ଓଡିଶା

odisha

By

Published : Mar 10, 2022, 10:04 AM IST

ETV Bharat / city

ସଡକ ପ୍ରକଳ୍ପରେ ନ ଲାଗୁ ବ୍ରେକ, ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ACSଙ୍କ ନିର୍ଦ୍ଦେଶ

ଜମି ଅଧିଗ୍ରହଣ ସମସ୍ୟା ଲାଗି ବିଳମ୍ବ ହେଉଥିବା ସଡ଼କ ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଉ । କଡା ନିର୍ଦ୍ଦେଶ ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

ସଡକ ପ୍ରକଳ୍ପରେ ନ ଲାଗୁ ବ୍ରେକ୍: ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ACSଙ୍କ ନିର୍ଦ୍ଦେଶ
ସଡକ ପ୍ରକଳ୍ପରେ ନ ଲାଗୁ ବ୍ରେକ୍: ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ACSଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଜମି ଅଧିଗ୍ରହଣ ସମସ୍ୟା ଲାଗି ବିଳମ୍ବ ହେଉଥିବା ସଡ଼କ ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଉ । ଯୁଦ୍ଧକାଳୀନ ଭିତ୍ତିରେ ଜମି ଅଧିଗ୍ରହଣ ହେଉ । କୌଣସି ପରିସ୍ଥିତିରେ ବି ସଡ଼କ ପଥ ନିର୍ମାଣରେ ବିଳମ୍ବ ନହେଉ । ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ACS ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୁଧବାର ଜାତୀୟ ରାଜପଥ ପ୍ରକଳ୍ପ ଓ ରାଜ୍ୟ ରାଜପଥ ପ୍ରକଳ୍ପକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଗତ ମାସେ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟରେ ହିତାଧିକାରୀଙ୍କୁ ନିୟମ ଅନୁଯାୟୀ 120 କୋଟି ପ୍ରାପ୍ୟ ବଣ୍ଟନ କରାଯାଇଛି ।

ଜାତୀୟ ରାଜପଥ 23ରେ ରାଉରକେଲାରୁ ରଜାମୁଣ୍ଡା ମଧ୍ୟରେ ଗୁରୁଣ୍ଡିଆ ତହସିଲର କୁମକେଲା ଗ୍ରାମରେ 100 ମିଟର ଏବଂ ରଜାମୁଣ୍ଡାରେ 300 ମିଟର ଜାତୀୟ ରାଜପଥରେ ପୂର୍ବରୁ ସ୍ଥଗିତ ଥିବା ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏହି ଜମି ଜାତୀୟ ରାଜପଥ ପ୍ରାଧିକରଣକୁ ହସ୍ତାନ୍ତର କରାଯାଇଛି । ସେହିପରି ବିଶାଖାପାଟଣା ଓ ରାୟପୁର ଅର୍ଥନୈତିକ ପଥ ଅନ୍ତର୍ଗତ ଜାତୀୟ ରାଜପଥ 130 CDରେ ନବରଙ୍ଗପୁର ଜିଲ୍ଲାରେ ଶତକଡା 90 ଭାଗ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇଛି । ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

ସେହିପରି କୋରାପୁଟ ଜିଲ୍ଲା ମଧ୍ୟରେ ଜାତୀୟ ରାଜପଥ 130 CDରେ କାଳିଆଗୁରାରୁ ବାଉଁଶଗୁରା ମଧ୍ୟରେ 44KM ରାସ୍ତାରେ 80 ହେକ୍ଟରରୁ 55 ହେକ୍ଟର ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇଯାଇଛି । ଜାତୀୟ ରାଜପଥ 49ରେ ଯଶିପୁର ବାଇପାସରେ ମଧ୍ୟସ୍ଥି ଟ୍ରିବୁନାଲରେ ଥିବା ସମସ୍ତ ମାମଲାର ଶୁଣାଣି ଆରମ୍ଭ ହୋଇଛି । ଏହାସହ ଗତ ଦେଢ଼ ମାସ ମଧ୍ୟରେ 109 ଗ୍ରାମରେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରାପ୍ୟ ବଣ୍ଟନ କରାଯାଇ ଦାଖଲ ଖାରଜ ମାମଲା ସମ୍ପୂର୍ଣ ହୋଇ ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର କରାଯାଇଛି । ଜାତୀୟ ରାଜପଥ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଲଘୁ ଖଣିଜ ସମ୍ପଦ ଆଇନ ଅନୁଯାୟୀ ଧାର୍ଯ୍ୟ ରୟାଲଟି ଦେଇ ବ୍ୟବହାର କରିବାକୁ ACS ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସମସ୍ତ ଲଘୁ ଖଣିଜ ସମ୍ପଦ ପ୍ରାଧିକୃତ ଲଘୁ ଖଣିଜ ଉତ୍ସରୁ ବ୍ୟବହାର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏ ବାବଦରେ ଜାତୀୟ ରାଜପଥ ପ୍ରାଧିକରଣରେ ସମସ୍ତ କଣ୍ଟ୍ରାକ୍ଟରମାନଙ୍କୁ ସମ୍ବେଦନଶୀଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କଟକ ଓ ଅନଗୁଳ ମଧ୍ୟରେ ଜାତୀୟ ରାଜପଥ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଜାତୀୟ ରାଜପଥ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜମି ଅଧିଗ୍ରହଣ ପରେ ଜାତୀୟ ରାଜପଥ କାର୍ଯ୍ୟ ଆରମ୍ଭ, ତ୍ୱରାନ୍ୱିତ ଓ ସମ୍ପୂର୍ଣ୍ଣ ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ବିଗତ ସମୀକ୍ଷା ବୈଠକ ପରଠାରୁ ହୋଇଥିବା କାର୍ଯ୍ୟ ନେଇ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାସହ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ବିଜୁ ଏକ୍ସପ୍ରେସୱେ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣର କୌଣସି ବିଳମ୍ବ ନକରିବା ପାଇଁ ସମସ୍ତଙ୍କୁ କହିଛନ୍ତି । ହିତାଧିକାରୀଙ୍କୁ ନିୟମ ଅନୁଯାୟୀ ପ୍ରାପ୍ୟ ବଣ୍ଟନ ପରେ ତତ୍କାଳ ଦାଖଲ ଖାରଜ ଫଇସଲା କରି ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର କରିବାକୁ ACS ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ NHAIର ବରିଷ୍ଠ ଅଧିକାରୀମାନେ ବିଗତ ସମୀକ୍ଷା ବୈଠକ ପର ଠାରୁ ଜମି ଅଧିଗ୍ରହଣରେ ଉନ୍ନତି ପରିଲକ୍ଷିତ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀ, ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ, ଜମି ଅଧିଗ୍ରହଣ ଅଧିକାରୀ, ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ, ଜୋନ ଅଧିକାରୀ, ଜାତୀୟ ରାଜପଥ ପ୍ରାଧିକରଣର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details