ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଭାଇ-ଭଉଣୀଙ୍କ ପାଇଁ ଦିନଟିଏ । ଏହା ପ୍ରତି ବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଇଥାଏ । ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମାକୁ 'ନାରିକେଳ ପୂର୍ଣ୍ଣିମା' ଭାବେ ପାଳନ କରାଯାଏ। ଏହି ଦିନ ସମୁଦ୍ର ଦେବତା ବରୁଣଙ୍କୁ ନାରିକେଳ ବା ନଡ଼ିଆ ପ୍ରଦାନ କରାଯାଏ । ଉତ୍ତର ଭାରତରେ ଏହି ପର୍ବ 'କାଜରି ପୂର୍ଣ୍ଣିମା' ଭାବେ ବେଶ୍ ଜଣାଶୁଣା ।
ଆସନ୍ତୁ ପଢିବା ଭାଇ-ଭଉଣୀଙ୍କ ଏହି ପବିତ୍ର ଦିନ ସମ୍ପର୍କରେ...
ଗହ୍ମା ପୂର୍ଣ୍ଣିମା:
ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ଅତି ସୁନ୍ଦର ଭାବେ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । ପୁରୀ ମନ୍ଦିରରେ ଏଥିନେଇ ସ୍ବତନ୍ତ୍ର ପୂଜାପାଠ କରାଯାଇଥାଏ। ବ୍ରାହ୍ମଣମାନେ ମନ୍ତୁରା ହୋଇଥିବା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି ।
ପୁରାଣରେ ରାକ୍ଷୀ ପୂର୍ଣ୍ଣିମା:
ପୁରାଣରେ ଅସୁର ରାଜାବଳିଙ୍କଠାରୁ ଆରମ୍ଭ କରି ମୋଗଲ ସମ୍ରାଟ ହୁମାୟୁନଙ୍କ ଯାଏଁ ରାକ୍ଷୀ ପୂର୍ଣ୍ଣିମା ପାଳନ ହୋଇଆସୁଛି। ରାଜା ଠାରୁ ଆରମ୍ଭ କରି ପ୍ରଜା ଯାଏଁ ସମସ୍ତେ ନିଜ ନିଜ ଭଉଣୀର ସମ୍ମାନକୁ ରକ୍ଷା କରିଆସିଛନ୍ତି । ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି।
ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବାବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ରକ୍ତ ବନ୍ଦ ହୋଇଯାଇଥିଲା । ଶ୍ରୀକୃଷ୍ଣ ଦ୍ରୌପଦୀଙ୍କ ଏହି ଭଲପାଇବା ଦେଖି କାନ୍ଦି ପକାଇଥିଲେ । ତାଙ୍କୁ ଦ୍ରୌପଦୀଙ୍କ ମଧ୍ୟରେ ଭଉଣୀର ରୂପ ଦେଖାଯାଇଥିଲା। ସେ ଏହି ଋଣ କିପରି ସୁଝିବେ, ସେ ନେଇ ଚିନ୍ତିତ ଥିଲେ। କିନ୍ତୁ କଥାରେ କୁହନ୍ତିନା, କାହା ଋଣ କେହି କେବେ କେହି ରଖନ୍ତି ନାହିଁ।
