ଓଡିଶା

odisha

ETV Bharat / city

ବଢୁଛି ଇକୋ-ଟୁରିଜିମରୁ ରାଜସ୍ବ, ବଢିବ କଳେବର - ରାଜ୍ୟରେ ଇକୋ-ଟୁରିଜିମ୍ ଅପୂର୍ବ ସଫଳତା

ରାଜ୍ୟରେ ଇକୋ-ଟୁରିଜିମ୍ ଅପୂର୍ବ ସଫଳତା ହାସଲ କରିଛି । ସ୍ଥାନୀୟ ଲୋକଙ୍କ ସକ୍ରିୟ ଭାଗିଦାରିତାରେ ପରିଚାଳନା ଏହି ବ୍ୟବସ୍ଥା ଏକ ମଡେଲ ଭାବେ ପ୍ରମାଣିତ ହୋଇଛି । ଅଧିକ ପଢନ୍ତୁ...

ବଢୁଛି ଇକୋ-ଟୁରିଜିମରୁ ରାଜସ୍ବ, ବଢିବ କଳେବର
ବଢୁଛି ଇକୋ-ଟୁରିଜିମରୁ ରାଜସ୍ବ, ବଢିବ କଳେବର

By

Published : Apr 10, 2021, 7:07 AM IST

Updated : Apr 10, 2021, 11:51 AM IST

ଭୁବନେଶ୍ବର: ରାଜ୍ୟରେ ଇକୋ-ଟୁରିଜିମ୍ ଅପୂର୍ବ ସଫଳତା ହାସଲ କରିଛି । ସ୍ଥାନୀୟ ଲୋକଙ୍କ ସକ୍ରିୟ ଭାଗିଦାରିତାରେ ପରିଚାଳନା ଏହି ବ୍ୟବସ୍ଥା ଏକ ମଡେଲ ଭାବେ ପ୍ରମାଣିତ ହୋଇଛି । ୨୦୧୬ ମସିହାରୁ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ତଥା ତତ୍‌କାଳୀନ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଆରମ୍ଭ କରାଯାଇଥିଲା ଇକୋ - ଟୁରିଜିମ୍ ବ୍ୟବସ୍ଥା ।

ଇକୋ-ଟୁରିଜିମ୍ କେନ୍ଦ୍ରଗୁଡ଼ିକୁ ୨୦୧୬ ମସିହାରୁ କ୍ରମାଗତଭାବେ ପର୍ଯ୍ୟଟକମାନଙ୍କର ଆଗମନ ବଢ଼ିଛି । ୨୦୧୬ରେ ୧୧, ୫୦୦ ପର୍ଯ୍ୟଟକ ରାତ୍ରିରହଣୀ କରିଥିବାବେଳେ ୨୦୧୯ - ୨୦ ମସିହାରେ ଏହା 40, 019ରେ ପହଞ୍ଚିଥିଲା । କୋଭିଡ଼ ସତ୍ତ୍ବେ ୨୦୨୦ - ୨୧ ମସିହାର ୫ମାସ ( ନଭେମ୍ବର, ୨୦୨୦ ରୁ ମାର୍ଚ୍ଚ, ୨୦୨୧ ) ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ୫୭,୦୦୦ କୁ ବୃଦ୍ଧିପାଇଛି । ଅନୁରୂପ ଭାବେ ଏହି ସମୟ ମଧ୍ୟରେ ଇକୋ - ଟୁରିଜିମରୁ ସଂଗ୍ରହ ହେଇଥିବା ରାଜସ୍ବ ୧.୫୭ କୋଟିରୁ ୮.୩୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ବଢୁଛି ଇକୋ-ଟୁରିଜିମରୁ ରାଜସ୍ବ, ବଢିବ କଳେବର

ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା ରାଜ୍ୟରେ ପ୍ରକୃତି ପର୍ଯ୍ୟଟନର ନୂଆ ଦିଗ ସମ୍ବନ୍ଧିତ ଆର୍ଥିକ ଓ ପ୍ରଶାସନିକ ବିଷୟ ଆଲୋଚନା କରିଛନ୍ତି ।

