ଭୁବନେଶ୍ବର: ରାଜ୍ୟରେ ରବି ଧାନ ସଂଗ୍ରହ ଅବ୍ୟବସ୍ଥା ନେଇ ବିରୋଧୀଙ୍କ ଆନ୍ଦୋଳନ ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଗତ ବର୍ଷ ତୁଳନାରେ ଚଳିତବର୍ଷ ୮ ପ୍ରତିଶତରୁ ଅଧିକ ଧାନ ସଂଗ୍ରହ ହୋଇଛି । ବିରୋଧୀ ବିଜେପି ଓ କଂଗ୍ରେସ ରାଜନୈତିକ ଦଳ ଉଦେଶ୍ୟ ରଖି କଳି କରୁଛନ୍ତି ବୋଲି କହିଛନ୍ତି । ଯଦି କୌଣସି ଅଞ୍ଚଳରେ ପ୍ରକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହୋଇନଥିବା ବିରୋଧୀ ସଠିକ ତଥ୍ୟ ଦେବେ, ତେବେ ବିଭାଗ ବିଚାରକୁ ନେବ ।
ରାଜ୍ୟର ୧୭ଟି ଜିଲ୍ଲାର ୨ ଲକ୍ଷ ୨୪ ହଜାର ୫୪୪ ଜଣ ଚାଷୀଙ୍କର ନାମ ପଞ୍ଜିକୃତ ଓ ଯାଞ୍ଚ ହୋଇଥିବାବେଳେ ୨ ଲକ୍ଷ ୩ ହଜାର ୭୮୯ ଜଣ ଧାନ ବିକ୍ରି କରିଛନ୍ତି । ୨୦୨୦ ରବି ଧାନସଂଗ୍ରହ କାର୍ଯ୍ୟକ୍ରମରେ ପଂଜୀକୃତ ଓ ଯାଞ୍ଚ ଚାଷୀଙ୍କ ମଧ୍ୟରୁ ୮୨.୬୯ ପ୍ରତିଶତ ଚାଷୀ ରବିଧାନ ବିକ୍ରି କରିଥିଲେ । ସେହିପରି ଖରିଫରେ ୮୦.୯୫ ପ୍ରତିଶତ ସଂଜୀକୃତ ଓ ଯାଞ୍ଚ ଚାଷୀ ଧାନ ବିକ୍ରି କରିଛନ୍ତି । ଗତ ଖରିଫଠାରୁ ଚଳିତ ରବିରେ ପ୍ରାୟ ୧୦ ପ୍ରତିଶତ ଅଧିକ ପଞ୍ଜିକୃତ ଚାଷୀ ଧାନବିକ୍ରି କରିଛନ୍ତି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।
ଗତବର୍ଷ ୮୩ ପ୍ରତିଶତ ରବିଧାନ ସଂଗ୍ରହ ହୋଇଥିବା ବେଳେ ଚଳିତବର୍ଷ ୯୧ ପ୍ରତିଶତ ଧାନ ସଂଗ୍ରହ ହୋଇଛି । ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣାଯାଇଛି । ଚଳିତବର୍ଷ ୮ ପ୍ରତିଶତ ଅଧିକ ଲୋକ ଧାନ ବିକିଛନ୍ତି । ଯୋଗାଣମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ମୁଁ ସବୁବେଳେ ବିରୋଧୀଙ୍କୁ କହିଛି ଟୋକନ୍ ବ୍ୟବସ୍ଥା ଟେକ୍ନୋଲୋଜି ଦ୍ବାରା ନିୟନ୍ତ୍ରିତ ହେଉଛି । ଏହା ଅଟୋମେଟେଡ ସିଷ୍ଟମ ।