ଭୁବନେଶ୍ବର:ମାଡି ଆସୁଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟସ୍ । ଏହା ଭୀଷଣ ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ଆଜି(ରବିବାର) ଏହା ଅବପାତର ରୂପ ନେବ ବୋଲି ଜଣାପଡିଛି ।
ବାତ୍ୟା ୟସ୍ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି 24 ତାରିଖରେ ବାତ୍ୟାର ରୂପ ନବେ । ସୋମବାର ସୁଦ୍ଧା ଏହା ଅଧିକ ଘନୀଭୂତ ହେବା ପରେ ସିଭିୟର ସାଇକ୍ଲୋନରେ ପରିଣତ ହୋଇପାରେ ବୋଲି ଆକଳନ କରାଯାଇଛି । 26 ତାରିଖ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେଇ ଉତ୍ତର ବଙ୍ଗୋପସଗାରରେ ପହଞ୍ଚିବ ବୋଲି ଜଣାପଡିଛି । ସନ୍ଧ୍ୟା ସୁଦ୍ଧା ବାତ୍ୟା ପଶ୍ଚିମବଙ୍ଗ, ଉତ୍ତର ଓଡିଶା ଓ ବାଂଲାଦେଶ ଆଡକୁ ଗତି କରିବାର ସମ୍ଭାବନା ରହିଛି ।
ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି 120ରୁ 165 କିଲୋମିଟର ରହିବାକୁ ଥିବା ବେଳେ ସର୍ବାଧିକ ବେଗ 185 କିଲୋମିଟର ମଧ୍ୟ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ରବିବାର ଲଘୁଚାପ ଅବପାତରେ ପରିଣତ ହେବା ପରେ ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । 24ରୁ 26 ତାରିଖ ମଧ୍ୟରେ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳର ସମୁଦ୍ର ଅଶାନ୍ତ ରହିବ ବୋଲି ଜଣାପଡିଛି ।
ସେପଟେ ବାତ୍ୟା ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବୈଠକ ବସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ସବୁ ବିଭାଗରୁ ପ୍ରସ୍ତୁତି ଜୋରଦାର ଚାଲିଛି । 17 ଟି NDRF ଟିମ, 20ଟି ଓଡ୍ରାଫ, 150 ଫାୟାର ଟିମ ପ୍ରସ୍ତୁତ ରହିଛନ୍ତି । ରବିବାର ସେମାନଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଯିବ । ବାତ୍ୟା ପରେ ଗଛ କାଟିବା ଲାଗି ବନ ବିଭାଗକୁ ପ୍ରସ୍ତୁତ ରହିବା ପାଇଁ ମଧ୍ୟ କୁହାଯାଇଛି । ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି ବୋଲି ରିଲିଫ କମିଶନର ପ୍ରଦୀପ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