ବଢୁଛି ଇକୋ-ଟୁରିଜିମରୁ ରାଜସ୍ବ, ବଢିବ କଳେବର
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଉପଯୁକ୍ତ ପ୍ରକୃତି ପର୍ଯ୍ୟଟନ ନିମନ୍ତେ ସ୍ଥାନ ଚିହ୍ନଟ କରିବାପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ ଏବଂ ଜଳ ସଂପଦ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବିଭିନ୍ନ ନଦୀ ଅବବାହିକା ଏବଂ ବଡ଼ବଡ଼ ଜଳାଶୟ ମାନଙ୍କରେ ପାଖାପାଖି ୧୦୦ଟି ନୌକାବିହାର ଅଂଚଳ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମିଳିତ କ୍ଷେତ୍ର ସ୍ତରୀୟ ଅନୁଷ୍ଠାନ ମାଧ୍ୟମରେ ଜେଟ୍ଟି ନିର୍ମାଣ ଓ ନୌକାବିହାର ସ୍ଥାନ ନିର୍ଣ୍ଣୟ ପାଇଁ ଜଳସଂପଦ ଓ ଜଙ୍ଗଲ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜଙ୍ଗଲ ସଫାରୀ ନିମନ୍ତେ ଅତି କମ୍‌ରେ ୧୫ଟି ନୂଆ ଟ୍ରାକ୍ ଚିହ୍ନଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।ସମସ୍ତ ପର୍ଯ୍ୟଟନ କେନ୍ଦ୍ରକୁ ସ୍ଥାନୀୟ ବନ ସଂରକ୍ଷଣ ସମିତି, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଗ୍ରାମ ସମୁଦାୟ ମାଧ୍ୟମରେ ପରିଚାଳନା କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ତାଲିମ୍ ଏବଂ ଅନୁପ୍ରେରଣା ଶିବିର ମାଧ୍ୟମରେ ସେମାନଙ୍କର ବୃଦ୍ଧିଗତ ଦକ୍ଷତା ବଢାଇବା ପାଇଁ ବିଭାଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ସମଗ୍ର ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଯେକି ଇକୋ - ଟୁରିଜିମରେ କମ୍ୟୁନିଟି ମ୍ୟାନେଜ୍‌ମେଣ୍ଟ ମଡେଲ୍‌କୁ ସଫଳତାର ସହ ପ୍ରୟୋଗ କରିଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ଶର୍ମା କହିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪୭ଟି ଇକୋ-ଟୁରିଜିମ୍ ସ୍ଥାନ କରାଯାଇଛି । ମୟୂରଭଞ୍ଜ, ସୁନ୍ଦରଗଡ଼, ମାଲକାନଗିରି, କନ୍ଧମାଳ, ବରଗଡ଼, ନୟାଗଡ଼ ସମେତ ୧୮ ଟି ଜିଲ୍ଲାରେ ଏହି ସବୁ ପର୍ଯ୍ୟଟନ ସ୍ଥାନ ବେଶ ଲୋକପ୍ରିୟ ହୋଇଛି । ଏହିସବୁ ସ୍ଥାନରେ ରାତ୍ରୀ ରହଣୀ ନିମନ୍ତେ ୩୩୩ଟି କଟେଜ୍ କାର୍ଯ୍ୟ କରୁଛି । ଏକ ସମୟରେ ଏହି ସବୁ କଟେଜରେ ୭୦୫ ଲୋକ ରହିପାରିବେ । ବର୍ତ୍ତମାନ ବରଗଡ଼ର ନୃସିଂହନାଥ, କୋରାପୁଟର ପାଇ ଜଙ୍ଗଲ, ବାଲେଶ୍ଵରର ଚାନ୍ଦିପୁର, ନୂଆପଡ଼ାର ପତୋରା ଡ୍ୟାମ୍ ଏବଂ ସୁନ୍ଦରଗଡ଼ ଜିଲ୍ଲାର ଟେନସାରେ ନୁଆ ଇକୋ - ଟୁରିଜିମ୍ ସ୍ଥଳୀର ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି । ଖୁବ୍ ଶିଘ୍ର ଏହି କେନ୍ଦ୍ରଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ ପିସିସିଏଫ ଶଶି ପଲ ସୂଚନା ଦେଇଛନ୍ତି ।ବୈଠକରେ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ପର୍ଯ୍ୟଟନ ପ୍ରମୁଖ ଶାସନ ସଚିବ ବିଶାଲ୍ ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 10, 2021, 11:51 AM IST

ABOUT THE AUTHOR

...view details