ଭୁବନେଶ୍ବର: ଝାରସୁଗୁଡ଼ାଠାରେ ପ୍ରସ୍ତାବିତ ୧୦୦ ଶଯ୍ୟାବିଶିଷ୍ଟ କାର୍ଡିଆକ କେୟାର ହସ୍ପିଟାଲ ନିର୍ମାଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ମଧ୍ୟ ଉପସ୍ଥିତ ଥିଲେ । ଝାରସୁଗୁଡ଼ାଠାରେ ପ୍ରସ୍ତାବିତ ୧୦୦ ଶଯ୍ୟାବିଶିଷ୍ଟ କାର୍ଡିଆକ କେୟାର ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏପ୍ରିଲ ୩୦ ତାରିଖ ସୁଦ୍ଧା ଏହା ସମ୍ପନ୍ନ ହେବ ।
ପ୍ରାୟ 6 ଏକର ଜମିରେ ପ୍ରତିଷ୍ଠା ହେଉଥିବା ଏହି ହସ୍ପିଟାଲ୍ର ବ୍ୟୟ ଅଟଳଳ ପ୍ରାୟ ୧୦୯ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଝାରସୁଗୁଡ଼ା ଜିଲ୍ଲାର ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ସଂପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଓଡ଼ିଶା ରାଜ୍ୟ ଔଷଧ ନିଗମ ତରଫରୁ କ୍ୟାଥ୍ ଲ୍ୟାବ୍ ପ୍ରତିଷ୍ଠା ପାଇଁ କ୍ରୟ ଆଦେଶ ଦିଆଯାଇଥିବାବେଳେ ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ଏହା ଯୋଗାଇ ଦିଆଯିବ ।
ପ୍ରାୟ ୮ ଏକର ପରିମିତ ଜାଗାରେ ମେଡିକାଲର ଡାକ୍ତର, କର୍ମଚାରୀଙ୍କ କ୍ବାଟର ଓ ନସିଂ ହଷ୍ଟେଲର ନିର୍ମାଣ କାର୍ଯ୍ୟ ସଂପନ୍ନ ହେବ । ସମସ୍ତ ନିର୍ମାଣ କାର୍ଯ୍ୟ ସରିବା ପରେ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବା ପାଇଁ ୬ ମାସ ସମୟ ଲାଗିବ । ସେହିପରି ଝାରସୁଗୁଡ଼ାଠାରେ ୧୨୦ ଶଯ୍ୟାବିଶିଷ୍ଟ ଏକ କ୍ୟାନସର କେୟାର ହସ୍ପିଟାଲ ପ୍ରତିଷ୍ଠା ହେବ । ପ୍ରାୟ ୧୬୯ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ହସ୍ପିଟାଲ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ପ୍ରଦାନ କରାଯାଇଛି ।