ଭୁବନେଶ୍ବର:ପଶୁଙ୍କୁ ଲମ୍ପିଂ ଚର୍ମ ରୋଗ (Lumpy Skin Disease) ଭୟ । ଆକ୍ରାନ୍ତ ପଶୁଙ୍କୁ ଅନ୍ୟ ଗୃହପାଳିତ ପଶୁଙ୍କ ଠାରୁ ଅଲଗା ରଖିବାକୁ ପ୍ରାଣୀପାଳକଙ୍କୁ ଟ୍ବିଟ କରି ଅନୁରୋଧ କଲେ ବିଭାଗୀୟ ମନ୍ତ୍ରୀ । ଟ୍ବିଟ ଯୋଗେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ''ଲମ୍ପିଂ ନାମକ ଏକ ଚର୍ମ ରୋଗ ରାଜ୍ୟରେ ଗତ ୨୦୧୯ ମସିହାରେ ଦେଖାଦେଇଥିଲା । ଏହା ପରଠାରୁ ଏବେ ଯାଏଁ ଆଉ ଚିହ୍ନଟ ହୋଇନାହିଁ । ଯେତେବେଳେ ଏହା ଚିହ୍ନଟ ହୋଇଥିଲା ବିଭାଗ ପକ୍ଷରୁ ଉଚିତ୍ ପଦକ୍ଷେପ ନିଆଯାଇ ୩୦୦୦ରୁ ଊର୍ଦ୍ଧ୍ବ ପ୍ରାଣୀଙ୍କୁ ଟୀକାକରଣ କରିଥିଲା । ଏବେ ସମସ୍ତ ଜିଲ୍ଲାର CDVOଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଏହି ରୋଗର କୌଣସି ଲକ୍ଷଣ ପଶୁମାନଙ୍କ ଶରୀରରେ ଦେଖାଗଲେ ତୁରନ୍ତ ସୂଚିତ କରିବେ, ଏହାପରେ ବିଭାଗ ପକ୍ଷରୁ ଉଚିତ ପଦକ୍ଷପ ନିଆଯିବ'' । ଏଥି ସହ କେହି ଭୟଭୀତ ନହୋଇ ସଜାଗ ଓ ସତର୍କ ରହିବାକୁ କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ଏହା ମଧ୍ୟ ପଢନ୍ତୁ-ଜଗତସିଂହପୁରରେ ବ୍ୟାପୁଛି ଲମ୍ପିସ୍କିନ ରୋଗ, ମିଳୁନି ନିରାକରଣ ଉପାୟ
୨୦୧୯ ମସିହାରେ ଜଗତସିଂହପୁର 8ଟି ବ୍ଲକରେ ଲମ୍ପି ସ୍କିନ ରୋଗର ଆତଙ୍କ ଦେଖା ଦେଇଥିଲା । ଯାହାକୁ ନେଇ ଗୋପାଳନ କରୁଥିବା ଚାଷୀଙ୍କ ମୁଣ୍ଡରେ ଚଡକ ପଡିଥିଲା । ଏହି ରୋଗ, ଏକ ବିଦେଶାଗତ ରୋଗ ହୋଇଥିବାରୁ ଏହାର ନିରାକରଣ ପାଇଁ ସେ ସମୟରେ କୌଣସି ପ୍ରତିଷେଧକ ବ୍ୟବସ୍ଥା ନଥିଲା । ଫଳରେ ପ୍ରତ୍ୟେକ ଦିନ ଶହ ଶହ ଗୋରୁ ଗାଈ ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ୁଥିଲେ ।