ଭୁବନେଶ୍ବର: ବଦଳୁଛୁ ପ୍ରଦେଶ କଂଗ୍ରେସର ପାଣିପାଗ । ନୂତନ ପ୍ରଭାରୀ ନିଯୁକ୍ତ ପରେ ଓଡିଶା କଂଗ୍ରେସରେ ନୂତନ ହାୱା ବହିବା ନେଇ ଚର୍ଚ୍ଚା ଜୋର ଧରିଲାଣି । ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଭାବେ ଚେଲ୍ଲା କୁମାରଙ୍କୁ ଦିଆଯାଇଛି ଦାୟିତ୍ବ । ଆଉ ଏହି ନୂଆ ଦାୟିତ୍ବ ପରେ ଓଡିଶା କଂଗ୍ରେସ ମୁଖିଆ ପରିବର୍ତ୍ତନ ନେଇ ଆଭାସ ଦେଲେଣି କଂଗ୍ରେସର ଛାମୁଆ ନେତାଗଣ । ସେପଟେ ଏଆଇସିସିରେ ବ୍ୟାପକ ପରିବର୍ତ୍ତନ ହେଉଥିବାରୁ ରାଜ୍ୟର କଂଗ୍ରେସ ନେତୃତ୍ଵରେ ପରିବର୍ତ୍ତନ ନେଇ ଚର୍ଚ୍ଚା ହେଉଛି ।
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାସଂଦ ଭକ୍ତ ଦାସଙ୍କୁ ଏଆଇସିସି ପକ୍ଷରୁ ଦିଆଯାଇଛି ନୂଆ ଦାୟିତ୍ବ । ମିଜୋରାମ୍ ଓ ମଣିପୁରର ନୂଆ ପିସିସି ପ୍ରଭାରୀ ନିଯୁକ୍ତି ହୋଇଛନ୍ତି ଭକ୍ତ । ତେବେ ନୂତନ ଓଡିଶା ପ୍ରଭାରୀଙ୍କୁ ନେଇ ଭକ୍ତ ଦାସ କହିଛନ୍ତି ଯେ, ’’ଚେଲ୍ଲା କୁମାର ଜଣେ ଦକ୍ଷ ନେତା । ସମସ୍ତ ସଂଘଠନକୁ ମଜଭୁତ କରିବାର କ୍ଷମତା ତାଙ୍କ ନିକଟରେ ରହିଛି । ସେ ଭଲ ସଙ୍ଗଠକ । ସେ ଓଡ଼ିଶାର କଂଗ୍ରେସ ବିଷୟରେ ଅବଗତ ଅଛନ୍ତି ।’’