ଭୁବନେଶ୍ବର: ଓଡିଆ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତି । ଓଡିଆ ସଙ୍ଗୀତର ମାଧୁର୍ଯ୍ୟତା ଓ ପରିପୂର୍ଣ୍ଣତାର ଅନନ୍ୟ ପରିଚୟ । ଏକାଧାରରେ ସେ ଥିଲେ ଜଣେ ଲେଖକ, ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ । ତାଙ୍କ ଗୀତ ବାଜିବା ମାତ୍ରେ ଝୁମି ଉଠୁଥିଲେ ଶ୍ରୋତା । ତାଙ୍କ କଣ୍ଠର ଯାଦୁ ବାନ୍ଧି ରଖୁଥିଲା ପ୍ରତିଟି ଓଡିଆ ମନକୁ । ନିଜ ଜୀବନ କାଳ ମଧ୍ୟରେ ରୋମାଣ୍ଟିକ ଗୀତଠୁ ଆରମ୍ଭ କରି ଭଜନ ଯାଏଁ ସବୁଥିରେ ନିଜର କଣ୍ଠଦାନ କରିଛନ୍ତି ଏହି କିମ୍ବଦନ୍ତୀ ପୁରୁଷ । ଆଜି ସେହି ମହାନ ସଙ୍ଗୀତଜ୍ଞ, ଗାଳ୍ପିକ ତଥା ଔପନାସିକ ଖୋକା ଭାଇଙ୍କ ଜନ୍ମଦିନ ।
1937 ମସିହା ଅକ୍ଟୋବର 12 ତାରିଖରେ କଟକଠାରେ ତାଙ୍କର ଜନ୍ମ । ପିତା ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣମଞ୍ଜରୀ ମହାନ୍ତି । ଷ୍ଟୁଆର୍ଡ ସାଇନ୍ସ କଲେଜରେ ଆଇଏସସି ଓ ରେଭେନ୍ସା କଲେଜରେ ବିଏ ଅଧ୍ୟୟନ କରିଥିଲେ ଅକ୍ଷୟ ମହାନ୍ତି । ପଢା ସରିବା ପରେ ସେ ଚାକିରୀରେ ଯୋଗ ଦେଇଥିଲେ ସତ ହେଲେ କିଛି ବର୍ଷ ପରେ ସଙ୍ଗୀତ ପାଇଁ ଚାକିରୀ ଛାଡି ଦେଇଥିଲେ । କୌଣସି ପ୍ରକାର ଆନୁଷ୍ଠାନିକ ସଙ୍ଗୀତ ଶିକ୍ଷା ନ ନେଇଥିଲେ ମଧ୍ୟ ସେ ସଙ୍ଗୀତ ଜଗତରେ ଏକ ବିପ୍ଲବ ଆଣିଥିଲେ ।