ଓଡିଶା

odisha

By

Published : Jul 11, 2021, 11:01 AM IST

ETV Bharat / city

ଜୁଲାଇ ୧୫ରୁ ଖରିଫ ଧାନସଂଗ୍ରହ ପାଇଁ ହେବ ପଞ୍ଜିକରଣ

ଜୁଲାଇ 15ରୁ ଆରମ୍ଭ ହେବ ଖରିଫ ଧାନସଂଗ୍ରହ ନିମନ୍ତେ ଚାଷୀଙ୍କ ନାମ ପଞ୍ଜିକରଣ । ସମସ୍ତ ୩୦ ଜିଲ୍ଲାରେ ଚାଷୀଙ୍କ ନାମ ପଞ୍ଜିକରଣ କରାଯିବ । ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଏକ ନିର୍ଭୁଲ ଓ ଯୋଗ୍ୟ ଚାଷୀ ନାମ ନାମ ପଞ୍ଜିକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଜୁଲାଇ ୧୫ରୁ ଅନଲାଇନରେ ଆରମ୍ଭ ହେବ ଖରିଫ ଧାନସଂଗ୍ରହ ପାଇଁ ପଞ୍ଜୀକରଣ
ଜୁଲାଇ ୧୫ରୁ ଅନଲାଇନରେ ଆରମ୍ଭ ହେବ ଖରିଫ ଧାନସଂଗ୍ରହ ପାଇଁ ପଞ୍ଜୀକରଣ

ଭୁବନେଶ୍ବର: ଖରିଫ ଧାନସଂଗ୍ରହ ନିମନ୍ତେ ଜୁଲାଇ 15ରୁ ଅନଲାଇନରେ ଆରମ୍ଭ ହେବ ଚାଷୀଙ୍କ ନାମ ପଞ୍ଜିକରଣ । ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ପୂର୍ବ ପଞ୍ଜିକରଣ ନବୀକରଣ ହେବ ନାହିଁ । ଏନେଇ ଚାଷୀମାନଙ୍କୁ ସେମାନଙ୍କର ଜମିଜମା, ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ, ମୋବାଇଲ୍‌ ନମ୍ବର ଆଦି ସମସ୍ତ ତଥ୍ୟ ଦାଖଲ କରବାକୁ ପଡ଼ିବ । ଯେଉଁ ଚାଷୀମାନେ ଚଳିତ ଖରିଫରେ ସେମାନଙ୍କର ବଳକା ଧାନ ସରକାରଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି କରିବାକୁ ଇଚ୍ଛୁକ ସେମାନଙ୍କୁ ନିକଟବର୍ତ୍ତୀ ସୋସାଇଟିରେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ ।

