ଓଡିଶା

odisha

ETV Bharat / city

ବଢିବ ସୌରଶକ୍ତିର ଘରୋଇ ଓ ବେସରକାରୀ ବ୍ୟବହାର

ନବୀକରଣ ଯୋଗ୍ୟ ସବୁଜ ଶକ୍ତି ବ୍ୟବହାର ବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଅଣପାରମ୍ପରିକ ବିକାଶ ସଂସ୍ଥା (ଓରେଡ଼ା) ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏ ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଅଧିକ ପଢନ୍ତୁ...

By

Published : Aug 21, 2021, 10:47 PM IST

Renewable Energy vertually meeting by chief secretary Suresh chandra mahapatra
ବଢିବ ସୌର ଶକ୍ତିର ଘରୋଇ ଏବଂ ବେସରକାରୀ ବ୍ୟବହାର

ଭୁବନେଶ୍ବର :ନବୀକରଣ ଯୋଗ୍ୟ ସବୁଜ ଶକ୍ତି ବ୍ୟବହାର ବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଅଣପାରମ୍ପରିକ ବିକାଶ ସଂସ୍ଥା (ଓରେଡ଼ା) ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏ ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ହୋଇଛି । ତେବେ ଆଗାମୀ ଦିନରେ ସୌର ଶକ୍ତିର ଘରୋଇ ଏବଂ ବେସରକାରୀ ବ୍ୟବହାର ବଢାଇବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ଧଳ ବିଗତ ବର୍ଷମାନଙ୍କରେ ଓରେଡ଼ା କାର୍ଯ୍ୟକଳାପ ସହ ଆଗାମୀ ଦିନର କାର୍ଯ୍ୟଯୋଜନା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଛନ୍ତି । ଓରେଡ଼ାର କାର୍ଯ୍ୟକ୍ରମ ଓ ଯୋଜନାଗୁଡିକର ସମୀକ୍ଷାକରି ଘରୋଇ, ବେସରକାରୀ ଓ ବ୍ୟବସାୟିକ ସଂସ୍ଥାମାନଙ୍କରେ ସୌର ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପାଣି ଗରମ ପାଇଁ ସୌର - ହିଟର, ସୌର - ଲାଇଟ୍, ମାଙ୍କଡ ଆଦି ବଣ୍ୟଜନ୍ତୁଙ୍କ ଠାରୁ ବଗିଚା, ଓ କୃଷି ଫାର୍ମ ଆଦି ସୁରକ୍ଷା ନିମନ୍ତେ ସୌର-ପାଚେରୀ, ଚାଷ ଏବଂ କୃଷି ଉତ୍ପାଦିତ ଦ୍ରବ୍ୟର ପ୍ରକ୍ରିୟାକରଣରେ ସୌର-ଯନ୍ତ୍ରର ବ୍ୟବହାର ଆଦି ବଢ଼ାଇବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ସଚେତନତା ଓ କ୍ଷେତ୍ର ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଏବଂ ଆବଶ୍ୟକତା ଭିତ୍ତିକ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବଢିବ ସୌର ଶକ୍ତିର ଘରୋଇ ଏବଂ ବେସରକାରୀ ବ୍ୟବହାର
ଓରେଡ଼ା ମୁଖ୍ୟ କାର୍ଯ୍ୟନିର୍ବାହୀ ଧନଞ୍ଜୟ ସ୍ୱାଇଁ ଜଣାଇଛନ୍ତି ଯେ, ଜୁଲାଇ ମାସ ଶେଷସୁଦ୍ଧା ଓରେଡ଼ା ରାଜ୍ୟର ବିଭିନ୍ନ ସ୍ଥାନରେ ୪ ଲକ୍ଷ ବିଭିନ୍ନ ପ୍ରକାର ଅଣପାରମ୍ପରିକ ଶକ୍ତି ଉତ୍ପାଦନ ଓ ବ୍ୟବହାର ଯନ୍ତ୍ର ପ୍ରତିଷ୍ଠା କରିଛି । ଏହି ସ୍ଥାପନ ମାଧ୍ୟମରେ ୫.୫ ନିୟୁତ ଲୋକ ଉପକୃତ ହେଉଛନ୍ତି । ନବୀକରଣଯୋଗ୍ୟ ଶକ୍ତି ଯନ୍ତ୍ର ସ୍ଥାପନ ଯୋଗୁଁ ଓରେଡ଼ା ବାର୍ଷିକ ହାରାହାରି ୩୦ ମାଟ୍ରିକ୍ ଟନ୍ କାର୍ବନ ନିର୍ଗମନ କମାଇବାରେ ସକ୍ଷମ ହୋଇଛି । ବର୍ତ୍ତମାନ ସୁଦ୍ଧା ଓରେଡ଼ା ପ୍ରାୟ ୧୨.