ଯାହାର ଫଳାଫଳ କୁରୁସଭାରେ ଦେଖିବାକୁ ମିଳିଥିଲା। ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ, ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନ କରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ । ଏହା ଥିଲା ଭାଇ-ଭଉଣୀଙ୍କ ସ୍ନେହର ଏକ ଅନନ୍ୟ ନିଦର୍ଶନ।
ଭାଇ ପରି କିଏ ହେବ:
'ଭାଇ'। ଏହା ଏକ ଏମିତି ଶଦ୍ଦ, ଯାହାକୁ ଡାକି ଦେଲେ ପେଟ ପୁରିଯାଏ। ମନ ଆନନ୍ଦରେ ଭରିଯାଏ। ସାହସର ଅଫୁରନ୍ତ ବଳ କାହିଁ କେଉଁଆଡୁ ଚାଲିଆସେ। ଏହି ଡାକରେ ଭରି ରହିଥାଏ ସ୍ନେହ, ଭଲପାଇବା, ପ୍ରେମ। ବାପାଙ୍କ ପରେ ଯଦି କେହି ପରିବାରର ମୁଖ୍ୟ ହୋଇଥାଏ, ସେ ହେଉଛି ଭାଇ। ଘରେ ସମସ୍ତଙ୍କର ଗେହ୍ଲା ନନ୍ଦନ ହୋଇଥିବା ଭାଇ କିନ୍ତୁ ଅଭିମାନିନୀ ଭଉଣୀର ଅତି ନିକଟତର ହୋଇଥାଏ। ସେଥିପାଇଁ ତ ପ୍ରତ୍ୟେକ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ଭାଇ ହାତରେ ସ୍ନେହବୋଳା ଫିତାଟିଏ ବାନ୍ଧି ଦେଇଥାଏ। ଆଉ ବାନ୍ଧିଲାବେଳେ ଭାଇ ଠୁ ପ୍ରଣ କରି ନେଇଥାଏ କି, ଜୀବନର ପ୍ରତି ମୂହୁର୍ତ୍ତରେ ଯେ କୌଣସି ବି ଅସୁବିଧା ଆସିଲେ, କେହି ଠିଆ ହେଉ ନ ହେଉ, ଭାଇ ଠିଆ ହଉ।
ଭାଇର ପାଉଣାର ମନ ବୁଝେନା:
ଖାଲି ଏତିକି ନୁହେଁ, ମୁରୁକା ହସ ଦେଇ ଭାଇକୁ ପାଉଣା ମାଗିଥାଏ। ଆଉ ସବୁବେଳେ ଭଉଣୀ ସହ ଝଗଡା କରୁଥିବା ଭାଇ ତା ହାତକୁ 10 ଟଙ୍କା ବଢାଇ ଦେଇଥାଏ, ଆଉ କହେ ଏତିକି ରଖେ, ପରେ ନେବୁ। ବଡ ଭଉଣୀ କିଛି ନ କହିଲେ ବି ସାନ ଭଉଣୀ ଏହାକୁ ନେଇ ଅଳି କରିଥାଏ। କିନ୍ତୁ ଭାଇ ଆଗରେ ଟଙ୍କାର ମୂଲ୍ୟ କିଛି ନୁହେଁ। ଭାଇ ଭଉଣୀଙ୍କ ପ୍ରେମର ପ୍ରତୀକ ବା ସାକ୍ଷୀ ହେଉଛି ରାକ୍ଷୀ ପୂର୍ଣ୍ଣିମା। ସମ୍ପର୍କର ସେତୁବନ୍ଧ ପାଲଟିଯାଇଥାଏ ସୂତାରେ ନିର୍ମିତ ହୋଇଥିବା କ୍ଷୁଦ୍ର ରାକ୍ଷୀଟିଏ।