ଲ୍ୟାମ୍ପସ୍‌, ମହିଳା ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତରେ ନିଜ ନଜି ଅଞ୍ଚଳ ନିମନ୍ତେ ଚାଷୀଙ୍କ ନାମ ରେଜିଷ୍ଟ୍ରେସନ୍ କରାଯିବ । ସୋସାଇଟିରେ ଧାନ ବିକ୍ରି କରିବା ନିମନ୍ତେ ପୂର୍ବରୁ ନାମ ରେଜିଷ୍ଟ୍ରେସନ କରାଇବା ବାଧ୍ୟତାମୂଳକ । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ମାର୍ଗଦର୍ଶିକା ଜିଲ୍ଲାପାଳମାନଙ୍କୁ ପଠାଯାଇଛି । ସମସ୍ତ ୩୦ ଜିଲ୍ଲାରେ ଚାଷୀଙ୍କ ନାମପଞ୍ଜୀକରଣ କରାଯିବ । ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଏକ ନିର୍ଭୁଲ ଓ ଯୋଗ୍ୟ ଚାଷୀ ନାମ ନାମପଞ୍ଜୀକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀମାନେ ଯେପରି ସୁବିଧାରେ ଫର୍ମ ପୂରଣ କରିପାରିବେ ସେଥି ନିମନ୍ତେ ପ୍ରତ୍ୟେକ ସୋସାଇଟିରେ ଏକ ହେଲ୍ପ ଡେସ୍କ ରହିବ । ନାମ ନାମପଞ୍ଜୀକରଣ ତଥ୍ୟ ସମ୍ବନ୍ଧୀୟ କୌଣସି ଆପତ୍ତି-ଅଭିଯୋଗ ଆସିଲେ ତାହାର ତୁରନ୍ତ ଶୁଣାଣି କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥି ସହିତ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ପ୍ରତ୍ୟେକ ସୋସାଇଟିରେ ଚାଷୀ ନାମପଞ୍ଜୀକରଣ ଫର୍ମ ଚାଷୀମାନଙ୍କୁ ବିନାମୂଲ୍ୟରେ ଯୋଗାଇ ଦିଆଯିବ । ଚାଷୀମାନେ ଫର୍ମରେ ନିର୍ଭୁଲ ତଥ୍ୟ ପ୍ରଦାନ କରିବେ । କେହି ଭୁଲ ତଥ୍ୟ ପ୍ରଦାନ କଲେ ଧାନସଂଗ୍ରହ ପ୍ରକ୍ରିୟାରୁ ବାଦ ପଡ଼ିବେ । ଏହାକୁ ଅପଲୋଡ଼ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଚାଷୀମାନେ ଫର୍ମ ପୂରଣ କରିବା ପରେ ଫର୍ମ ସହିତ ଜମିପଟ୍ଟାର ନକଲ, ବ୍ୟାଙ୍କ ପାସ୍‌ ବହିର ପ୍ରଥମ ପୃଷ୍ଠା କପି, ଆଧାର କାର୍ଡର ନକଲ ଦାଖଲ କରିବେ । ଏଥି ସହିତ ଚାଷୀଙ୍କୁ ନିଜର କିମ୍ବା ପରିବାରର ଯେକୌଣସି ସଦସ୍ୟଙ୍କ ମୋବାଇଲ ଫୋନ ନମ୍ବର ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି । ଅବୈଧ ଆଧାର କାର୍ଡ ନମ୍ବର ଥିବା ଚାଷୀ ରେଜିଷ୍ଟ୍ରେସନ୍ ଫର୍ମକୁ ନାମ ନାମପଞ୍ଜିକରଣ ନିମନ୍ତେ ବିବେଚନା କରାଯିବ ନାହିଁ । ଏଥି ସହିତ ଚାଷୀ ଚଳିତ ଖରିଫରେ କେତେ ଜମିରେ ଧାନ କରିଛନ୍ତି ତାହାର ପ୍ରକୃତ ତଥ୍ୟ ଦେବାକୁ ପଡ଼ିବ । ଚାଷୀ କେବେ ମଣ୍ଡିକୁ ଧାନ ଆଣିବେ, ତାହାର ସମୟ ମଧ୍ୟ ଉଲ୍ଲେଖ କରିବେ । ଭାଗଚାଷୀଙ୍କୁ ରେଜିଷ୍ଟ୍ରେସନ୍‌ ଫର୍ମ ସହିତ ଜମି ମାଲିକଙ୍କର ସମ୍ମତି ପତ୍ର ଦାଖଲ କରିବାକୁ ପଡ଼ିବ । ଏଥି ସହିତ ଭାଗଚାଷୀଙ୍କୁ ଜମି ମାଲିକଙ୍କ ଆଧାର କାର୍ଡ଼ର ନକଲ ଏବଂ ମୋବାଇଲ ନମ୍ବର ଦାଖଲ କରିବାକୁ ପଡ଼ିବ । ଜମି ମାଲିକମାନଙ୍କ ସମ୍ମତି ପତ୍ର ବିନା ଭାଗଚାଷୀଙ୍କ ନାମ ନାମପଞ୍ଜିକରଣ ହୋଇପାରିବ ନାହିଁ ।