୩ ମେଗାୱାଟ୍ ସୌର ଶକ୍ତି ଉତ୍ପାଦନ ପାଇଁ ୧୧୬୩ ଟି ଛାତ-ଉପର ସୌର ଶକ୍ତି ୟୁନିଟ୍ ସ୍ଥାପନ ହୋଇଛି । ଏହା ଛଡା ଓରେଡ଼ା ୨.୪୪ ଲକ୍ଷ ଜୈବ-ଗ୍ୟାସ୍ ପ୍ଲାଣ୍ଟ, ୧୩, ୨୧୯ ସୌର ଶକ୍ତି ପାନୀୟ ଜଳ ପ୍ରକଳ୍ପ, ୧, ୬୮୭ ସୌର-କଳସେଚନ ପମ୍ପ, ୧୮, ୧୨୨ ଟି ଉନ୍ନତ ସୌର-ରନ୍ଧନ ଚୁଲା ଆଦି ସ୍ଥାପନ କରିଛି । ଏହି ସଂସ୍ଥା ମଧ୍ୟ ୨, ୯୦୩ ଟି ଗ୍ରାମରେ ୮୪, ୮୫୮ ଟି ଘରୋଇ ବାସଗୃହକୁ ବିଦ୍ୟୁତ ଯୋଗାଇଛି । ୮୨, ୦୩୩ ସୌର - ଲଣ୍ଠନ ବଣ୍ଟନ କରାଯାଇଛି ।ବୈଠକରେ ସୌର - ଶୀତଳ ଭଣ୍ଡାର, ସୌର - ପାନୀୟଜଳ କିଓସ୍କ, ସୌର ଚାଳିତ ଲୋକ ସେବା କେନ୍ଦ୍ର, ଦଉଡ଼ି ତିଆରି ପାଇଁ ସୌର ଚାଳିତ ଯନ୍ତ୍ର; ରେଶମ ଗୁଡା ସୌର ଯନ୍ତ୍ର; ପନିପରିବା, ଶସ୍ୟ, ମାଛି ଏବଂ ମସଲାଜାତୀୟ କୃଷି ଉତ୍ପାଦ ଆଦିକୁ ସ୍ବାସ୍ଥ୍ୟକର ଭାବେ ଶୁଖାଇବା ନିମନ୍ତେ ସୌର - ଶୋଷକ ଆଦି ନୂତନ ବୈଷୟିକ କୌଶଳ ବିଷୟରେ ସବିଶେଷ ଆଲୋଚନା ହୋଇଛି । ଏସବୁ ଅଭିନବ ସୌରଚାଳିତ ବୈଷୟିକ କୌଶଳର ବ୍ୟାପକ ପ୍ରୟୋଗ ଓ ବ୍ୟବହାର ନିମନ୍ତେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟଯୋଜନାର ରୂପରେଖ ତିଆରି କରିବା ପାଇଁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ସୌର - ଶକ୍ତି ବ୍ୟବହାର ସମ୍ଭାବନା ଥିବା ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଶାସନ ସଚିବମାନଙ୍କୁ କମିଟିରେ ସାମିଲ କରାଯାଇଛି । ଓରେଡ଼ାର ଗ୍ରାହକ ସେବା ବ୍ୟବସ୍ଥାକୁ ସ୍ୱୟଂକ୍ରିୟ କରାଯାଇଛି । ଏଥିରେ ୧୮୦୦ - ୩୪୫ - ୭୧୩୫ ଟୋଲ ଫ୍ରି ନମ୍ବର ଏବଂ ୯୪୩୮୦୧୬୦୦୭ / ୯୪୩୮୦୧୬୦୦୮ ଆଦି ଦୁଇଟି ମୋବାଇଲ୍ ନମ୍ବର ସଂଯୋଜିତ କରାଯାଇଛି । ଫୋନ୍ କଲ୍, ଇମେଲ୍ ଏସ୍.ଏମ୍.ଏସ୍ ଆଦି ମାଧ୍ୟମରେ ତୁରନ୍ତ ଗ୍ରାହକ ସେବା ଯୋଗାଇ ଦିଆଯାଉଛି ବୋଲି ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଜଣାଇଛନ୍ତି । ସୌର ଶକ୍ତି ଉତ୍ପାଦନ ଯନ୍ତ୍ର ସ୍ଥାପନ ପୂର୍ବରୁ ଆବଶ୍ୟକୀୟ ତଥ୍ୟର ସଂଗ୍ରହ ଓ ବିଶ୍ଳେଷଣ, ସୌର - ଯନ୍ତ୍ର ସ୍ଥାପନ ପାଇଁ ବୈଷୟିକ ସହାୟତା, ସ୍ଥାପନ ହୋଇଥିବା ଯନ୍ତ୍ରର ରକ୍ଷଣାବେକ୍ଷଣ, ଅଭିଯୋଗର ସମାଧାନ ଆଦି ସେବା ଏହି ସ୍ଵୟଂକ୍ରିୟ ବ୍ୟବସ୍ଥା ମାଧ୍ୟମରେ ସମୟାନୁବନ୍ଧିତ ଭାବେ ତୁରନ୍ତ ଯୋଗାଇ ଦିଆଯାଉଛି । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଅଣୁ - କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ, ଶିଶୁ ଓ ମହିଳା ବିକାଶ ଶାସନ ସଚିବ ଡଃ ପ୍ରମୋଦ ମେହେର୍ଦ୍ଦା, ହସ୍ତତନ୍ତ, ବୟନଶିଳ୍ପ ଓ କାରିଗରୀ ଶାସନ ସଚିବ ଶୁଭା ଶର୍ମା, ଫଚାୟତିରାଜ ଓ ପାନୀୟଜଳ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ବିଜ୍ଞାନ ଓ ବୈଷୟିକ ବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ରଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details