ଭୁବନେଶ୍ବର: ଗତ ୭୦ ବର୍ଷ ଭିତରେ ଛୋଟ ସହରରୁ ବଡ ସହରରେ ପରିଣତ ହୋଇଛି ଭୁବନେଶ୍ବରର ମହାନଗର ନିଗମ। ଏଥିପାଇଁ ପ୍ରଶାସନ ନେଇଛି ଅନେକ ଉନ୍ନତିମୂଳକ ପ୍ରକଳ୍ପର କାମ । ଆଉ ଏହି ପ୍ରକଳ୍ପ ଆଧାରରେ ରାଜଧାନୀରେ ଚାଲୁଛି ଅହରହ ଖୋଳାଖୋଳି କାମ । କିନ୍ତୁ ବିଡମ୍ବନାର କଥା ହେଉଛି ଏସବୁ ଭିତରେ ବିଭାଗୀୟ ଅଧିକାରୀଙ୍କ ଖାମ ଖିଆଲି ମନୋଭାବ ହେଉ ବା ପ୍ରଶାସନିକ ତତ୍ପରତାର ଅଭାବ କାରଣରୁ ରାଜଧାନୀ ଭୁବନେଶ୍ବର ଏବେ ଖାଲ ଖମାର ସହର ପାଲଟିଯାଇଛି। ଯୁଆଡେ ଦେଖ ରାସ୍ତା ଖୋଳା ହୋଇ ପଡିଛି । ତେବେ ରାଜଧାନୀର ସୁନ୍ଦରପଦା ଅଞ୍ଚଳରେ ବି ଅବସ୍ଥା ସମାନ ପ୍ରକାରର । ସେଠାରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି, ଲୋକମାନେ ଆହତ ହେଉଛନ୍ତି ଗୁରୁତର ମଧ୍ୟ ହେଉଛନ୍ତି କିନ୍ତୁ ପ୍ରଶାସନ ଏ ବାବଦରେ ନିରବଦ୍ରଷ୍ଟା ସାଜିଛି ।
୧୯୪୯ ମସିହାରେ ଭୁବନେଶ୍ବର ଓଡ଼ିଶାର ରାଜଧାନୀ ପାଲଟିଥିଲା ଭୁବନେଶ୍ବର। ବର୍ତ୍ତମାନ ଭୁବନେଶ୍ବରରେ ମୋଟ ଜନସଂଖ୍ୟା ୧୨ ଲକ୍ଷରୁ ଅଧିକ। ଏହି ମହାନଗର ନିଗମର ୬୭ଟି ୱାର୍ଡ ରହିଛି । ଗୋଟିଏ ସମୟରେ ମାତ୍ର ୧୦ କିମି ପରିଧି ଭିତରେ ସୀମିତ ଥିଲା ଭୁବନେଶ୍ବର। ଏବେ ପ୍ରାୟ ୫୦ କିମି ବ୍ୟାସର୍ଦ୍ଧ ଭିତରେ ବଢିଛି ସହରର ଚେହେରା। କିନ୍ତୁ ସେହି ହିସାବରେ କିନ୍ତୁ ଲୋକମାନଙ୍କୁ ସୁବିଧା ମିଳୁନାହିଁ। ଉନ୍ନତି ନାଁରେ ରାସ୍ତାକୁ ଖୋଳାଯାଉଛି କିନ୍ତୁ ସଜାଡିବାକୁ ଦିନ ପରେ ଦିନ ଗଡି ଯାଉଛୁ । ଏନେଇ ସ୍ମାର୍ଟସିଟି କତ୍ତୃପକ୍ଷଙ୍କୁ ପଚାରିବାରୁ ଉତ୍ତର ଦେଇଛନ୍ତି ଆମେ ଚେଷ୍ଟା ଜାରି ରଖିଛୁ ,କାର୍ଯ୍ୟ ହେବା ପରେ ଆମେ ରାସ୍ତା ସଜାଡୁଛୁ ।