ଭୁବନେଶ୍ବର: ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ରଥଯାତ୍ରାକୁ ନେଇ ବଡ ଘୋଷଣା କରିଛନ୍ତି । ଚଳିତ ବର୍ଷର ରଥଯାତ୍ରା ମଧ୍ୟ ପୂର୍ବ ବର୍ଷ ଭଳି ବିନା ଭକ୍ତରେ ସମ୍ପନ୍ନ କରାଯିବ । ସମସ୍ତ କୋଭିଡ ଗାଇଡଲାଇନ ମାନି ରଥଯାତ୍ରା ସମ୍ପନ୍ନ କରାଯିବ ବୋଲି ପ୍ରଦୀପ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
କେବଳ ପୁରୀ ବ୍ୟତୀତ ଅନ୍ୟ କେଉଁ ସ୍ଥାନରେ ରଥଟଣା ହେବା ନାହିଁ । ଅନ୍ୟ ସ୍ଥାନରେ ମନ୍ଦିର ଭିତରେ କେବଳ ନୀତିକାନ୍ତି ହେବ । ସେହିପରି ପୁରୀ ରଥଯାତ୍ରାରେ ନୀତି କରିବାକୁ ଥିବା ସମସ୍ତ ସେବାୟତଙ୍କର ଟୀକାକରଣ ପ୍ରକ୍ରିୟା ଶେଷ ହୋଇଥିବା ଆବଶ୍ୟକ ବୋଲି କହିଛନ୍ତି । ଏହାସହିତ ସେବାୟତଙ୍କ 48 ଘଣ୍ଟା ପୂର୍ବରୁ RT-PCR ନେଗେଟିଭ ରିପୋର୍ଟ ମଧ୍ୟ ଜରୁରୀ କହିଲେ ଏସଆରସି । ରଥଯାତ୍ରା ସମୟରେ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ । ବାହାର ଲୋକଙ୍କୁ ଏହି ସମୟରେ ପୁରୀ ଆସିବାକୁ ବାରଣ କରାଯାଇଥିବା ବେଳେ ଟ୍ରେନ, ବସ ଚଳାଚଳ ବନ୍ଦ ରହିବ । ରଥଯାତ୍ରା ସମୟରେ ପୁରୀରେ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ ବୋଲି ଏସଆରସି ସ୍ପଷ୍ଟ କରିଛନ୍ତି ।