୁ ସେମାନଙ୍କ ମୂଳ ସ୍ଥାନକୁ ଫେରିଯାଇ ସୁରକ୍ଷିତ ଭାବରେ ବସବାସ କରିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ସେହିପରି ଅଖଣ୍ଡ ଭାରତ ସଂଘର ସ୍ବପ୍ନ ଅଟେ । ଭବିଷ୍ୟତରେ ଏହାର କଣ ସ୍ବରୂପ ରହିବ ତାହା ବର୍ତ୍ତମାନ କିଛି କହିହେବ ନାହିଁ । ତେବେ ଏହି ସ୍ବପ୍ନ ଏବେ ବି ଭାରତୀୟ ସଂସ୍କୃତି ସହିତ ଜଡିତ ଥିବା ସେ କହିଛନ୍ତି ।

ଯୋଶୀ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକଳାପ ବିଷୟରେ ଆଲୋକପାତ କରିବା ସହ ଅଧିକାଂଶରେ ଯୁବକ ସଂଘ ସହ ଜଡିତ ହେବାକୁ ଆଗ୍ରହ ପ୍ରକାଶ କରୁଥିବା କହିଛନ୍ତି । ସାରାଦେଶର ଗ୍ରାମାଞ୍ଚଳରେ ସଂଘ 59 ହଜାର ମଣ୍ଡଳ ଖୋଲିବାକୁ ଲକ୍ଷ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା 30 ହଜାର ମଣ୍ଡଳ କାର୍ଯ୍ୟ କରୁଥିବା ସେ କହିଛନ୍ତି । ସେହିପରି ଦେଶରେ ସଂଘ ଦ୍ବାରା 20 ହସ୍ପିଟାଲ କାର୍ଯ୍ୟ କରୁଥିବାବେଳେ ଚକ୍ଷୁଦାନ ଉପରେ ସଂଘ ବିଶେଷ କାର୍ଯ୍ୟକ୍ରମ କରୁଥିବା ସୂଚନା ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଚାର ପ୍ରମୁଖ ଅରୁଣ କୁମାର ଓ ସହ ପ୍ରଚାର ପ୍ରମୁଖ ନରେନ୍ଦ୍ର ଠାକୁର ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details