ଭୁବନେଶ୍ବର :ଚଳିତ ଆର୍ଥିକ ବର୍ଷରେ ଆଦାୟ ହେଲାଣି 662 କୋଟି ଟଙ୍କାର ରାଜସ୍ୱ । ମାର୍ଚ୍ଚ 31 ସୁଦ୍ଧା 1,000 କୋଟିରୁ ଅଧିକ ରାଜସ୍ବ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ବ୍ୟବସ୍ଥିତ ହେବାରେ ଲାଗିଛି ଲଘୁ ଖଣିଜ ସମ୍ପଦ ପରିଚାଳନା ।
ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଫଳରେ ବଢୁଛି ରାଜସ୍ବ । ଏହାର ସୁଚାରୁ ରୂପେ ପରିଚାଳନା ପାଇଁ ରିମୋଟ୍ ସେନ୍ସିଙ୍ଗ ଜ୍ଞାନର ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । ଲଘୁ ଖଣିଜ ସମ୍ପଦ ପରିଚାଳନା ନେଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ(ACS) ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ।
ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ଓ ବେନିୟମ ଉଠାଣ ରୋକିବା ଦିଗରେ ପଦକ୍ଷେପ ନେବାକୁ ACS ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ତହସିଲରେ ବାଲି, ମୋରମ, ମାଙ୍କଡ ପଥର ଓ ମାଟି ଚୋରା ଚାଲାଣ ଦିଗରେ କଡା ପଦକ୍ଷେପ ନେବାକୁ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ନିୟମାନୁମୋଦିତ ଲଘୁ ଖଣିଜ ଚାଲାଣ ଉପରେ କୌଣସି ହସ୍ତକ୍ଷେପ ନ କରିବାକୁ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଲଘୁ ଖଣିଜ ସମ୍ପଦ ଉତ୍ସରୁ ଏହି ଆର୍ଥିକ ବର୍ଷରେ 662 କୋଟି ରାଜସ୍ବ ଆଦାୟ ହୋଇଛି । ଗତ ଦୁଇ ମାସ ମଧ୍ୟରେ କ୍ଷେତ୍ରାଧିକାରୀମାନେ ବେନିୟମ ଲଘୁ ଖଣିଜ ସମ୍ପଦ ଉଠାଣ ପାଇଁ 16 କୋଟି 25 ଲକ୍ଷ ଜୋରିମାନା ଆଦାୟ କରିଛନ୍ତି । ସମସ୍ତ କ୍ଷେତ୍ରାଧିକାରୀମାନଙ୍କୁ ତ୍ୱରିତ ରାଜସ୍ବ ଆଦାୟ କରିବା ନେଇ ACS ତାଗିଦ କରିଛନ୍ତି । ମାର୍ଚ୍ଚ 2022 ସୁଦ୍ଧା ଲଘୁ ଖଣିଜ ସଂପଦରୁ 1,000 କୋଟିରୁ ଅଧିକ ରାଜସ୍ବ ସଂଗ୍ରହ ହେବ ବୈଠକରୁ ସୂଚନା ମିଳିଛି ।
ଲଘୁ ଖଣିଜର ପରିଚାଳନା ପାଇଁ ରିମୋଟ୍ ସେନ୍ସିଙ୍ଗ ଜ୍ଞାନ ବ୍ୟବହାର ଉପରେ ACS ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ଓର୍ସାକର ବରିଷ୍ଠ ବୈଜ୍ଞାନିକମାନଙ୍କୁ ନଦୀବାଲି ଉତ୍ସ ଓ ଅନ୍ୟାନ୍ୟ ଲଘୁ ଖଣିଜ ସମ୍ପଦ ଉତ୍ସର ସଠିକ ଆକଳନ ଓ ଭୁ -ସନ୍ଦର୍ଭଯୁକ୍ତ ମାନଚିତ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲଘୁ ଖଣିଜ ସମ୍ପଦ ପରିବହନ କରୁଥିବା ଏକ ସ୍ଵଂଚାଳିତ ଯାନବାହାନ ସର୍ବେକ୍ଷଣ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ ସେ ଓର୍ସାକର ବରିଷ୍ଠ ବୈଜ୍ଞାନିକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ବ୍ୟତୀତ ଓକାକର ବରିଷ୍ଠ ଅଧିକାରୀମାନଙ୍କୁ ଲଘୁ ଖଣିଜ ସମ୍ପଦ ଉତ୍ସକୁ କାର୍ଯ୍ୟକ୍ଷମ କରିବାପାଇଁ ବିଭିନ୍ନ ପ୍ରକ୍ରିୟାକୁ ସ୍ଵଂଚାଳିତ କରି ସିଙ୍ଗଲ ଉଇଣ୍ଡୋ ମାଧ୍ୟମରେ ସମସ୍ତ ପଦ୍ଧତିକୁ ସମ୍ପୂର୍ଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସମସ୍ତ ପ୍ରକାର ବୈଜ୍ଞାନିକ ଅନୁମୋଦନ ପ୍ରକ୍ରିୟାକୁ ସ୍ଵଂଚାଳିତ କରିବା ଉପରେ ବିଭାଗ ଗୁରୁତ୍ୱ ଦେଉଛି ।