ଭୁବନେଶ୍ବର: ପାଖଉଛି ଦିନ । ନେତାଙ୍କ ବଢୁଛି ହୃଦ୍ କମ୍ପନ । କିଏ ପନ୍ଧିବେ ରାଜ୍ୟସଭା ଶିରିପା । କାହାକୁ ବାଛିବେ ନବୀନ । କିଏ ସେହି ନବୀନଙ୍କ ମନ ପସନ୍ଦର ପ୍ରାର୍ଥୀ । ଯିଏ ଯିବେ ଦେଶର ଉଚ୍ଚ ସଦନକୁ । ରାଜନେତାମାନେ ତ ରାଜନୀତି କରିବା । ନିର୍ବାଚନ ଲଢିବା । ଏହାତ ଗଣତନ୍ତ୍ର ରାଷ୍ଟ୍ରରେ ଏକ ସ୍ବାଭାବିକ ପ୍ରକ୍ରିୟା । ହେଲେ ଦେଶର ଉଚ୍ଚ ସଦନକୁ ପରୋକ୍ଷରେ ନିର୍ବାଚିତ ହୋଇ ଯିବା ଏକ ସାଧାରଣ କଥା ନୁହେଁ । କାରଣ ଗଣତନ୍ତ୍ରର ଏହି ମନ୍ଦିରରେ ଦେଶର ଭାଗ୍ୟ ଭବିଷ୍ୟତ ନିର୍ଦ୍ଧାରଣ ହୋଇଥାଏ । ଯେଉଁଥିପାଇଁ ଉଚ୍ଚ ସଦନକୁ ଯିବାକୁ ହେଲେ ସମ୍ବିଧାନ ସମ୍ପର୍କରେ ଗଭୀର ଜ୍ଞାନ, ଦେଶର ସମସ୍ତ ବିଧି ବ୍ୟବସ୍ଥା ଉପରେ ଦୂରଦୃଷ୍ଟି ଜରୁରୀ । ହେଲେ ସଂପ୍ରତି ରାଜନୀତିରେ ଅନେକ ଦଳ ଏହାକୁ ଏକ ଥଇଥାନ କେନ୍ଦ୍ର ବୋଧହୁଏ ମନେ କରନ୍ତି । ଯେଉଁଥିପାଇଁ ରାଜ୍ୟସଭା ନିର୍ବାଚନ ଆସିଲେ ବଢେ ନେତାଙ୍କ ଲବି । ବଢେ ରାଜନୈତିକ ଦଳ ମଧ୍ୟରେ ଚଳଚଞ୍ଚଳ । ଆଉ ସେହି ପ୍ରକ୍ରିୟା ସ୍ବରୂପ ଏବେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି । ଏନେଇ କଣ ଚାଲିଛି ରାଜ୍ୟରେ ଚର୍ଚ୍ଚା ।
ଚଳିତ ମାସ 26 ରେ ରାଜ୍ୟର 4ଟି ଆସନରେ ରାଜ୍ୟସଭା ପାଇଁ ନିର୍ବାଚନ ହେବ । 13 ତାରିଖ ସୁଦ୍ଧା ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିବେ । 4ଟି ଆସନ ପାଇଁ ଏବେ 4 ଶହ ନେତା ଆଶାୟୀ । ସେହି ଦୃଷ୍ଟିରୁ ଚର୍ଚ୍ଚା ବଢିବା ସ୍ବାଭାବିକ । ହେଲେ 4 ଟି ଆସନରେ ନିର୍ବାଚନ ହେଉଥିବାରୁ 147 ଭୋଟକୁ ସେହି ଅନୁସାରେ ବିଭାଜିତ କରାଯିବ । ଅର୍ଥାତ ଜଣେ ପ୍ରାର୍ଥୀଙ୍କୁ ବିଜୟ ପାଇଁ ଆବଶ୍ୟକ 37 ଭୋଟ । ସଂଖ୍ୟା ଦୃଷ୍ଟିରୁ ଶାସକ ବିଜେଡି 3 ଟି ସିଟରେ ବିଜୟୀ ହେବା ସୁ-ନିଶ୍ଚିତ । ଫଳରେ ଚତୁର୍ଥ ଆସନକୁ ନେଇ ଏବେ 3 ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ପ୍ରତିଯୋଗିତା । କେଉଁ ଦଳ ବି ଗୋଟିଏ ସିଟ ଝାମ୍ପିନେବା ସ୍ଥିତି ସୃଷ୍ଟି ହୋଇଛି । ଯାହା ଚର୍ଚ୍ଚା ହେଉଥିଲା ବିଜେଡି ଗୋଟିଏ କିମ୍ବା 2 ଟି ସିଟ ବିଜେପିକୁ ଛାଡିଦେବ ତାହା ବର୍ତ୍ତମାନ କ୍ଷୀଣ । ବିଜେପି ପ୍ରାର୍ଥୀ ଦେବାକୁ ଘୋଷଣା କରିବା ପରେ ବିଜେଡି ଶିବିର ଏବେ ଚଳଚଞ୍ଚଳ ହୋଇଉଠିଛି । କୌଣସି ମତେ ବିଜେପିକୁ ସୁଯୋଗ ନ ଦେବାକୁ ରଣନୀତି ପ୍ରସ୍ତୁତ ହେଉଥିବା ସୂତ୍ର କହୁଛି ।
ସୂତ୍ର ଅନୁସାରେ ବିଜେଡି ଜଣେ ମହିଳା, ଜଣେ ଓବିସି ବର୍ଗରୁ ଓ ଆଉ ଜଣେ ଦଳର ବରିଷ୍ଠ ନେତାଙ୍କୁ ଏକ ପ୍ରକାର ପଠାଇବା ଥୟ । ତେବେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ନାକୁ ମଧ୍ୟ ଗମ୍ଭୀରତାର ସହ ବିଚାର କରାଯାଉଛି । ଏତତ ବ୍ୟତୀତ ସନ୍ତୁଳନ ରକ୍ଷା ପାଇଁ ଉଦ୍ୟମ ହେଉଛି । ହେଲେ ଚତୁର୍ଥ ଆସନକୁ ନେଇ ବିଜେଡି ମଧ୍ୟ ବାଜି ଲଗାଇବାକୁ ପ୍ରସ୍ତୁତ ହେଉଛି ଏକ ପ୍ରକାର । ଅର୍ଥାତ ଦଳ 3 ରୁ 4 ଟି ବିକଳ୍ପ ରଖିଛି ।