ଭୁବନେଶ୍ବର: ଭୟଙ୍କର ଅଗ୍ନିକାଣ୍ଡ ବେଳେ ମୁକାବିଲା କରିବ ରୋବୋ। ଅର୍ଥାତ ନିଆଁ ଲିଭାଇବ ଏହାସହିତ ଅଗ୍ନିଶମ କର୍ମଚାରିଙ୍କ ଆଖି ମୁଣ୍ଡ ସାଜି ମୁକାବିଲା କରିବାରେ ସହଯୋଗ କରିବ। ପେଟ୍ରୋଲ ପମ୍ପ ବିସ୍ଫୋରଣ ହେଉ ବା ଗ୍ୟାସ ବିସ୍ଫୋରଣ ଅସର୍ଯ୍ୟ ତାପମାତ୍ରାର ନିଆଁଝାସ ଭଳି ବିପଦପୂର୍ଣ୍ଣ ଜାଗାରେ ପହଞ୍ଚିବା ସହ ଅଗ୍ନିଶମ କର୍ମଚାରୀଙ୍କୁ ସହଯୋଗ କରିବ। ଲୋକଙ୍କୁ ଉଦ୍ଧାର ପାଇଁ ଜୀବନକୁ ବାଜି ଲଗାଇ ଅଗ୍ନିଶମ କର୍ମଚାରୀ ପହଞ୍ଚନ୍ତି ସତ, କିନ୍ତୁ କିଛି ଘଟଣାରେ ଆହତ ହେବାର ଉଦାହରଣ ରହିଛି । ଏହି ସମସ୍ୟାରୁ ମୁକୁଳିବା ପାଇଁ ନୂଆ ଉପାୟ ଆପଣାଇବାକୁ ଯୋଜନା କରୁଛନ୍ତି ଅଗ୍ନିଶମ ବାହିନୀ । ଏନେଇ ‘ରୋବୋଟିକ୍ ଫାୟାର ଫାଇଟିଂ ସିଷ୍ଟମ’ ଉପରେ ତର୍ଜମା କରାଯାଉଛି।
ଯାହାକୁ ନେଇ ବୁଧବାର ବରମୁଣ୍ଡାରେ ଥିବା ଓଡ଼ିଶା ଫାୟାର ଆଣ୍ଡ ଡିଜାଷ୍ଟର ରେସ୍ପୋନ୍ସ ଏକାଡେମୀରେ ଏହି ରିମୋଟ୍ ଚାଳିତ ରୋବୋଟିକ୍ ମେସିନ୍ର ଏକ ଡେମୋ କାର୍ଯ୍ୟକ୍ରମ ହୋଇଛି । ଅହମ୍ମଦାବାଦରୁ ଆସିଥିବା ଏକ ସ୍ବଦେଶି କମ୍ପାନୀ ଏହାର ଡେମୋ ଦେଖାଇଛନ୍ତି । ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀମାନେ ସେଠାରେ ଉପସ୍ଥିତ ରହି ସେ ସବୁର ତର୍ଜମା କରିଛନ୍ତି। ଯେକି ଜଣେ ଲିଡି ଫାୟାର ମ୍ୟାନପରି ପ୍ରଥମେ ଅଜ୍ଞାତ ସ୍ଥାନକୁ ଭିଷଣ ତାପମାତ୍ରାରେ ପହଞ୍ଚି କିପରି ନିଆଁ ଲାଗିଥିବା ସ୍ଥାନ ସହ ସେଠାରେ ଫସିଥିବା ଲୋକଙ୍କୁ କିପରି ଉଦ୍ଧାର ପାଇଁ କ୍ୟାମେରା ଜରିଆରେ ସୂଚନା ଦେଉଥିଲା ସେସବୁର ଗୋଟିଏ ରୋବୋଟିକର ଡେମୋ ଦେଖିବାକୁ ମିଳିଥିଲା।