ଭୁବନେଶ୍ବର/ କଟକ/ ଅନୁଗୋଳ:ରାଜଧାନୀ କୋଚ୍ ସହ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଭୁବନେଶ୍ବର ରେଳ ଷ୍ଟେସନରେ ଭିଡିଓ କନଫରେନ୍ସ ମାଧ୍ୟମରେ ପୁରୀରୁ ଗଡ଼ିଲା ତପସ୍ବିନୀ ଏକ୍ସପ୍ରେସ । ଯାତ୍ରୀମାନଙ୍କୁ ଉନ୍ନତ ତଥା ଆରାମଦାୟକ ଯାତ୍ରା ଯୋଗାଇବ ପାଇଁ ରେଳବାଇ ପକ୍ଷରୁ 18452/18451 ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ବର୍ତ୍ତମାନର ପ୍ରଚଳିତ କୋଚ ପରିବର୍ତ୍ତେ ଉନ୍ନତମାନର ରାଜଧାନୀ କୋଚ ଭଳି ଲିଙ୍କେ-ହୋଫମାନ-ବୁଶ (LHB-Linke Hofmann Busch) କୋଚ୍ ସହିତ ଚଳାଇବାକୁ ସ୍ଥିର ହୋଇଛି ।
ଏହି ସୁବିଧା ଆରାମଦାୟକ ଯାତ୍ରା ଅଭିଜ୍ଞତା ଏବଂ କମ୍ ଶବ୍ଦ ସହିତ ସୁରକ୍ଷା ବୃଦ୍ଧି କରାଇବ । ଏହି ଟ୍ରେନ୍ ଶୁଭାରମ୍ଭ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ । ସେପଟେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଧାୟକ ସୁର ରାଉତରାୟ ମଧ୍ୟ ଏଥିରେ ଯୋଗ ଦେଇଥିଲେ । ସେପଟେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ କାର୍ଯ୍ୟକ୍ରମକୁ ବୟକଟ କରିଛନ୍ତି ରାଜ୍ୟର ମନ୍ତ୍ରୀଗଣ । ନିମନ୍ତ୍ରଣ ଥାଇ ବି କାର୍ଯ୍ୟକ୍ରମକୁ ଆସିଲେନି ମନ୍ତ୍ରୀ ଅଶୋକ ପଣ୍ଡା ଓ ପଦ୍ମନାଭ ବେହେରା, ବିଜେଡି ବିଧାୟକ ସୁଶାନ୍ତ ରାଉତ ଓ ବିଧାୟକ ଅନନ୍ତ ନାରାୟଣ ଜେନା । ଅଭିଭାଷଣରେ ମହାପ୍ରଭୁଙ୍କ କାମରେ ରାଜନୀତି ନ କରିବାକୁ କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।