ଭୁବନେଶ୍ବର: ରାୟଗଡ଼ା ଡିଭିଜନକୁ ପୂର୍ବତଟ ରେଳପଥ ଅଧୀନରୁ କାଢ଼ି ନେଇ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ରେଳପଥରେ ମିଶାଇବା ପ୍ରସଙ୍ଗ । ଘଟଣାରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଅମିୟ ପାଣ୍ଡବ ସାମ୍ବାଦିକ ସାମ୍ମିଳନୀ କରି ସ୍ପଷ୍ଟୀକରଣ ମାଗିବା ଏବଂ ଚରମ ଚେତାବନୀ ଦେବା ପରେ କ୍ଷମା ପ୍ରାର୍ଥନା କଲା ରେଳ ବିଭାଗ । ରେଲୱେ କ୍ଷମା ମାଗିବା ସହ ନିଜର ତ୍ରୁଟି ସ୍ବୀକାର କରିଛି । ଏଥିପାଇଁ ସମସ୍ତ ଗଣମାଧ୍ୟମକୁ ଧନ୍ୟବାଦ ଜ୍ଞାପନ କରିଛି ପ୍ରଦେଶ କଂଗ୍ରେସ ।
ସୂଚନାଯୋଗ୍ୟ ଯେ, ଗତ ୨୮ ଡିସେମ୍ବର ୨୦୨୧ରେ ସୂଚନା ଅଧିକାର ଆଇନ ବଳରେ ରେଳ ବିଭାଗ ରାୟଗଡ଼ା ଡିଭିଜନକୁ ନେଇ ଦେଇଥିବା ତଥ୍ୟ ଯୋଗୁଁ ଏମିତି ସନ୍ଦେହ ଓ ସଂଶୟ ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ସମ୍ବାଦ ପ୍ରକାଶ ପାଉଥିଲେ ମଧ୍ୟ ରେଳ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା କିମ୍ବା ସ୍ପଷ୍ଟୀକରଣ ଦିଆଯାଇନଥିଲା । ଯାହା ବିରୁଦ୍ଧରେ କଂଗ୍ରେସ ସ୍ବର ଉତ୍ତୋଳନ କରିବା କ୍ଷଣି ଦୁଇ ସପ୍ତାହ ଧରି ନୀରବ ରହିଥିବା ରେଳ ବିଭାଗ ତରବରିଆ ଭାବେ ଏହାକୁ ମୁଦ୍ରଣଜନିତ ତ୍ରୁଟି ବୋଲି ଦର୍ଶାଇବା ସହ ଏଥିପାଇଁ କ୍ଷମା ପ୍ରାର୍ଥନା କରି ସ୍ପଷ୍ଟୀକରଣ ଜାରି କରିଛି ।