ଭୁବନେଶ୍ବର: ଘନଉଛି ଗଜରାଜଙ୍କ ପ୍ରତି ବିପଦ । ରାଜ୍ୟରେ ବଢିଚାଲିଛି ହାତୀ ମୃତ୍ୟୁ । ଏବେ ଓଡିଶା ପାଲଟିଛି ହାତୀଙ୍କ କବରଖାନା ! ସରକାରୀ ରିପୋର୍ଟରୁ ମହାଖୁଲାସା ହୋଇଛି । ସରକାରୀ ଖାତା ଖତିଆନରେ ରାଜ୍ୟ ସରକାର ହାତୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବାର ଡିଣ୍ଡିମ ପିଟୁଥିବା ବେଳେ ଏହି ତଥ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି । ଢୋଲପିଟା ସରକାର ରାଜ୍ୟରେ ହାତୀ ସୁରକ୍ଷିତ ଥିବା କହୁଥିବା ବେଳେ ହାତୀଙ୍କ ଗୋଟିଏ ପରେ ଗୋଟିଏ ମୃତ୍ୟୁ ରାଜ୍ୟରେ କେତେ ସୁରକ୍ଷିତ ଗଜରାଜ ସେନେଇ ପ୍ରଶ୍ନ ଉଠାଉଛି । କେତେବେଳେ ଶିକାରୀଙ୍କ ଫାସ ତ ଆଉ କେତେବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅକାଳରେ ଆଖି ବୁଜୁଛନ୍ତି ଦନ୍ତା ।
ରାଜ୍ୟରେ 8 ମାସରେ ମଲେଣି ୫୮ ହାତୀ । 25 ହାତୀଙ୍କ ଅପ୍ରାକୃତିକ ମୃତ୍ୟୁ ହୋଇଥିବା ବେଳେ 8 ଜଣଙ୍କର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଯାହାର ଖୁଲାସା କରିଛି ଭଏସ ଫର ଏଲିଫ୍ୟାଣ୍ଟସ ସୋସାଇଟ । ଏ ରିପୋର୍ଟକୁ ନେଇ ପରିବେଶବିତ ଓ ହାତୀ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଥିବା ବେଳେ ପିସିସିଏଫ ହରିଶଙ୍କର ଉପାଧ୍ୟାୟଙ୍କ ବେଫକିର ଉତ୍ତରକୁ ନେଇ ଉଠିଛି ପ୍ରଶ୍ନ ।
ଓଡିଶାରେ ହାତୀ ନୁହଁନ୍ତି ସୁରକ୍ଷିତ । ଏକଥା ଆମେ କହୁନୁ କହୁଛି ଏହି ରିପୋର୍ଟ । 2019 ଅକ୍ଟୋବରରୁ 2020 ଜୁନ ମଧ୍ୟରେ 58 ହାତୀଙ୍କ ଜୀବନ ଗଲାଣି। ଏହାସହ ହାତୀ ମଣିଷ ଲଢେଇ ଭିତରେ 85 ଲୋକ ମାରିଥିବା ବେଳେ 119 ଜଣ ଆହତ ବି ହୋଇଛନ୍ତି। ଖାଲି ସେତିକି ନୁହେଁ ଲକଡାଇନ ସମୟରେ ୧୬ ହାତୀଙ୍କ ମୃତ୍ୟୁ ହୋଇଛି । ଭଏସ ଫର ଏସିଆ ଏଲିଫ୍ୟାଣ୍ଟ ସୋସାଇଟି ସଂସ୍ଥାର ନିର୍ବାହୀ ନିର୍ଦ୍ଦେଶିକ ସଂଗୀତା ଆୟର ସିଧାସଳଖ ଏନେଇ ପିସିସିଏଫ ହରିଶଙ୍କର ଉପାଧ୍ୟାୟଙ୍କୁ ଦାୟୀ କରିଛନ୍ତି । କେବଳ ଦାୟୀ କରିନାହାନ୍ତି ପିସିସିଏଫଙ୍କ ପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପତ୍ର ଲେଖି ଅବଗତ କରାଇଛନ୍ତି ସଂଗୀତା ।