ଭୁବନେଶ୍ବର: କ୍ରମଶଃ ଦୁର୍ବଳ ହେଉଛି ବାତ୍ୟା ଅସାନି । ସନ୍ଧ୍ୟାରେ ଅସାନି ଭୀଷଣ ବାତ୍ୟାରୁ ପରିବର୍ତ୍ତନ ହୋଇ ବାତ୍ୟାର ରୂପ ନେବ । ଏହାପରେ ପଶ୍ଚିମ-କେନ୍ଦ୍ରୀୟ ଓ ତତ୍ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟା ଅସାନି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୦ କିମି ବେଗରେ ଗତି କରୁଛି ।
ବର୍ତ୍ତମାନ ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୪୯୦ କିଲୋମିଟର ଏବଂ ପୁରୀରୁ ଦକ୍ଷିଣ-ପଶ୍ଚିମ ଦିଗରେ ୫୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତିପଥ ବଜାୟ ରଖିବା ସହ ଆଜି ପଶ୍ଚିମ-କେନ୍ଦ୍ରୀୟ ଓ ତତ୍ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଉତ୍ତର-ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି । ଓଡିଶା ଉପକୂଳ ପହଞ୍ଚିବା ବେଳକୁ ବାତ୍ୟା ଗଭୀର ଅବପାତ କିମ୍ବା ଅବପାତରେ ପରିଣତ ହୋଇଯିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସେହିପରି ବାତ୍ୟା ଅତିକ୍ରମ କରିବା ସମୟରେ ଗୋପାଳପୁର ଠାରୁ ୭୮ କିଲୋମିଟର ଏବଂ ପୁରୀରୁ ୧୫୩ କିଲୋମିଟର ଦୂରରେ ଗତି କରିବ । ଅସାନି ପ୍ରଭାବରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଅସାନି ପ୍ରଭାବରେ ଆଜି(ମଙ୍ଗଳବାର) ଠାରୁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ କାଁ ଭାଁ ବର୍ଷା ହେବ ।