ଜୀବନରେ ଯଦି ମନର ଦୁଃଖକୁ ଓ ଶୁଖିଲା ମୁହଁକୁ ଚିହ୍ନିପାରୁଥିବା ଭାଇଟିଏ ଥିବ, ତେବେ ଆଉ କଣ ଦରକାର। ସେ ଖାଲି ତା ଭଉଣୀ ସହ ଝଗଡା କରିବ, ମାରିବ। କିନ୍ତୁ ବୋଉ ଯଦି ଭଉଣୀ ଉପରକୁ ହାତ ଉଠାଏ, ତେବେ ଭାଇ ଏହାକୁ ସହ୍ୟ କରିପାରେନା, ଆଉ କହେ.. 'ବୋଉ ତୁ ମୋତେ ପଛେ ମାରେ, ତାକୁ ମାରନୋ, ସେ ପା କାନ୍ଦିବ'। ସେଥିପାଇଁ ତ ସେ ସମସ୍ତଙ୍କ ଠାରୁ ଅଲଗା।
ଦୁଃଖ ସମୟରେ ଛିଡା ହୁଏ ଭାଇ:
ମନର ଆବିଳତାକୁ ବୁଝିପାରୁଥିବା, ଦୁଃଖର ସମୟରେ ପାହାଡ ପରି ଛିଡା ହେଉଥିବା, ପେଟର ଭୋକକୁ ଚିହ୍ନିପାରୁଥିବା, ଆଖିର ଲୁହକୁ ଠଉରାଇ ପାରୁଥିବା, ବୋଉ ମାରିଲାବେଳେ ପିଠିରେ ହାତ ଦେଉଥିବା, ସାଇକେଲ ପଛରେ ବସେଇ ସ୍କୁଲ ନେଉଥିବା, ଏକୁଟିଆ ବଜାର ଗଲେ ଆକଟ କରୁଥିବା, ବେଶୀ ସଜ ହେଲେ ପାଟି କରୁଥିବା ମଣିଷ ଜଣଙ୍କ ହେଉଛି 'ଭାଇ'।
ଭଉଣୀର ସାହାରା ଓ ଭରସାର ମୂର୍ତ୍ତୀମନ୍ତ ପ୍ରତୀକ ହେଉଛି 'ଭାଇ'। ଘର ହେଉ କିମ୍ବା ବାହାରେ ଭଉଣୀକୁ କେହି କିଛି କହିଦେଲେ ଭାଇର ଦେହ କଣ ହୋଇଯାଏ। ସେ ଏହାକୁ ତିଳେ ମାତ୍ର ବରଦାସ୍ତ କରିପାରେ ନାହିଁ। ଭଉଣୀ ହେଉଛି ତା ଜୀବନ। ଆଉ ଭଉଣୀ ବି ବଡ ଜୋରରେ କହିଦେଇଥାଏ, ମୋ ଭାଇ ଅଛି, ସେ ଦେଖିନେବ। ସେଥିପାଇଁ ତ ସବୁ ଭଉଣୀ ଭାଇମାନଙ୍କର ଗେହ୍ଲୀ ହୋଇଥାଆନ୍ତି। ହିନ୍ଦୀରେ ଗୋଟିଏ ଉକ୍ତିଟିଏ ଅଛି ' ସବ୍ ବେହେନ ଅପନି ଭାଇୟୋଁ କା ଜାନ୍ କା ଟୁକଡା ହୋତେଁ ହେଁ'।
ଭାଇୟୋଁ କା ଲାଡ୍ଲୀ:
ଘରେ ଭଉଣୀ ନ ଥିଲେ ଭାଇକୁ ଜମା ଭଲ ଲାଗେନା। ଯେତେ ଯାହା ହେଉ, ତା ଭଉଣୀ ତା ପାଖରେ ରହିବା ଦରକାର। ସବୁ ସମୟରେ, ସବୁ କ୍ଷଣରେ। ଭାଇ ଯେତେ ମାରିଲେ ବି ଭଉଣୀ ଭାଇ ପାଖ ଛାଡି କୁଆଡେ ଯାଇ ନଥାଏ। ସେଥିପାଇଁ ତ ହିନ୍ଦୀ ଚଳଚ୍ଚିତ୍ରରେ ଗୋଟିଏ ଗୀତ ଅଛି..
' ମେରେ ଭୟା, ମେରେ ଚନ୍ଦା, ମେରେ ଅନମୋଲ ରତନ...
ତୁଝସେ ବଦଲେ ମେ ଜମାନେ ସେ କୋଇ ଚିଜ ନା ଲୁଁ'....