ଚାଷୀମାନେ ଚଳିତ ଖରିଫରେ ପ୍ରକୃତରେ କେତେ ପରିମାଣର ଜମିରେ ଧାନ ଚାଷ କରିଛନ୍ତି ତାହାର ସତ୍ୟତା ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି । ଯେଉଁ ପ୍ଲଟଗୁଡ଼ିକ ‘ଭୂଲେଖ’ରେ ନାହିଁ, ସେଗୁଡ଼ିକ ରାଜସ୍ବ ଅଧିକାରୀଙ୍କ ଦ୍ବାରା ଯାଞ୍ଚ କରାଯିବ । ଯଦି ଜମିଗୁଡ଼ିକ ରାଜସ୍ବ ରେକର୍ଡରେ ଜଳସେଚିତ ବୋଲି ଉଲ୍ଲେଖ ନାହିଁ, କିନ୍ତୁ ଚାଷୀ ବୋରୱେଲ ଏବଂ ଉଠାଜଳସେଚନ ମାଧ୍ୟମରେ ଜଳସେଚନ କରୁଥିବାର ଦାବି କରୁଛନ୍ତି, ତେବେ ତାହାକୁ ଯୁଗ୍ମ କମିଟି ଦ୍ବାରା ଯାଞ୍ଚ କରାଯିବ । ଏଥି ସହିତ ଏଗୁଡ଼ିକୁ ଯଦି ବିଦ୍ୟୁତ ସଂଯୋଗ ହୋଇଥିବ ତେବେ ବିଦ୍ୟୁତ ଗ୍ରାହକ ନମ୍ବର ଦେବାକୁ ପଡ଼ିବ । କିସମରେ ଯେଉଁ ଜମିଗୁଡ଼ିକ ଚାଷ ଉପଯୋଗୀ ନୁହେଁ, ଯଥା: ଅନାବାଦି, ଘରବାଡ଼ି, ଖେଳପଡ଼ିଆ, ପର୍ବତ, ନଦୀ, ରେଳପଥ ଇତ୍ୟାଦି ଉଲ୍ଲେଖ ଥିବ, ସେଗୁଡ଼ିକୁ ବାଦ ଦିଆଯିବ । ଏଥି ସହିତ ଉଚ୍ଚଜମି ଯାହାକି ଧାନ ଚାଷ ପାଇଁ ଉପଯୁକ୍ତ ନୁହେଁ, ସେଗୁଡ଼ିକ କୃଷି, ଜଳସେଚନ ଓ ସମବାୟ ଅଧିକାରୀଙ୍କ ଦ୍ବାରା ଯାଞ୍ଚ କରାଯାଇ ବାଦ ଦିଆଯିବ ।

ସୋସାଇଟି ସଂପାଦକମାନେ ରେଜିଷ୍ଟ୍ରେସନ୍‌ ଫର୍ମରେ ଦିଆଯାଇଥିବା ତଥ୍ୟ ଏବଂ ଦାଖଲ କରାଯାଇଥିବା ତଥ୍ୟ ଯାଞ୍ଚ କରିସାରିବା ପରେ ଏହାକୁ ସୋସାଇଟିରେ ଡିଜିଟାଇଜ କରାଯିବ । ସମସ୍ତ ରେଜିଷ୍ଟ୍ରେସନ୍ ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଜୁଲାଇ ୧୮ ତାରିଖରୁ ଆଗଷ୍ଟ ୨୨ ତାରିଖ ମଧ୍ୟରେ ଶେଷ ହେବ । ନିର୍ଭୁଲ ନାମ ନାମପଞ୍ଜୀକରଣ କରିବା ନିମନ୍ତେ ସୋସାଇଟି ଏବଂ ପର୍ଯ୍ୟବେକ୍ଷଣ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ରେଜିଷ୍ଟ୍ରେସନ୍‌ କାର୍ଯ୍ୟକୁ ତ୍ବରାନିତ ଏବଂ ତଦାରଖ କରିବା ନିମନ୍ତେ ଡିଆର୍‌ସିଏସ୍‌, ଏଆର୍‌ସିଏସ୍‌, ଡିଏସ୍‌ଡବ୍ଲୁ୍ୟ, ମିଶନ ଶକ୍ତି କୋଅର୍ଡିନେଟର, ସିଏସ୍‌ଓ, ଏସିଏସ୍‌ଓ, ଯୋଗାଣ ନିରୀକ୍ଷକ ପ୍ରମୁଖ ତଦାରଖ କରିବେ । ଭୂଲେଖରେ ଉଲ୍ଲିଖିତ ହୋଇନଥିବା ଜମିଜମାର ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ, ଜଳସେଚିତ ଜମି ଏବଂ ଭାଗଚାଷୀ ସମ୍ବନ୍ଧୀୟ ସମସ୍ତ ତଥ୍ୟର ଯାଞ୍ଚ ପ୍ରକ୍ରିୟା ଆଦି କାର୍ଯ୍ୟ ସେପ୍ଟେମ୍ବର ୭ ତାରିଖ ସୁଦ୍ଧା ଶେଷ ହେବ ଏବଂ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଚାଷୀ ନାମ ନାମପଞ୍ଜୀକରଣ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details