ଓଡିଶା

odisha

ETV Bharat / city

କଡା ହେଲା ସଡକ ସୁରକ୍ଷା ଅଭିଯାନ, ଫୋକସରେ ୨ ଚକିଆ ଯାନ - road accident in odisha

ସଡ଼କ ସୁରକ୍ଷା ନିୟମର କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ । ୨ ଚକିଆ ଯାନ ଉପରେ କଡ଼ା ନଜର ରଖିବାକୁ ପୋଲିସ୍ ଅଧିକାରୀ ଏବଂ ଆର୍.ଟି.ଓମାନଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ଅଧିକ ପଢନ୍ତୁ..

Road accident prevention meeting
Road accident prevention meeting

By

Published : Mar 8, 2021, 7:54 PM IST

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢିବାକୁ ଲାଗିଛି ସଡକ ଦୁର୍ଘଟଣାରେ ଜନଜୀବନହାନି ଘଟଣା । ଏହାକୁ ରୋକିବା ଲାଗି ସଡ଼କ ସୁରକ୍ଷା ନିୟମର କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦେଇଛନ୍ତି ନିର୍ଦ୍ଦେଶ । ପୋଲିସ୍ ଅଧିକାରୀ ଏବଂ ଆର୍.ଟି.ଓ ମାନଙ୍କୁ ଏ ନେଇ କଡା ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ୨ ଚକିଆ ଯାନ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।


ସଡକ ଦୁର୍ଘଟଣା ରୋକିବା ନେଇ ଆଜି ଲୋକସେବା ଭବନରେ ବସିଥିଲା ଏକ ଉଚ୍ଚସ୍ତରୀୟ ବୈଠକ । ଏଥିରେ ରାଜ୍ୟରେ ସଡ଼କ ନିରାପତ୍ତା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଲୋକସେବା ଭବନ ସଭାଗୃହରେ ଆୟୋଜିତ ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ସଡ଼କ ନିରାପତ୍ତା ସମ୍ବନ୍ଧିତ ସଦ୍ୟତମ ତଥ୍ୟ ଓ କାର୍ଯ୍ୟଯୋଜନା ଉପସ୍ଥାପନ କରିଛନ୍ତି । ଜିଲ୍ଲାପାଳ ଏବଂ ଏସ୍.ପି ମାନେ ଭିଡ଼ିଓ କନଫରେନ୍ସିଂରେ ନିଜ ନିଜ ଜିଲ୍ଲାରେ ନିଆଯାଉଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି ।