ଭାଇ ଆଗରେ ଦୁନିଆର ସବୁ ସମ୍ପତ୍ତି ତୁଚ୍ଛ। ପ୍ରତ୍ୟେକ ଘରେ ଭାଇଟିଏ ଓ ଭଉଣୀଟିଏ ଥିଲେ, ସେ ଘର ଘର ନୁହେଁ, 'ସ୍ବର୍ଗ'। ସମ୍ପର୍କରେ ଅନ୍ୟ ନାମ ଭାଇ। ଭଉଣୀ ଯେତେ ଛୋଟ ହେଲେ ବି ସେ ଭାଇ ଆଗରେ ସେ ଛୋଟ ଝିଅ। ସେଥିପାଇଁ ତ ଯେତେବେଳେ ଘରେ ବାହାଘର ପ୍ରସ୍ତାବ ଆସିଥାଏ, ସେତେବେଳେ ଭାଇଟିଏ କୁହେ 'ସେ କଣ ବାହା ହେବ, ସେ ଏବେ ବହୁତ ଛୋଟ ଅଛି'। କିନ୍ତୁ କାରଣ ଥାଏ କିଛି ଅଲଗା। ସେ ତା ଗେହ୍ଲୀ ଭଉଣୀକୁ ଛାଡି ଦଣ୍ଡେ ରହିପାରିବ ନାହିଁ। ବାହାଘର ପରେ ଭାଇ ଭଉଣୀର ସ୍ବାମୀ(ଭିଣୋଇ) ଠୁ ପ୍ରଣ କରି ନେଇଥାଏ, ମୋ ଭଉଣୀ ଆଖିରେ ଯେମିତି ଟିକେ ଲୁହ ନ ଆସିବ।
ଓଡିଆ ଚଳଚ୍ଚିତ୍ରରେ ଏକ ଗୀତଟିଏ ଅଛି...
'ଭାଇ ତୋତେ ମୋର ରହିଲା ରାଣ,
କହିବୁନି କଥା ପଦିଏ ଟାଣ..
ତୋ ଆଖିରେ କେବେ ଦେବି ନାହିଁ ଲୁହ,
ହସେଇବି ତୋତେ ସାରା ଜୀବନ..
ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ'.....
ଏହି ଚଳଚ୍ଚିତ୍ରରେ ଭାଇର ମୃତ୍ୟୁ ପରେ ସେ କେମିତି ତା ଭଉଣୀଙ୍କୁ ସୁରକ୍ଷା ପ୍ରଦାନ କରୁଛି, ତାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି। ରାକ୍ଷୀ ବାନ୍ଧିଥିବା ହାତଟି ଭଉଣୀର କଡେ କଡେ ରହି ଦୃଷ୍ଟ ଲୋକଙ୍କ ଲୋଲୁପ ଦୃଷ୍ଟିରୁ ତାକୁ ରକ୍ଷା କରୁଛି।
ଭାଇର ଉଜ୍ଜଳ ଭବିଷ୍ୟତ କାମନା:
ଭାଇ-ଭଉଣୀଙ୍କ ସମ୍ପର୍କରେ ରହିଥାଏ ନିଃସ୍ବାର୍ଥପର ଭଲପାଇବା। ଯାହାର କେହି ତୁଳନା କରିପାରିବେ ନାହିଁ। ସେଥିପାଇଁ ତ ଏହା ସବୁ ସମ୍ପର୍କ ଠାରୁ ଅଲଗା ଓ ଅଭିନ୍ନ। ଭାଇର ମଥାରେ ନାଲି ଟିକା ଲଗାଇ ଦେଇ ରାକ୍ଷୀ ବାନ୍ଧି ଦେଇଥାଏ ଭଉଣୀ। ମିଠା ଖୁଆଇ ଦେବା ସହ ଭାଇର ଉଜ୍ଜଳ କାମନା କରିଥାଏ। ହାତରେ ବାନ୍ଧି ଦେଇଥିବା ରେଶମର ଡୋରୀ ପତଳା ହୋଇଥାଏ ସତ, କିନ୍ତୁ ଭାଇ-ଭଉଣୀର ସମ୍ପର୍କର ଡୋରି ଖୁବ୍ ମଜବୁତ ହୋଇଥାଏ। ଭାଇ ହାତରୁ ଦି ଟା ମାଡ ନ ଖାଇଲେ ଭଉଣୀର ମନ ବୁଝି ନ ଥାଏ।
ଭଉଣୀଟିଏ ଭାଇର ହାତରେ ରାକ୍ଷୀ ବାନ୍ଧିଦେଇ ଏହି ଗୀତଟିଏ ଗାଇଥାଏ..
' ଭୟା ମେରେ ରାକ୍ଷୀ କେ ବନ୍ଧନ କୋ ନିଭାନା...
ଭୟା ମେରେ ଛୋଟି ବେହନ କୋ ନା ଭୁଲାନା..
ଦେଖୋ ୟେ ସାଥ୍ ନିଭାନା...ନିଭାନା...
ଭଉଣୀ ବାହାରେ ରହୁଥିଲେ...
