ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ପ୍ରଥମ ଦିନରୁ ହିଁ ସରଗରମ ହୋଇଛି । ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ମିଳିତ ଭାବେ ଗୋଟିଏ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସିଛନ୍ତି । ଆଜି କଂଗ୍ରେସ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ମୁଲତବୀ ନୋଟିସ ଦେଇଥିବା ବେଳେ ବିଜେପି ନାରୀ ନିର୍ଯାତନା ପ୍ରସଙ୍ଗରେ ମୁଲତବୀ ଆଲୋଚନା ପାଇଁ ନୋଟିସ ଦେଇଥିଲା । ବିଜେପିର ମୁଲତବୀ ନୋଟିସ ଗ୍ରହଣ ହୋଇଥିବା ବେଳେ କଂଗ୍ରେସର ନୋଟିସକୁ ବାଚସ୍ପତି ଅଗ୍ରାହ୍ୟ କରିଥିଲେ ।
ଫଳରେ ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନକାଳକୁ ବାତିଲ କରି ନାରୀ ନିର୍ଯ୍ୟାତନା ନେଇ ସ୍ବତନ୍ତ୍ର ଆଲୋଚନା ଦାବି କରିଥିଲେ । ବାଚସ୍ପତି ନରସିଂହଙ୍କ ଦାବିକୁ ଗ୍ରହଣ ନକରିବାରୁ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ନରସିଂହ ଅଭିଯୋଗ କରିଛନ୍ତି ଯେ, ସରକାରୀ ଦଳ ଏହି ପ୍ରସଙ୍ଗକୁ ଗୁରୁତ୍ବ ଦେଉନାହାଁନ୍ତି । ନାବାଳିକା ଦୁଷ୍କର୍ମରେ ଓଡିଶା ଏକ ନମ୍ବରରେ ଥିବାବେଳେ ନାରୀ ନିର୍ଯ୍ୟାତନାର ବି ଓଡିଶାର ସ୍ଥିତି ଉଦବେଗଜନକ । ଏହା ସୁପ୍ରିମକୋର୍ଟରେ ଦାଖଲ ଏକ ପିଆଇଏଲରୁ ଜଣାପଡିଛି ।