ଦ୍ରୁତ ଗାଡିଚାଳନା, ହେଲ୍‌ମେଟ୍ ପିନ୍ଧିବା ଆଦି ନିୟମକୁ କଡାକଡି ଲାଗୁ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ବର୍ଷ କ୍ରମାଗତ ଭାବେ ମୃତ୍ୟୁ ସଂଖ୍ୟା କମାଇବା ନିମନ୍ତେ ଜିଲ୍ଲାରେ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଜାତୀୟ ରାଜପଥ, ପୋଲିସ୍, ପରିବହନ ଅଧିକାରୀଙ୍କ ସମେତ ସଡ଼କ ନିରାପତ୍ତାରେ ଆଗ୍ରହୀ ସେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ରାଜପଥ ଏବଂ ଅନ୍ୟାନ୍ୟ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାଗୁଡିକର ସଂଯୋଗ ସ୍ଥାନ ଠିକ୍ ପୂର୍ବରୁ 'ରମ୍ବଲ'ର ଦେବା ସହ ସତର୍କ ସୂଚନା ଫଳକ ଲଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଦୁର୍ଘଟଣା ଘଟିବା ସ୍ଥାନରେ ଜୀବନ ସହାୟକ ଆମ୍ବୁଲାନ୍ସ ପହଞ୍ଚିବାର ସମୟକୁ କମାଇବା ଏବଂ ଆମ୍ବୁଲାନ୍ସ ଗୁଡିକର ରିଅଲ ଟାଇମ ପରିଚାଳନାକୁ ଅଧିକ ଲକ୍ଷଭେଦୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୬ ମସିହାରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ଅନ୍ୟାନ୍ୟ ମୁଖ୍ୟ ରାସ୍ତା ଆଦିରେ ଚିହ୍ନଟ ହୋଇଥିବା ୨୮୬ ଟି ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡିକର ଆଶୁ ସଂଶୋଧନ କାର୍ଯ୍ୟ ସରିଛି । ସେହିପରି ୨୦୧୭ ମସିହାରେ ଚିହ୍ନଟ ହୋଇଥିବା ୪୩୫ ଟି ଏବଂ ୨୦୧୮ ମସିହାରେ ଚିହ୍ନଟ ହୋଇଥିବା ୨୭୫ ଟି ବ୍ଲକ୍ ସ୍ପଟ୍ ଗୁଡିକର ମଧ୍ୟ ଆଶୁ ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ୨୦୧୯ ମସିହାରେ ୩୩୫ ଟି ବ୍ଲକ୍ ସ୍ପଟ୍ ଚିହ୍ନଟ ହୋଇଛି । ୨୦୧୯ ମସିହାରେ ଚିହ୍ନଟ ହୋଇଥିବା ବ୍ଲାକ୍ ସ୍ପଟ୍ ଗୁଡିକର ମରାମତି କାର୍ଯ୍ୟ ତୁରନ୍ତ ସାରିବା ପାଇଁ ମୁଖ୍ୟ ଶାସନ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଯୋଗୁ ପ୍ରତି ବର୍ଷ ଜି.ଡି.ପି.ର ପ୍ରାୟ ୩.୧୪ ଶତକଡା କ୍ଷତି ହେଉଛି । ଯାହାକି ପ୍ରାୟ ୪ ଲକ୍ଷ କୋଟି ଟଙ୍କା ସହ ସମାନ । ଏଥିରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୭୬ ଶତକଡା ହେଉଛନ୍ତି ୧୮ ରୁ ୪୫ ବର୍ଷ ବୟସ୍କ ଉତ୍ପାଦନକ୍ଷମ ବ୍ୟକ୍ତି । ଓଡ଼ିଶାରେ ସଡ଼କ ଦୁର୍ଘଟଣା ମୃତ୍ୟୁର ଶତକଡା ୪୧ ଭାଗ ହେଲ୍‌ମେଟ୍ ପିନ୍ଧିନଥିବା କାରଣରୁ ଘଟୁଛି । ଶତକଡା ୭୯ ଭାଗ ଦୁର୍ଘଟଣା ଦ୍ରୁତ ଗାଡି ଚାଳନା ଯୋଗୁ ଘଟୁଛି । ୨୦୧୯ ମସିହାରେ ପ୍ରାୟ ୨୩୯୭ ଜଣ ୨ ଚକିଆ ଯାନ ଚଲାଳୀ ହେଲମେଟ୍ ପିନ୍ଧିନଥିବା କାରଣରୁ ମସ୍ତିଷ୍କ ଆଘାତରେ ପ୍ରାଣ ହରାଇଛନ୍ତି । ୨୦୧୯ ମସିହାରେ ସମୁଦାୟ ୫୩୩୩ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ୨୦୨୦ ମସିହାରେ ସଡକ ଦୁର୍ଘଟଣା 11 ପ୍ରତିଶତ ହ୍ରାସ ପାଇଛି ।

ବୈଠକରେ କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ଅର୍ଥ ସଚିବ ଅଶୋକ କୁମାର ମୀନା, ଅତିରିକ୍ତ ପୋଲିସ୍‌ ନିର୍ଦ୍ଦେଶକ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଟ୍ଵିନ ସିଟି ପୋଲିସ୍ କମିଶନର ଡଃ ସୁଧାଂଶୁ ଷଢ଼ଙ୍ଗୀଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details