ଚାକିରୀ ପାଇଁ ହେଉ କିମ୍ବା ପାଠପଢା ପାଇଁ ହେଉ। ଭଉଣୀକୁ ଘରଠୁ ବାହାରୁ ଯିବାକୁ ପଡେ। ସେତେବେଳେ ଜଣେ ଭାଇ ପାଇଁ ଏହା ବଡ ଦୁଃଖଦାୟକ ହୋଇଥାଏ। ସେ କାହା ସହ ମାଡଗଳି କରିବ, କାହା ସହ ଖାଇବା ଭାଗ ଭାଗ କରିବ, କାହା ସାଙ୍ଗରେ ସ୍କୁଲ ଯିବ, କାହା ସହିତ ଦଶହରା ଭସାଣୀ ବୁଲିବାକୁ ଯିବ, କାହା ପାଇଁ ମିଛ କହିବ, କାହା ପାଇଁ ବାପାଙ୍କୁ ପଇସା ମାଗିବ, କାହା ସହ ବାଲିଘର ଖେଳିବ, କାହା ସହ ବାଲିଯାତ୍ରାରେ ଦୋଳି ଖେଳିବ। ଏହା ଭାବି ଭାବି ଭାଇର ମନ ଭୋ-ଭୋ ହୋଇ କାନ୍ଦି ଉଠେ। ଭଉଣୀ ସହ ଯେତେ ଝଗଡା କଲେ ବି ସେ ତା ଭାଇର କଣ୍ଢେଇ। ବାହାରେ ରହିଲେ ବି ରାକ୍ଷୀ ପୂର୍ଣ୍ଣିମାକୁ ଭଉଣୀ ଭୁଲି ନ ଥାଏ। ଭଉଣୀ ପାଖରେ ନ ଥିଲେ କଣ ହେଲା, ତା ହାତ କଣ ଖାଲି ରହିବ, ଏହା ଭାବି ଭଉଣୀଟିଏ ଦୂର ଦେଶରୁ ସ୍ନେହ ବୋଳା ରାକ୍ଷୀଟିଏ ପଠାଇ ଦେଇଥାଏ। ଭାଇ ମଧ୍ୟ ଏହାକୁ ଦେଖି ଆତ୍ମହରା ହୋଇଯାଇଥାଏ।
ରାକ୍ଷୀ ପୂର୍ଣ୍ଣିମା ଉପରେ ପର୍ଯ୍ୟବେସିତ ଚଳଚ୍ଚିତ୍ର:
ଭାଇ-ଭଉଣୀର ସମ୍ପର୍କକୁ ନେଇ ବିଭିନ୍ନ ଚଳଚ୍ଚିତ୍ର ହିନ୍ଦୀ ଓ ଓଡିଆରେ ଚିତ୍ରିତ ହୋଇଛି। ଭାଇ କେମିତି ଭଉଣୀର ସମସ୍ତ ସୁବିଧା-ଅସୁବିଧା ସମୟରେ ଠିଆ ହେଉଛି, ତାହାକୁ କଳାକାରମାନେ ଅତି ସୁନ୍ଦରତାର ସହ ପ୍ରତିପାଦିତ କରିଛନ୍ତି। ଏମିତି କିଛି ଚଳଚ୍ଚିତ୍ର ହେଉଛି, ' ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ', 'ରାକ୍ଷୀରେ ରାକ୍ଷୀ ତୁ ରହିଲୁ ସାକ୍ଷୀ', 'ରାକ୍ଷୀ ଭିଜିଗଲା ଆଖି ଲୁହରେ', 'କାଜଲ', 'ଅନପଢ', 'ବେଇମାନ'। ଏହି ଚଳଚ୍ଚିତ୍ରମାନଙ୍କରେ ପ୍ରଦର୍ଶିତ ହୋଇଥିବା ଗୀତ ଗୁଡିକ ଆଜି ବି ଅନେକଙ୍କ ହୃଦୟରେ ରହିଛି।
ଆଜିର ଏହି ପବିତ୍ର ଦିନରେ ସମସ୍ତ ଭାଇ-ଭଉଣୀଙ୍କୁ 'ଇଟିଭି ଭାରତ' ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