ଭୁବନେଶ୍ବର: ଓଡ଼ିଶାର ସମୃଦ୍ଧ କଳା ନୈପୁଣ୍ୟର ପ୍ରଚାର ଓ ପ୍ରସାର କରିବା ସହ ଶିଳ୍ପୀ ଓ କାରୀଗରମାନଙ୍କୁ ସେମାନଙ୍କ କଳାର ଉଚିତ ପ୍ରଦର୍ଶନ କରିବା ଓ ତାହା ମଧ୍ୟରୁ କିଛି ଉପାର୍ଜନ କରିବା ନିମିତ୍ତ 2002 ମସିହାରେ ରାଜଧାନୀର ଛାତି ଉପରେ ଗଢି ଉଠିଥିଲା ଏକାମ୍ରହାଟ। ଯାହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ ।
ଚିନ୍ତାରେ ଏକାମ୍ରହାଟର ଶିଳ୍ପୀ ଓ କାରୀଗର ମାତ୍ର ଏବେ ଏକାମ୍ର ହାଟର ନବୀକରଣ ନାଁରେ ଚଳିତମାସ 3 ତାରିଖ ସୁଦ୍ଧା ଖାଲି କରିବାକୁ ହସ୍ତଶିଳ୍ପ ବିଭାଗ ପକ୍ଷରୁ ନୋଟିସ ମରାଯାଇଛି । ଯାହାକୁ ନେଇ ଏଠାରେ ରହୁଥିବା ଶିଳ୍ପୀ ଓ କାରୀଗର ଚିନ୍ତାରେ । କେବଳ ଏତିକି ନୁହେଁ ଗତ ମାସ 31 ତାରିଖରୁ ବିଦ୍ୟୁତ ଓ ପାଣି ସେବା ବନ୍ଦ କରାଯାଇଛି ।
ଏଠାରେ 50 ଟି ଦୋକାନରେ ରାଜ୍ୟ ତଥା ରାଜ୍ୟ ବାହାରର କାରିଗର ମାନେ ରହିବା ସହ ସେଠାରେ ବିଭିନ୍ନ ସାମଗ୍ରୀର ପ୍ରସ୍ତୁତି କରନ୍ତି ଓ ବିକ୍ରୟ କରନ୍ତି । ମାତ୍ର ଏକାମ୍ରହାଟ ନବୀକରଣ ନେଇ ଏଠାକାର ଶିଳ୍ପୀ ଓ କାରିଗର ମାନଙ୍କୁ ଆଗରୁ କୌଣସି ସୂଚନା ମଧ୍ୟ ଦିଆ ଯାଇନାହିଁ ।
ଇତି ମଧ୍ୟରେ ଏହାକୁ 18 ବର୍ଷ ବିତି ଯାଇଥିବାବେଳେ ଏକାମ୍ରହାଟ ସାରା ଭାରତବର୍ଷରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ତେବେ ଯଥାଶୀଘ୍ର ଶିଳ୍ପୀମାନଙ୍କ ଦାବି ଯଦି ସରକାର ନମାନନ୍ତି, ଏଠାରେ ଥିବା 50ରୁ ଊର୍ଦ୍ଧ୍ବ ଶିଳ୍ପୀମାନେ ସମୂହ ଆତ୍ମହତ୍ୟା କରିବେ ବୋଲି ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