ଭୁବନେଶ୍ବର: ଅନଲାଇନରେ ହୋଇପାରିବ ମଣ୍ଡପ ବୁକିଙ୍ଗ । ଆଉ ଆଗଭଳି ମଣ୍ଡପ ମାଲିକଙ୍କ ପାଖକୁ ଯିବାକୁ ପଡିବନି କି କାହାର ସୁପାରିଶକୁ ଅପେକ୍ଷା କରିବାକୁ ପଡିବ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିବା 5 'ଟି'କୁ ଆପଣାଇ ଓଡିଶା ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଏପରି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି।
ସ୍ଥାନୀୟ ସଂସ୍କୃତି ବିଭାଗ ପରିସରରେ ଆଜି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହାଦ୍ବାରା ସ୍ବଚ୍ଛତା ଅବଲମ୍ବନ ସହିତ ସମୟର ସଦୁପଯୋଗ ହୋଇପାରିବ ବୋଲି ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।
ଏଥିପାଇଁ ଷ୍ଟେଟ ବ୍ୟାଙ୍କ ଆର୍ଥିକ ନେଣଦେଣ ପ୍ରକ୍ରିୟାର ତଦାରଖ କରିବା ସହିତ ଲୋକଙ୍କୁ ରସିଦ ପ୍ରଦାନ କରିବ । ଆବଶ୍ୟକସ୍ଥଳେ ପେମେଣ୍ଟ ଫେରସ୍ତ ଆଦି ବିଷୟକୁ ପରିଚାଳନା କରିବ ବୋଲି ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ବିଜୟ କୁମାର କୁଜୁର ପ୍ରକାଶ କରିଛନ୍ତି।