ଭୁବନେଶ୍ବର: ମନ୍ତ୍ରୀମଣ୍ଡଳର ପୁନର୍ବିନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଷ୍ଟାଇଲରେ ହୋଇଛି ରାଜ୍ୟ ମନ୍ତ୍ରୀ ସମୂହ ଇସ୍ତଫା । ଏନେଇ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ ଇସ୍ତଫା ଦେବାକୁ ନବୀନ ଦେଇଥିଲେ ନିର୍ଦ୍ଦେଶ । ଆସନ୍ତାକାଲି ନବୀନଙ୍କ ମନ୍ତ୍ରିମଣ୍ଡଳ ଶପଥ ପାଠ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଉପ ବାଚସ୍ପତି ରଜନିକାନ୍ତ ସିଂଙ୍କୁ ଇସ୍ତଫା ପତ୍ର ଦେଇଥିବା ସୂଚନା ରହିଛି ।
ବିଜେଡି ନେତୃତ୍ବାଧୀନ ବିଜେଡି ସରକାର ପଞ୍ଚମ ପାଳିର ତୃତୀୟ ବର୍ଷ ପୂରଣ କରିଛି । ଗତ ବର୍ଷେ ହେଲା ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହେବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବିଭିନ୍ନ କାରଣରୁ ଏହାର ବିଳମ୍ବ ହୋଇଛି । ରାଜ୍ୟସଭା ନିର୍ବାଚନ ଓ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ବାହାରିବା ମାତ୍ରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହେବ । ଏନେଇ ଗତ 31 ତାରିଖରେ ଇଟିଭି ଭାରତରେ ଖବର ପ୍ରକାଶିତ ହୋଇଥିଲା । ଇଟିଭି ଭାରତର ଆକଳନ ସତ ପ୍ରମାଣିତ ହୋଇଛି । ଉଭୟ ନିର୍ବାଚନ ଫଳାଫଳ ବାହାରିବାର ଦିନକ ପରେ ମନ୍ତ୍ରିମଣ୍ଡଳର ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମନ୍ତ୍ରୀମାନେ ନିଜ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଛନ୍ତି । ଏମିତିକି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରାଜ୍ୟବାହାରେ ରହି ଇସ୍ତଫା ଦେଇଛନ୍ତି । ସେହିପରି ଉପବାଚସ୍ପତି ରଜନୀକାନ୍ତ ସିଂ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଉଭୟ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଆସନ୍ତାକାଲି ଅର୍ଥାତ ରବିବାର 11.45ରେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ ବୋଲି ଜଣାପଡ଼ିଛି । ରାଜଭବନରେ ଶପଥ ପାଠ ହେବ । ରାଜ୍ୟପାଳ ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସମାନ ଢଙ୍ଗରେ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇ ପରେ ନୂଆ ମନ୍ତ୍ରିମଣ୍ଡଳ ଗଢିଥିଲେ । ଏବେ ନବୀନ ସମାନ ଢଙ୍ଗରେ ନିଜର ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଯାଉଥିବା ଜଣାପଡିଛି ।
ରାଜ୍ୟ ମନ୍ତ୍ରିମଣ୍ଡଳରେ 10ରୁ ଅଧିକ ନୂଆ ମୁହଁ ସାମିଲ ହେବାକୁ ଥିବା ବେଳେ ଅନ୍ୟ କିଛି ମନ୍ତ୍ରୀଙ୍କର ବିଭାଗ ପରିବର୍ତ୍ତନ ହେବା ସହ କ୍ଷମତା ହ୍ରାସ ହେବ । 8ରୁ 10 ପୁରୁଣା ମନ୍ତ୍ରୀଙ୍କ ବିଭାଗ ବଦଳିବ ବୋଲି ଚର୍ଚ୍ଚା ହେଉଛି । 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳର ନବକଳେବର ଆବଶ୍ୟକ ମନେ କରିଛନ୍ତି ନବୀନ । ସୂଚନାନୁସାରେ ବିଭିନ୍ନ ବିବାଦରେ ଛନ୍ଦି ହୋଇଥିବା 10 ମନ୍ତୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ବିଦା କରାଯିବ । ଚଳିତ ଥର ମନ୍ତ୍ରୀ ସଂଖ୍ୟା 20 ନୁହଁ 21 ହେବ ବୋଲି ଜଣାପଡିଛି । କିଏ ମନ୍ତ୍ରିମଣ୍ଡଳରରେ ପୁନର୍ବାର ସ୍ଥାନ ପାଇବେ ଆଉ କିଏ ଯିବେ ସେ ନେଇ ଚର୍ଚ୍ଚା ଜାରୀ ରହିଛି । ଗତ କିଛି ବର୍ଷ ମଧ୍ୟରେ ଭଲ ପ୍ରଦର୍ଶନ କରିଥିବା ନୂଆ ଚେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ । ଏ ନେଇ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି ।